ରାୟଗଡ଼ା : ସାଇକେଲ୍ କିଣିବାକୁ ସଞ୍ଚୟ କରିଥିଲେ ଅର୍ଥ। ଶେଷରେ ମହାବିପତ୍ତିରେ ସହାୟତାର ହାତ ବଢ଼ାଇବାକୁ ଦାନ କରିଦେଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ। କୁନି ବୟସରେ ଏପରି ବଡ଼ପଣ ଦେଖାଇଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ହର୍ଷିତା ପଟ୍ଟନାୟକ। କୁମ୍ପି ଭାଙ୍ଗି ରିଲିଫ୍ ପାଣ୍ଠିକୁ ୪୧୯୧ ଟଙ୍କା ଦେବା ପରେ ହର୍ଷିତାଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ହର୍ଷିତାଙ୍କ କହିବାନୁଯାୟୀ, ଘରକୁ ଆସୁଥିବା ବନ୍ଧୁବର୍ଗ ଏବଂ ପରିବାର ଲୋକ ଦେଉଥିବା ଅର୍ଥକୁ ବହୁ ଦିନ ଧରି ସେ କୁମ୍ପିରେ ସଞ୍ଚୟ କରି ରଖିଥିଲେ। ଏକ ଗିୟର ସାଇକେଲ୍ କିଣିବାକୁ ଏହି ଟଙ୍କା ହର୍ଷିତା ସଞ୍ଚୟ କରି ରଖୁଥିଲେ। କରୋନା ମହାମାରୀ ଓଡ଼ିଶାକୁ ବ୍ୟାପିବା ପରେ ସାରା ରାଜ୍ୟରେ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। ମୁକାବିଲା ଲାଗି ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିବା ପରେ ସାରା ରାଜ୍ୟରୁ ବଢ଼ିଛି ସହାୟତାର ସୁଅ। ଯାହା ହର୍ଷିତାଙ୍କୁ ମଧ୍ୟ ପ୍ରଭାବିତ କରିଛି। ଆଜି ପରିବାର ଲୋକଙ୍କ ସହ ହର୍ଷିତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କୁମ୍ପି ଭାଙ୍ଗିବା ସହ ସେଥିରୁ ବାହାରିଥିବା ନଗଦ ଅର୍ଥକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଜରିଆରେ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ହର୍ଷିତାଙ୍କ ଏପରି ଉଦ୍ୟମ ଓ ନିଷ୍ଠାପଣକୁ ଜିଲ୍ଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
କୁନି ବୟସରେ ବଡ଼ପଣ : ସାଇକେଲ କିଣିବାକୁ ସଞ୍ଚୟ କରିଥିବା ଅର୍ଥକୁ ଦାନ କରିଦେଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ
/sambad/media/post_attachments/wp-content/uploads/2020/04/RGD_CM-Relief-Fund-ତ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)