ନୟାଗଡ଼ : ରଣପୁର ବ୍ଲକର ଶହ ଶହ ରୋଗୀ ଚାନ୍ଦପୁରସ୍ଥିତ ବସନ୍ତ ମଞ୍ଜରୀ ସାଧାରଣ ସ୍ବାସ୍ଥ୍ୟ ନିବାସ ଚିକିତ୍ସାଳୟ ଉପରେ ନିର୍ଭର କରୁଥିଲେ। ହେଲେ କରୋନା ମୁକାବିଲା ଆଳରେ ଏହି ଚିକିତ୍ସାଳୟକୁ କୋଭିଡ୍ ହେଲ୍ଥ ସେଣ୍ଟର୍ ଭାବେ ରାଜ୍ୟ ସରକାର ତଥା ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଫଳରେ ଏହି ଚିକିତ୍ସାଳୟକୁ ଅନ୍ୟ ସାଧାରଣ ରୋଗୀ ଆସିବାକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏହି ଚିକିତ୍ସାଳୟକୁ ପୂର୍ବରୁ ଦୈନିକ ପ୍ରାୟ ୧୦୦ ସାଧାରଣ ରୋଗୀ ଆସୁଥିଲେ। ବର୍ତ୍ତମାନ ରଣପୁର ଅଞ୍ଚଳର ରୋଗୀମାନଙ୍କୁ ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍ସି)କୁ ଯିବାକୁ କୁହାଯାଇଛି। ଟାଙ୍ଗୀ ସିଏଚ୍ସି ସାମାନ୍ୟ ଗୁରୁତର ରୋଗୀଙ୍କୁ ସିଧା ଖୋର୍ଦ୍ଧା କିମ୍ବା ଭୁବନେଶ୍ବର ସ୍ଥାନାନ୍ତର କରିଦେଉଛି। ଯାହା ରଣପୁରର ରୋଗୀଙ୍କ ପାଇଁ ଦୂର ତଥା ଲକ୍ଡାଉନ୍ ଭଳି ସ୍ଥିତିରେ ଏମାନଙ୍କ ସମ୍ପର୍କିୟଙ୍କ ପାଇଁ ମଧ୍ୟ ସସମ୍ୟା ସୃଷ୍ଟି କରୁଛି। କିନ୍ତୁ ଚାନ୍ଦପୁର ସାଧାରଣ ଚିକିତ୍ସାଳୟ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀମାନଙ୍କୁ ସ୍ଥାନାନ୍ତର କରୁଥିଲା। ଜିଲ୍ଲା ମଧ୍ୟରେ ରୋଗୀଙ୍କୁ ନେବା ଆଣିବା ସୁବିଧା ହେଉଥିଲା। ଟାଙ୍ଗୀ ସିଏଚ୍ସି ଦୂର ହେଉଥିବା ବେଳେ, ସେଠାରେ ନୟାଗଡ଼ ରୋଗୀ ବାଛବିଚାର ମଧ୍ୟ ଶିକାର ହେଉଥିବା ଅଭିଯୋଗ ଆସିଛି। ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଓ ପରେ ନୟାଗଡ଼ ଜିଲ୍ଲାର ରୋଗୀଙ୍କୁ ଦେଖ ବୋଲି ସ୍ଥାନୀୟ ଲୋକ ବିବାଦ କରୁଥିବା ରଣପୁରର ରୋଗୀ କହିଛନ୍ତି।
ନୟାଗଡ଼ ଜିଲ୍ଲା କରୋନା ସଂକ୍ରମଣ ଦୃଷ୍ଟିରୁ ବେଶ୍ ସୁରକ୍ଷିତ ଅଛି। କରୋନା ମୁକାବିଲା ଆଳରେ ବସନ୍ତ ମଞ୍ଜରୀ ସାଧାରଣ ସ୍ବାସ୍ଥ୍ୟ ନିବାସକୁ ସାଧାରଣ ରୋଗୀଙ୍କ ପାଇଁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବାକୁ ରଣପୁର ବ୍ଲକ୍ର ଗୋପାଳପୁର, ଚାନ୍ଦପୁର, କେରେଣ୍ଡାଟାଙ୍ଗି, କନ୍ଧନୟାଗଡ଼, ଚମ୍ପାଗଡ଼, ଚମ୍ପାପିଢ଼ି, ରାଇପଡ଼ା, ମୟୂରଝାଲିଆ, ପଟିଆ, ବନ୍ଧମୁଣ୍ଡା ଆଦି ପଞ୍ଚାୟତବାସୀ ସହଜରେ ଗ୍ରହଣ କରି ପାରିନାହାନ୍ତି। କରୋନା ପ୍ରତିକାର ନାମରେ ଜିଲ୍ଲା ପ୍ରଶାସନ ବାସ୍ତବତାକୁ ଭୁଲିଗଲା ବୋଲି ମତ ପ୍ରକାଶ ପାଇଛି। ଏ ପର୍ଯ୍ୟନ୍ତ ଉକ୍ତ କୋଭିଡ୍ ସେଣ୍ଟର୍କୁ କେହି ସନ୍ଦିଗ୍ଦ ଯାଇନାହାନ୍ତି। ଏଭଳି ସ୍ଥିତିରେ ସାଧାରଣ ରୋଗୀଙ୍କ ଚିକିତ୍ସା ସେଠାରେ ଚାଲୁ ରହିଥିଲେ, କ’ଣ ସମସ୍ୟା ହୋଇଥାନ୍ତା ବୋଲି ପ୍ରଶ୍ନ ଉଠିଛି। କୌଣସି କରୋନା ସନ୍ଦିଗ୍ଧଙ୍କ ଆଡ୍ମିସନ୍ ପରେ ସାଧାରଣ ରୋଗୀଙ୍କୁ ଏଠାକୁ ଆସିବାକୁ ବାରଣା କରାଯାଇ ପାରିଥାନ୍ତା। ଯଦି କରୋନା ମୁକାବିଲା ନିମନ୍ତେ ବସନ୍ତ ମଞ୍ଜରୀ କୋଭିଡ୍ ହେଲ୍ଥ ସେଣ୍ଟର୍ରେ ୨୦୦ ବେଡ୍ ଜାଗାରେ ବର୍ତ୍ତମାନ ୧୦୦ ବେଡ୍ ବ୍ୟବସ୍ଥା କରାଯାଇଛି, ମାତ୍ର ୧୩ ଜଣ ଡାକ୍ତରଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି। ପରେ କରେନା ରୋଗୀ ସଂଖ୍ୟାକୁ ଦେଖି ବେଡ୍ ଓ ଡାକ୍ତର ସଂଖ୍ୟା ବଢ଼ାଇବ ବୋଲି ପ୍ରଶାସନ କହୁଛି। ତେବେ କରୋନା ସନ୍ଦିଗ୍ଧ ଏଠାରେ ଚିକିତ୍ସିତ ହୋଇଥିଲେ, ସାଧାରଣ ରୋଗୀଙ୍କ ଚିକିତ୍ସାକୁ ସଂପୂର୍ଣ୍ଣ ବାରଣ କରାଯାଇପାରିଥାନ୍ତା। ଆଗୁଆ ତରତର ହୋଇ ରଣପୁର ଅଞ୍ଚଳର ସାଧାରଣ ରୋଗୀଙ୍କୁ କାହିଁକି ହନ୍ତସନ୍ତ କରାଯାଉଛି ବୋଲି ବୁଦ୍ଧିଜୀବୀ ମଣ୍ଡଳୀ ପ୍ରଶ୍ନ ଉଠାଇଛନ୍ତି।
ଲକ୍ଡାଉନ୍ ଭଳି ସ୍ଥିତିରେ ଯାନବାହାନର ସମସ୍ୟା ଦେଖାଦେଇଥିବା ବେଳେ, ଦୂର ବାଟକୁ ରୋଗୀମାନେ ଯିବା ସମ୍ଭବ ହେଉନାହିଁ ଏବଂ ସାଧାରଣ ରୋଗୀଙ୍କ ପାଇଁ ଏହା ବ୍ୟୟସାପେକ୍ଷ ମଧ୍ୟ। ଏ ବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ବେତ କୁମାର ମହାପାତ୍ର କହିଛନ୍ତି, ‘‘କୋଭିଡ୍ ହେଲ୍ଥ ସେଣ୍ଟର୍ର ନିୟମ ଅନୁଯାୟୀ ଏହା କରାଯାଇଛି। ଟାଙ୍ଗୀ ସିଏଚ୍ସି ସେଠାରୁ ଅଳ୍ପ ଦୂର। ରୋଗୀମାନେ ସେଠାକୁ ଯିବାକୁ ପରାମର୍ଶ ଦିଆଯାଇଛି। ଚାନ୍ଦପୁର କୋଭିଡ୍ ହେଲ୍ଥ ସେଣ୍ଟର୍ରେ ଆମେ ୧୦ଟି ଆୟୁସିୟୁ ବେଡ୍, ୫ଟି ଭେଣ୍ଟିଲେଟର୍ ବ୍ୟବସ୍ଥା କରିସାରିଲୁଣି। ଏହାକୁ କୋଭିଡ୍ ହସ୍ପିଟାଲ୍ରେ ମଧ୍ୟ ପରିଣତ କରାଯାଇପାରେ। ତେଣୁ ଏଭଳି କଟକଣା ଆପଣାଇଛୁ।’’