ମହାମାରୀ ପରିଚାଳନାର ଡକ୍ୟୁମେଣ୍ଟ୍‌ ପ୍ରସ୍ତୁତ ହେବ

ଭବିଷ୍ୟତ ପାଇଁ ସଂରକ୍ଷିତ ରହିବ, କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସରଣ କରିବାକୁ ପରାମର୍ଶ

ଭୁବନେଶ୍ବର : କରୋନା ମହାମାରୀ ମାନବ ଜାତିର ଇତିହାସରେ ଏକ ଅଭାବନୀୟ ସଙ୍କଟ। ସରକାର ବିଭିନ୍ନ ଉପାୟରେ ଏହାର ମୁକାବିଲା କରିବା ସହ ସ୍ଥିତିକୁ ପରିଚାଳନା କରୁଛନ୍ତି। ଭବିଷ୍ୟତ ନିମନ୍ତେ ମହାମାରୀ ପରିଚାଳନା ସମ୍ବନ୍ଧିତ ଦସ୍ତାବିଜ୍(ଡକ୍ୟୁମେଣ୍ଟ୍‌) ପ୍ରସ୍ତୁତ କରାଯିବ। ଏଥି ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

କୋଭିଡ୍‌-୧୯ ମୁକାବିଲାରେ ଗ୍ରହଣ କରାଯାଇଥିବା ପଦ୍ଧତ୍ତି ଓ କୌଶଳଗୁଡ଼ିକ ବିଷୟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ସମୀକ୍ଷା କରିଥିଲେ। ଶ୍ରୀ ତ୍ରିପାଠୀ କହିଥିଲେ ଯେ କରୋନାର ପ୍ରକୃତି ଓ ଗତି ବହୁ ପ୍ରକାରର ରହିଛି। ଏହାର ମୁକାବିଲା ଓ ପରିଚାଳନା ସମ୍ବନ୍ଧିତ ଡକ୍ୟୁମେଣ୍ଟ୍‌ ଆଗାମୀ ଦିନରେ ଭାରତରେ ଜନସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଦୃଢ଼ୀଭୂତ କରିବ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସାଙ୍କେତିକ ମାର୍ଗଦର୍ଶିକା ଅନୁଯାୟୀ ଡକ୍ୟୁମେଣ୍ଟ୍‌ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ।

The Indian Express

ଜାତୀୟ ଓ ରା‌ଜ୍ୟ ସ୍ତରରେ ମହାମାରୀର ଆରମ୍ଭ, ତାହାର ମୁକାବିଲା ନିମନ୍ତେ ବିଭିନ୍ନ ଅବଧାରଣା ଓ କୌଶଳର ବିକାଶ, କୌଶଳର ପ୍ରୟୋଗ ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ, ପରାମର୍ଶ, ସଚେତନତା ସୃଷ୍ଟି, ଠିକ୍ ସୂଚନା ପ୍ରଦାନ, ଜନସାଧାରଣଭ୍‌ଖ ଆଶଙ୍କା ଓ ଭୟର ନିରାକରଣ, ନିୟମର କଡ଼ାକଡ଼ି ଅନୁପାଳନ, ଚିକିତ୍ସା ପାଇଁ ଭିତ୍ତିଭୂମି ସୃଷ୍ଟି, ଗୋଷ୍ଠୀ ସଂପୃକ୍ତି, ପରିଚାଳନା ଦିଗରେ ରହିଥିବା ସମସ୍ୟା ଓ ତାହାର ସମାଧାନ, ଉତ୍ତମ ପ୍ରାମାଣିକ ପଦ୍ଧତ୍ତି ଆଦି ବିଷୟ ଏହି ଡକ୍ୟୁମେଣ୍ଟ୍‌ରେ ସ୍ଥାନିତ କରାଯିବ। ଏହା ମୁଖ୍ୟତଃ ଦୁଇ ପ୍ରକାରର ପ୍ରସ୍ତୁତ କରାହେବ। ପ୍ରଥମଟି ହେଲା ନିର୍ଦ୍ଦେଶ, ନିଷ୍ପତ୍ତି ଓ ଆଦେଶ ଆଦିର ସଂକଳନ ଏବଂ ଦ୍ବିତୀୟଟି ହେଲା ପରିଚାଳନା ପ୍ରକ୍ରିୟାର ଦୃଶ୍ୟ ଓ ଶ୍ରାବ୍ୟ ତଥ୍ୟ। କରୋନା ପରିଚାଳନା ସହ ସଂପୃକ୍ତ ବିଭାଗମାନେ ନିଜ ନିଜ ବିଭାଗର କୌଶଳ ଓ ପଦକ୍ଷେପ, ସମସ୍ୟା ଓ ତାହାର ସମାଧାନ ଆଦି ବିଷୟରେ ଏକ ମୌଳିକ ଦସ୍ତାବିଜ ଜୁନ୍ ମାସ ଶେଷ ସୁଦ୍ଧା ପ୍ରସ୍ତୁତ କରିବା ସହ ପରିବର୍ତ୍ତିତ ସ୍ଥିତି ଅନୁଯାୟୀ ନିଆଯାଉଥିବା ନୂଆ ପଦକ୍ଷେପ ସେଥିରେ ଲିପିବଦ୍ଧ କରିବାକୁ କୁହାଯାଇଥିଲା।

ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ କୁମାର ଜେନା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ ସିଂହ, ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ କୁମାର ସିଂହ, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଶାଳିନୀ ପଣ୍ଡିତ, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜିତା ପଣ୍ଡା, ସ୍ବତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ ଏବଂ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର