ରାଜ୍ୟରେ କରୋନା ମୃତ୍ୟୁ ଦୁଇ ଅଙ୍କ ଛୁଇଁଲା

ଗଞ୍ଜାମର ୫୫ବର୍ଷ ପୁରୁଷଙ୍କ ମୃତ୍ୟୁ
ଦିନକରେ ୨୦୫ ଚିହ୍ନଟ, ୧୨୦ ସୁସ୍ଥ
୧୨ ଜିଲ୍ଲାରେ ଶହେରୁ ଅଧିକ ସଂକ୍ରମିତ

ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଆଜି ଦୁଇ ଅଙ୍କ ଛୁଇଁଛି। ଗଞ୍ଜାମର ଜଣେ ୫୫ବର୍ଷୀୟ ପୁରୁଷ କରୋନା ପଜିଟିଭ୍ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସେ ନିଃଶ୍ବାସ ପ୍ରଶ୍ବାସ ଜନିତ ରୋଗରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି। କଟକର ଖାନନଗର ଶଶ୍ମାନରେ ମୃତକଙ୍କ ଶବ ସତ୍କାର କରାଯାଇଛି। ଏହାବାଦ୍ ରାଜ୍ୟରେ ଅନ୍ୟ ୩ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଥିଲେ ହେଁ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୧୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୧୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ଜଣ ସଙ୍ଗ‌ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏଥିରେ ପୁରୀ ଜିଲ୍ଲାର ସର୍ବାଧିକ ୧୫ଜଣ ରହିଛନ୍ତି। ଏହାବାଦ୍ ଖୋର୍ଧା ୮, ମୟୂରଭଞ୍ଜ ୭, ଗଞ୍ଜାମ, ଅନୁଗୁଳରୁ ୬ଜଣ ଲେଖାଏଁ, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ବର ଓ ଗଜପତି ଜିଲ୍ଲାରୁ ୫ଜଣ ଲେଖାଏଁ, ସୁନ୍ଦରଗଡ଼ ଓ ନୟାଗଡ଼ରୁ ୪ଜଣ ଲେଖାଏଁ, ଯାଜପୁର, ବୌଦ୍ଧ, ମାଲକାନାଗିରିରୁ ୩ଜଣ ଲେଖାଏଁ, ଦେବଗଡ଼, ଝାରସୁଗୁଡ଼ାରୁ ୨ଜଣ ଲେଖାଏଁ ଓ ଏନ୍‌ଡିଆରଏଫ୍‌-ଓଡିଆରଏଫ୍‌ରୁ ୨୧ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୯୧ରେ ପହଞ୍ଚିଛି। ଆଜି ସଂଧ୍ୟାରେ କଟକ ଜିଲ୍ଲାରେ ୯୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ତହିଁରୁ ୧୨ଜଣ କେବଳ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୫ ଛୁଇଁଛି।

ରାଜ୍ୟର ଏବେ ୧୨ଟି ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୬୫୮, ଯାଜପୁର ୩୨୯, ଖୋର୍ଧା ୩୧୫, କଟକ ୩୧୨, ବାଲେଶ୍ବର ୨୦୨, କେନ୍ଦ୍ରାପଡ଼ା ୧୭୧, ଭଦ୍ରକ ୧୫୧, ପୁରୀ ୧୩୩, ଜଗତସିଂହପୁର ୧୩୦, ବଲାଙ୍ଗୀର ୧୨୯, ସୁନ୍ଦରଗଡ଼ ୧୨୨, ନୟାଗଡ଼ରୁ ୧୦୧ଜଣ ଓ ଏନ୍‌ଡିଆରଏଫ୍‌-ଓଡିଆରଏଫ୍‌ର ୧୩୬ଜଣ ରହିଛନ୍ତି। ଏହାବାଦ୍ ମୟୂରଭଞ୍ଜ ୯୯, ଗଜପତି ୮୪ ଓ ନୂଆପଡ଼ାରେ ୭୪ଜଣ ଚିହ୍ନଟ ହେବା ପରେ ଏହି ଜିଲ୍ଲାଗୁଡ଼ିକ ଶହେର ନିକଟତର ହୋଇଛି।

ଅପରପକ୍ଷରେ ଆଜି ୧୨୦ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୩୦ଜଣ ରହିଥିବା ବେଳେ ଖୋର୍ଧା ୧୯, ବାଲେଶ୍ବର ୧୪, ବଲାଙ୍ଗୀର ୧୨, ଢେଙ୍କାନାଳ ୯, ନୟାଗଡ଼ ଓ ସୁନ୍ଦରଗଡ଼ର ୭ଜଣ ଲେଖାଏଁ, ଅନୁଗୁଳ ୬, କେନ୍ଦୁଝର ୫, ଜଗତସିଂହପୁର ଓ ପୁରୀର ୪ଜଣ ଲେଖାଏଁ, ଦେବଗଡ଼, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨୪୭୪ରେ ପହଞ୍ଚିଛି। ସୁସ୍ଥ ହାର ୭୦ ପ୍ରତିଶତ ରହିଛି। ରାଜ୍ୟରେ ଏବେ ୧୦୧୧ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ୪୧୧ ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲର ପୃଥକବାସରେ ରହିଛନ୍ତି।

ସମ୍ବନ୍ଧିତ ଖବର