ପୁରୀ: କରୋନା କଟକଣାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଆସନ୍ତା ୬ ତାରିଖ ଅପରାହ୍ନ ୪ ଘଟିକା ଠାରୁ ୭ ତାରିଖ ସକାଳ ୯ ଘଟିକା ତଥା ନୀତିକାନ୍ତି ସମ୍ପର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଚନ୍ଦ୍ରଭାଗା ବୁଡ ପକାଇବା ନିମନ୍ତେ ଭିଡ ହେବା ସହ ସାମାଜିକ ଦୂରତ୍ବ ରକ୍ଷା ନିୟମ ଉଲଂଘନ ଏବଂ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି କଟକଣା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ନୀତିକାନ୍ତି ସହ ଜଡିତ ସେବାୟତ, ଦାୟିତ୍ବରେ ଥିବା ସରକାରୀ ଅଧିକାରୀ, ସ୍ଥାନୀୟ ଗଣାମଧ୍ୟମ ପ୍ରତିନିଧି ଏବଂ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ପ୍ରବେଶାନୁମତି ରହିବ । ଉପ ଜିଲ୍ଲାପାଳ ଭବତାରଣ ସାହୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉକ୍ତ ନିର୍ଦ୍ଦେଶନାମାର କଡାକଡି ପାଳନ ନିମନ୍ତେ ସଂପୃକ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସୂଚନାଯୋଗ୍ୟ, କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଚଳିତ ବର୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ଶ୍ରଦ୍ଧାର ବୁଡ଼ ପକାଇପାରିବେ ନାହିଁ। ଗତବର୍ଷ ମଧ୍ୟ ଚନ୍ଦ୍ରଭାଗା ବୁଡ଼ ଉପରେ ପ୍ରଶାସନ ରୋକ ଲଗାଇଥିଲା।