ବ୍ରହ୍ମପୁର :ଗଞ୍ଜାମରେ କରୋନା ଗୋଷ୍ଠୀ ସଂକ୍ରମଣ ଆ‌ଡ଼କୁ ମୁହାଁଇଛି। ରାଜ୍ୟର ଅନ୍ୟତମ ବୃହତ୍ତମ ଜିଲ୍ଲା ଗଞ୍ଜାମରେ ୫୦୩ ପଞ୍ଚାୟତ ଓ ୧୮ଟି ସହରାଞ୍ଚଳ। ଲୋକସଂଖ୍ୟା ପ୍ରାୟ ୪୦ଲକ୍ଷ। ଜିଲ୍ଲାର ୫ରୁ ୬ ଲକ୍ଷ ଲୋକ କର୍ମସଂସ୍ଥାନ ପାଇଁ ବାହାର ରାଜ୍ୟ ମୁହାଁ। କରୋନା ମହାମାରୀ ଯୋଗୁଁ ଜୀବନଜୀବିକା ହରାଇ ବାହାର ରାଜ୍ୟର ପ୍ରବାସୀମାନେ ଘର ମୁହାଁ ହୋଇଥିଲେ। ପ୍ରବାସୀମାନେ ଫେରିବା ପରେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୪ଦିନ ଆନୁଷ୍ଠାନିକ ସଙ୍ଗରୋଧ ଏବଂ ୧୪ ଦିନ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ଅଧିକରୁ ଅଧିକ ସଂଖ୍ୟକ ପ୍ରବାସୀ ଫେରିବା ପରେ ରାଜ୍ୟ ସରକାର ଆନୁଷ୍ଠାନିକ ସଙ୍ଗରୋଧ ଅବଧି ୭ ଦିନକୁ କମାଇ ଦେଇଥିଲେ। କିଛି ପ୍ରବାସୀ ୧୪ଦିନ ଆନୁଷ୍ଠାନିକ ସଙ୍ଗରୋଧ ଏବଂ ଆଉ କିଛି ୭ଦିନ ରହି ଘରକୁ ଫେରିଥିଲେ। ସମସ୍ତଙ୍କୁ ଗୃହ ସଙ୍ଗରୋଧ କଡ଼ାକଡି ପାଳନ କରିବାକୁ କୁହାଯାଇଥିଲା। ହେଲେ ଅଧିକାଂଶ ଏହା ଠିକ୍‌ ଭାବେ ପାଳିଲେ ନାହିଁ। ଗାଁରେ ବୁଲାବୁଲି କରିବା ସହ ତାସ୍‌ ଖେଳ, ଭୋଜିଭାତରେ ମାତିଲେ। ଜିଲ୍ଲା ପ୍ରଶାସନ ଗୃହ ସଙ୍ଗରୋଧ ଖିଲାପକାରୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ପ୍ରବାସୀ ବାହାରେ ବୁଲାବୁଲି କରିବାରୁ ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଥିବା କୁହାଯାଉଛି। ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କେରଳ ଭଳି ହଟ୍‌ସ୍ପଟ୍‌ରୁ ଜିଲ୍ଲାକୁ ଇତି ମଧ୍ୟରେ ପ୍ରାୟ ୨ଲକ୍ଷ ୨୦ହଜାର ପ୍ରବାସୀ ଫେରିଥିବା ବେଳେ ଗଞ୍ଜାମ ଜିଲ୍ଲା ଏବେ କରୋନା ହଟ୍‌ସ୍ପଟ୍‌ରେ ପରିଣତ ହୋଇଛି।

Advertisment

publive-image Brown County

ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟକୁ ୨ମାସ ପୁରିଛି। ଏ ସମୟ ମଧ୍ୟରେ ୧୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୫୦ଜଣ ସଂକ୍ରମିତ ହେଲେଣି। ସେଥି ମଧ୍ୟରୁ ୭୦୪ ଜଣ ସଂକ୍ରୟ ସଂକ୍ରମିତ ରହିଛନ୍ତି। କରୋନା ମୁକାବିଲା ଲାଗି ପ୍ରଥମେ ଗଞ୍ଜାମରେ ହିଁ ଦୃଢ ପଦକ୍ଷେପ ନିଆ ଯାଇଥିଲା। ଜିଲ୍ଲା ପ୍ରଶାସନର କଟକଣାକୁ ଲୋକ ମାନିଥିଲେ। କିନ୍ତୁ ଅସଲ ସମୟରେ କଟକଣାରେ ରହିଥିବା ଲୋକମାନେ ଏବେ ଅମାନିଆ। ବଜାର ଠାରୁ ଆରମ୍ଭ ସବୁଠି ଅସମ୍ଭବ ଭିଡ଼। ସାମାଜିକ ଦୂରତ୍ବ ରହୁନି। ପରିମାଣ ସ୍ୱରୂପ ଜିଲ୍ଲାରେ କରୋନା ବ୍ୟାପୁଥିବା କୁହାଯାଉଛି।

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର କମ୍ୟୁନିଟି ମେଡ଼ିସିନ ବିଭାଗ ପ୍ରଫେସର ଡାକ୍ତର ଦୁର୍ଗାମାଧବ ଶତପଥୀ କହିଛନ୍ତି ଯେ, ଜନସାଧାରଣଙ୍କ ଆସାବଧନତା ଏବଂ ଜ୍ୱର, କାଶ ହେଲେ ଲୁଚାଇ ନିଜେ ନିଜେ ସମାଧାନର ପନ୍ଥା ଖୋଜୁଥିବା କାରଣରୁ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଛି। କରୋନା ଜଳବାହିତ କି ବାୟୁ ବାହିତ ରୋଗ ନୁହେଁ। ଜଣକ ନିକଟରୁ ଆଉ ଜଣକୁ ବ୍ୟାପେ। ତେଣୁ ମାସ୍କ୍‌ ପରିଧାନ ଓ ସାମାଜିକ ଦୂରତ୍ୱ ଅବଲମ୍ବନ ଦ୍ୱାରା ଏହି ସଂକ୍ରମଣକୁ ରୋକାଯାଇ ପାରିବ। ‌କିନ୍ତୁ ଲୋକମାନେ ନିଜେ ସାମାଜିକ ଦୂରତ୍ୱକୁ ଭୁଲି ଭୟରେ କରୋନା ସଂକ୍ରମଣ ଜାଣିବା କ୍ଷଣି ସାମଜିକ ବାସନ୍ଦ କରୁଛନ୍ତି। ‌ଲୋକ ସାମାଜିକ ଦୂରତ୍ୱ ଅବଲମ୍ବନ ସହ ଯଥେଷ୍ଟ ସଚେତନ ହେବା ଆବଶ୍ୟକ।

publive-image Sambad English

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍‌ ଲିଡ଼ର ଡାକ୍ତର ନିହାର ରାୟ କହିଛନ୍ତି, ବିଶ୍ୱ ଓ ଦେଶର ସ୍ଥିତି ତୁଳନାରେ ରାଜ୍ୟର ସ୍ଥିତି କମ ଗମ୍ଭୀର। କିନ୍ତୁ ଗଞ୍ଜାମ ସ୍ଥିତି ଚିନ୍ତାଜନକ। ‌ଗଜୁରାଟ ଓ ମହାରାଷ୍ଟ୍ରରୁ ସଂକ୍ରମିତ ହୋଇ ଫେରିଥିବା ପ୍ରବାସୀଙ୍କ ସହ ଆସିଥିବା କରୋନା ଭୂତାଣୁ ସଂକ୍ରମଣକୁ ଅଧିକ ବିସ୍ତୃତ କରିବା ଆଶଙ୍କା ଦେଖାଦେଇଛି। ଏପରି ସ୍ଥିତିରେ ନ ଡରି ଆମେ ମୁକାବିଲା କରିବାକୁ ପଡ଼ିବ। ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ। ସମସ୍ତେ ମାସ୍କ ପିନ୍ଧିବା ସହ ନିୟମିତ ହାତ ଧୋଇବା ଦରକାର। ଏହି ଦୁଇଟି ପନ୍ଥା ଦ୍ୱାରା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରାଯାଇ ପାରିବ। ଅନାବଶ୍ୟକ ଭ‌ାବେ ବାହାରକୁ ବାହାରିବା ଓ ସାମାଜିକ ଦୂରତ୍ୱ ଅବଲମ୍ବନ ଉପରେ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବାର ଆବଶ୍ୟକ ରହିଛି।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଜିଲ୍ଳାରେ ଗୋଷ୍ଠୀ ସଂକ୍ରମଣ ନାହିଁ। ପଜିଟିଭ୍‌ଙ୍କ କଣ୍ଟାକ୍ଟ‌ ଟ୍ରେସିଂ ଠିକ୍‌ ହେବା ଯୋଗୁଁ ଏବଂ ଅଧିକ ପରୀକ୍ଷା ଯୋଗୁଁ ଅଧିକ ପଜିଟିଭ୍‌ ବାହାରୁଛନ୍ତି। ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟ୍‌ମେଣ୍ଟ୍‌ ଉପରେ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ଜିଲ୍ଲାରେ ଯେଉଁ ପଜିଟିଭ୍‌ ବାହାରୁଛନ୍ତି ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ଅଛି। ଯେଉଁମାନେ ବି ମେଡିକାଲରେ ଚିକିତ୍ସିତ ଅଛନ୍ତି ‌ସେମାନଙ୍କ ଉପଯୁକ୍ତ ଯତ୍ନ ନିଆଯାଉଛି। ଯଦି କାହାର ସ୍ୱାସ୍ଥ୍ୟବସ୍ଥାର ଅବନତି ଦେଖାଦେଉଛି କିମ୍ବା ଭେଣ୍ଟିଲେଟର୍‌ ଲାଗୁଛି ‌ତେବେ ସଙ୍ଗେ ସଙ୍ଗେ ସେମାନଙ୍କ ପରିବାରବର୍ଗଙ୍କୁ ଜଣାଇ ଦିଆଯାଉଛି। ଜିଲ୍ଲାରେ କୋଭିଡ଼୍‌ ରୋଗୀଙ୍କ ଲାଗି ୩ ହଜାର ଶଯ୍ୟାର କୋଭିଡ଼୍‌ କେୟାର ସେଣ୍ଟର ହୋଇଛି। କ୍ରିଟିକାଲ କରୋନା ରୋଗୀଙ୍କୁ ଶୀତଳାପଲ୍ଲୀ କୋଭିଡ଼ ହସ୍‌ପିଟାଲକୁ ପଠାଯାଉଛି। କେବେଳ ପ୍ରଶାସନ ଚାହିଁଲେ କରୋନାକୁ ରୋକିହେବ ନାହିଁ। ଲୋକମାନେ କଟକଣା ମାନୁନାହାନ୍ତି। ଜରିମାନାରୁ ବର୍ତ୍ତିବା ଲାଗି ମାସ୍କ୍‌ ପିନ୍ଧୁଛନ୍ତି, କିନ୍ତୁ ମାସ୍କ ଥୋଡ଼ିରେ ଝୁଲୁଛି। ଅଯଥାରେ ବାହାରକୁ ବାହାରୁଛନ୍ତି। ସାମାଜିକ ଦୂରତ୍ବ ମାନୁନାହାନ୍ତି। ଏଣିକି ପ୍ରଶାସନ ଆକ୍ସନ୍‌ ମୁଡ଼୍‌କୁ ଓହ୍ଲାଇବ। ଅମାନିଆଙ୍କ ବ‌ିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ