୭ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ : କରୋନା ରୋଗୀଙ୍କ ପାଇଁ ୭ ହସ୍ପିଟାଲରେ ୧୫୪୭ ଶଯ୍ୟା

ଏମ୍‌ସିଏଲ୍ ସହାୟତାରେ ସମ୍ ଖୋଲିଲା ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ
୫୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ରହିଛି ୨୫ ଆଇସିୟୁ
୧୫୦୦ରୁ ଅଧିକ କର୍ମଚାରୀ ଓ ଡାକ୍ତରଙ୍କୁ ଦିଆସରିଛି ପ୍ରଶିକ୍ଷଣ
ଅନୁଗୁଳ, କେନ୍ଦ୍ରାପଡ଼ାରେ ହେବ ଆଉ ଦୁଇ କୋଭିଡ୍ ହସ୍ପିଟାଲ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରଠାରୁ ଆରମ୍ଭ କରି ସୁନ୍ଦରଗଡ଼, କଟକ, ଯାଜପୁର, ପୁରୀ ଆଦି ଜିଲ୍ଲାକୁ ମିଶାଇ ଏଯାବତ୍ ମୋଟ ୧୫୪୭ଟି ଶଯ୍ୟା ପ୍ରସ୍ତୁତ ହୋଇସାରିଲେଣି। ପାଖାପାଖି ୧୫୦୦ ଡାକ୍ତର ଓ କର୍ମଚାରୀ ପ୍ରଶିକ୍ଷଣ ନେଇସାରିଛନ୍ତି। କରୋନା ଭଳି ଭୟଙ୍କର ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ପାଇଁ ନିଯୁକ୍ତ ମୁଖ୍ୟ ମୁଖପାତ୍ର ସୁବ୍ରତ କୁମାର ବାଗଚୀ ଏଭଳି ସୂଚନା ଦେଇଛନ୍ତି।

ଆଜି ପୂର୍ବାହ୍ନରେ ଏମସିଏଲ୍ ସହାୟତାରେ ପ୍ରସ୍ତୁତ ହୋଇଥିବା ସମ୍ କୋଭିଡ ହସ୍ପିଟାଲର ଉଦଘାଟନ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସାମିଲ ଥିଲେ। ଏମସିଏଲ ସହାୟତାରେ ଏଠାରେ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ଡାକ୍ତରଖାନା ସହିତ ୨୫ଟି ଆଇସିୟୁ ବ୍ୟବସ୍ଥା ରହିଛି। ସରକାର ଦାବି କରିଛନ୍ତି ଯେ କରୋନା ପୃଥକାବାସ ପାଇଁ ପାଖାପାଖି ୭ହଜାର ପଞ୍ଚାୟତରେ ୪ଲକ୍ଷ ଶଯ୍ୟା ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ସାରିଲାଣି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସମ୍ ହସ୍ପିଟାଲର ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସମ୍ କର୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତିକୁ ଭୂୟସୀ ପ୍ରଶଂସା କରିଥିଲେ। କହିଥିଲେ ଯେ ମୁଖ୍ୟମନ୍ତ୍ରୀ ୩ଟି ସହରରେ କରିଥିବା ୪୮ଘଣ୍ଟିଆ ‘ସଟ୍‌ଡାଉନ୍‌’ ଏକ ବଡ଼ ପଦକ୍ଷେପ। ଏହାଦ୍ୱାରା ଅନେକ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇପାରିଲେ। କରୋନା ମହାମାରୀ ସାରାବିଶ୍ୱର ମାନସିକତାକୁ ଦୋହଲାଇ ଦେଇଛି। ତେଣୁ ସମସ୍ତ ପ୍ରକାର ରାଜନୈତିକ ଭେଦଭାବକୁ ଭୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିଷ୍ପତ୍ତିଗୁଡ଼ିକୁ ମାନି ଏହି ମହାମାରୀର ମୁକାବିଲା କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଏ କ୍ଷେତ୍ରରେ ରାଜ୍ୟ ସରକାର ଯାହା ଆବଶ୍ୟକ କରିବେ, ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମ୍ ହସ୍ପିଟାଲ ସହାୟତାରେ ରାଜ୍ୟ ସରକାର ଅନୁଗୁଳ ଓ କେନ୍ଦ୍ରାପଡ଼ାରେ ଆଉ ଦୁଇଟି କୋଭିଡ୍ ହସ୍ପିଟାଲ କରିବେ ବୋଲି ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର, ଏମସିଏଲ କର୍ତ୍ତୃପକ୍ଷ, ସମ୍ ହସ୍ପିଟାଲ ପକ୍ଷରୁ ଏହାରା ପ୍ରତିଷ୍ଠାତା ମନୋଜ ନାୟକ ଓ କୁଳପତି ଡାକ୍ତର ଅଶୋକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଗତ ମାର୍ଚ୍ଚ ୨୬ ତାରିଖ ଦିନ ଓଡିଶା ସରକାର, ଏମସିଏଲ ଓ ଆଇଏମଏସ ଓ ସମ ହସ୍ପିଟାଲ ମଧ୍ୟରେ କୋଭିଡ-୧୯ ହସ୍ପିଟାଲ ନେଇ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଚୁକ୍ତି ଅନୁଯାୟୀ, ଏମସିଏଲ ହସ୍ପିଟାଲକୁ ଆର୍ଥିକ ସାହାଯ୍ୟ ଯୋଗାଇବ। ହସ୍ପିଟାଲ ପକ୍ଷରୁ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯିବା ସହ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଲାବୋରେଟୋରି, ରେଡିଓଲୋଜି, ଆଇସିୟୁର ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ଶ୍ରୀ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କଟକ ଅଶ୍ବିନୀ ମେଡିକାଲରେ ୧୫୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କରାଯାଇଛି। ଏହି କ୍ରମରେ ଯାଜପୁର ଡୁବୁରିଠାରେ ଟାଟା ୧୫୦ଶଯ୍ୟା, କେନ୍ଦୁଝରରେ ଯୋଡ଼ାଠାରେ ସଂପୃକ୍ତ ସଂସ୍ଥା ସହାୟତାରେ ଆଉ ୫୦ ଶଯ୍ୟା ବିଶିଷ୍ଟ ମେଡିକାଲ ହୋଇଛି। ଭୁବନେଶ୍ବରରେ କିମ୍ସ ୪୫୭ ଶଯ୍ୟା, ସମ୍ କର୍ତୃପକ୍ଷ ୫୦୦ ଶଯ୍ୟା, ପୁରୀ ଆଇଡିଏଚ୍‌ରେ ୪୦ ଶଯ୍ୟା ଓ ସୁନ୍ଦରଗଡ଼ରେ ହାଇଟେକ୍ ମେଡିକାଲ ସହାୟତାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କରାଯାଇଛି। ଏହପରି ରାଜ୍ୟରେ ଏଯାଏ ୭ଟି ସ୍ଥାନରେ ପ୍ରାୟ ୧୫୪୭ଟି ଶଯ୍ୟା ବିଶିଷ୍ଟ କୋଭିଡ୍ ସ୍ବତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ହୋଇ ରହିଛି।

ସେହିଭଳି କୋଭିଡ-୧୯ ମୁକାବିଲା ଲାଗି କଟକ ବଡ଼ ମେଡ଼ିକାଲର ୮୯୧ ଛାତ୍ରଛାତ୍ରୀ, ଏମକେସିଜିର ୩୨୫ ଛାତ୍ରଛାତ୍ରୀ, ଭିମସାର୍ ବୁର୍ଲାର ୩୦୦ ଛାତ୍ରଛାତ୍ରୀ, ଏମକେସିଜିର ୨୪୭ ଅଧ୍ୟାପକ ଓ ସ୍ନାତକ ଛାତ୍ରଙ୍କୁ ମିଶାଇ ୧୫୦୦ ଜଣଙ୍କୁ କୋଭିଡ୍ ନେଇ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। ଅନୁରୂପ ଭାବରେ ୩୬୦ ଜଣ ଜିଲ୍ଲାସ୍ତରରେ ମାଷ୍ଟର ଟ୍ରେନର ଓ ୨୨୬୪ ଜଣ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆସରିଛି ବୋଲି ଶ୍ରୀ ବାଗଚୀ ଏହି ଅବସରରେ ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ଦେଶର ନେତୃତ୍ବ ନେଉଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାର ବାଚସ୍ପତି, ବିରୋଧୀ ଦଳର ନେତା, ବିଧାୟକମାନଙ୍କ ସହିତ ହାତଧୁଆ କାର୍ଯ୍ୟକ୍ରମ କରି ଯେଉଁ ସଚେତନତା ପର୍ବ ଆରମ୍ଭ କରିଥିଲେ, ସେବେଠାରୁ ରାଜ୍ୟ ସରକାର ଏ ଦିଗରେ ପ୍ରତିଦିନ ପାଦେ ପାଦେ ଆଗକୁ ଚାଲିଛନ୍ତି। ସାମାଜିକ ଦୂରତ୍ବ ରକ୍ଷା କରିବାର ସ୍ଲୋଗାନ ହେଉ କିମ୍ବା ହାତଧୁଆ ଅଥବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦେଶର ଅନୁପାଳନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଦେଶର ଅନ୍ୟ ସମସ୍ତଙ୍କଠାରୁ ଢେର୍ ଆଗରେ ରହିଛି।

ସମ୍ବନ୍ଧିତ ଖବର