ଭୁବନେଶ୍ବର : ରାପିଡ ଆଣ୍ଟିବଡି ପରୀକ୍ଷା ନ କରିବାକୁ ରାଜ୍ୟମାନଙ୍କୁ ନିର୍ଦେଶାବଳୀ ଜାରି କରିଛି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର)। ଆଜି ଆଇସିଏମ୍ଆର ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏ ସଂର୍ପକରେ ସୂଚନା ଦିଆଯାଇଛି। ବିଶେଷକରି ଚୀନ୍ର ଦୁଇଟି କମ୍ପାନିର ଆଣ୍ଟିବଡି କିଟ୍ ର ମାନ ଠିକ୍ ନଥିବାରୁ ଏଥିରେ ପରୀକ୍ଷା ନ କରିବାକୁ କୁହାଯାଇଛି। ତେଣୁ ଯେଉଁ ରାଜ୍ୟମାନେ ଚୀନ୍ର ଏହି ଦୁଇଟି କମ୍ପାନିରୁ କିଟ୍ ମଗାଇଥିଲେ ସେମାନେ ଫେରାଇ ଦେବାକୁ କୁହାଯାଇଛି।
ଆଇସିଏମ୍ଆର ପକ୍ଷରୁ କୁହାଯାଇଛି ଯେ ରାପିଡ ଆଣ୍ଟିବଡି କିଟ୍କୁ କେବଳ ତଦାରଖ ପାଇଁ ବ୍ୟବହାର କରାଯିବା ଲାଗି ନିର୍ଦେଶ ରହିଥିଲା। ଅନେକ ରାଜ୍ୟ ନିଜ ଆଡ଼ୁ ଏହି କିଟ୍ ଆଣିବା ଲାଗି କ୍ରୟାଦେଶ ଦେଇଥିଲେ। ଚୀନ୍ର ଗୁଆଙ୍ଗଝୁ ଓଣ୍ଡଫୋ ବାଇଓଟେକ୍ ଓ ଜୁଆଇ ଲିଭଜନ ଡାଏଗ୍ନୋଷ୍ଟିକ୍ ପକ୍ଷରୁ ଆସିଥିବା ରାପିଡ ଆଣ୍ଟିବଡି କିଟ୍ର ମୂଲ୍ୟାୟନ କରାଯାଇଥିଲା। ମାତ୍ର ଦୁଇଟି ପରୀକ୍ଷାରେ ଏହି ଦୁଇଟି କିଟ୍ ମଧ୍ୟରେ ଯଥେଷ୍ଟ ତାରତମ୍ୟ ରହିଛି। କୋଭିଡ ପରୀକ୍ଷା ପାଇଁ ଆଇସିଏମ୍ଆର ସବୁବେଳେ ନାକ ଓ ପାଟି ସ୍ବାବ୍ ନମୁନାର ଆରଟିପିସିଆର ପରୀକ୍ଷା ଉପରେ ଗୁରୁତ୍ବ ଦେଇଛ ଆସିଛି। ତେଣୁ ଯେଉଁ ରାଜ୍ୟମାନେ ଏହି ଦୁଇଟି କମ୍ପାନିରୁ ରାପିଡ୍ କିଟ୍ ଆଣିଛନ୍ତି ସେମାନେ ଏହାକୁ ଫେରାଇ ଦେବା ଲାଗି ପରିଷଦ ପକ୍ଷରୁ କୁହାଯାଇଛି।
ରାଜ୍ୟକୁ ପ୍ରାୟ ୬ହଜାର ରାପିଡ୍ ଆଣ୍ଟିବଡି କିଟ୍ ଆଇସିଏମ୍ଆର ପକ୍ଷରୁ ଯୋଗାଇ ଦିଆଯାଇଥିଲା। ରାଜଧାନୀରେ ୩ଦିନ ଧରି ଏହି ପରୀକ୍ଷା ହୋଇଥିବା ବେଳେ ପ୍ରାୟ ୫ହଜାର କିଟ୍ ବ୍ୟବହୃତ ହୋଇଛି। ତହିଁରେ କେତେଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତାହା ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ରାଜଧାନୀରେ ଆଣ୍ଟିବଡି ପରୀକ୍ଷାକୁ ଜୋରଦାର କରିବା ଲାଗି ରାଜ୍ୟ ଔଷଧ ନିଗମ ପକ୍ଷରୁ ୨.୫ ଲକ୍ଷ ରାପିଡ୍ ଆଣ୍ଟିବଡି କିଟ୍ ପାଇଁ କ୍ରୟାଦେଶ ଦିଆଯାଇଛି। ମାତ୍ର ଏହି କିଟ୍ ଏ ପର୍ଯ୍ୟନ୍ତ ଓଡ଼ିଶାରେ ପହଞ୍ଚି ନାହିଁ। ତେବେ ଆଇସିଏମ୍ଆର ପକ୍ଷରୁ ଆଣ୍ଟିବଡି ପରୀକ୍ଷା ପାଇଁ ମନା କରାଯିବା ପରେ ରାଜ୍ୟ ସରକାର ଏବେ ଏହି ପରୀକ୍ଷାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି। ଆଇସିଏମ୍ଆର ପକ୍ଷରୁ ଚୀନ୍ର ଯେଉଁ ଦୁଇଟି କମ୍ପାନିର ଆଣ୍ଟିବଡି କିଟ୍ ତ୍ରୁଟିପୂର୍ଣ୍ଣ ରହିଥିବା କୁହାଯାଇଛି, ରାଜ୍ୟ ସରକାର ସେହି କମ୍ପାନିର କିଟ୍ ମଗାଇଛନ୍ତି କି ଅନ୍ୟ କୌଣସି କମ୍ପାନିର ଆଣ୍ଟିବଡି କିଟ୍ ମଗାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଆଇସିଏମ୍ଆରର ପରବର୍ତୀ ନିର୍ଦେଶ ଆସିବା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଛନ୍ତି।