ଏଣିକି ଆଇସିଏମ୍ଆର୍ ଅନୁମତି ଲୋଡ଼ା ନାହିଁ, ଏମ୍ସ ନିର୍ଦ୍ଦେଶକ ଦେବେ
କିମ୍ସ, ସମ୍ ଓ ହାଇଟେକ୍ରେ ବି ହେବ ପରୀକ୍ଷା
ସମ୍ବଲପୁର : ଭିମ୍ସାର୍ରେ କୋଭିଡ୍-୧୯ ପରୀକ୍ଷଣ କେନ୍ଦ୍ର ସ୍ଥାପନ ପାଇଁ ଆଇସିଏମ୍ଆର୍ ଅନୁମତି ମିଳିବାରେ ବିଳମ୍ବ ହେବାରୁ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋର୍ଦାର ଚର୍ଚ୍ଚା ହେଉଛି। ଭିମ୍ସାର୍ରେ ଆଉ କୋଭିଡ୍ ପରୀକ୍ଷଣ ସମ୍ଭବ ନୁହେଁ ବୋଲି ଉଲ୍ଲେଖ କରି କିଛି ବ୍ୟକ୍ତି ଓ ସଂଗଠନ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଏହା ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ନିଜ ଆଡ଼ୁ ପ୍ରତିକ୍ରିୟା ରଖି ଏଭଳି ଆଶଂକା ଅମୂଳକ ବୋଲି କହିଛନ୍ତି।
‘ସମ୍ବାଦ’କୁ ଦେଇଥିବା ପ୍ରତିକ୍ରିୟାରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ବୁର୍ଲା ଭିମ୍ସାରରେ ନିଶ୍ଚିତ ଭାବେ କୋଭିଡ୍ ପରୀକ୍ଷଣ ହେବ। ଓଡ଼ିଶାର ସମସ୍ତ ମେଡିକାଲ୍ କଲେଜ୍ରେ କୋଭିଡ୍ ପରୀକ୍ଷା ପାଇଁ ଅନୁମତି ଦେବାକୁ ମୁଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲି। ବର୍ତ୍ତମାନ କେନ୍ଦ୍ର ସରକାର ଏଥିପାଇଁ ଥିବା ଗାଇଡ୍ଲାଇନ୍ରେ ପରିବର୍ତ୍ତନ କରିଛନ୍ତି। ଏବେ ଏଥିପାଇଁ ଆଉ ଆଇସିଏମ୍ଆର୍ର ଅନୁମତି ଲୋଡ଼ା ନାହିଁ। କେନ୍ଦ୍ର ସରକାର ଅନୁମତି ଦେବା ପାଇଁ ଏମ୍ସ ନିର୍ଦ୍ଦେଶକଙ୍କୁ ଅଧୀକୃତ କରିଛନ୍ତି। ଭିମ୍ସାର୍ରେ କୋଭିଡ୍ ପରୀକ୍ଷଣ ପାଇଁ ସମସ୍ତ ଯନ୍ତ୍ରପାତି ପହଞ୍ଚି ସାରିଛି। ଏସବୁ ଆସନ୍ତାକାଲି ସୁଦ୍ଧା ଲାଗିଯିବ। ବୁଧବାର ସ୍ବାସ୍ଥ୍ୟ ବିଭାଗ ଏମ୍ସକୁ ଏ ସଂପର୍କରେ ଲିଖିତ ଭାବେ ଜଣାଇଦେବ। ୨-୩ ଦିନ ଭିତରେ ବା ଅତି ବେଶୀରେ ସପ୍ତାହେ ମଧ୍ୟରେ ଭିମ୍ସାର୍ରେ କୋଭିଡ୍ ପରୀକ୍ଷା ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।
ରବିବାରଠାରୁ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ୍ କଲେଜ୍ରେ କୋଭିଡ୍ ପରୀକ୍ଷଣ ଆରମ୍ଭ ହୋଇ ସାରିଥିବା ସେ ସୂଚନା ଦେଇଛନ୍ତି। ତିନି ଘରୋଇ ମେଡିକାଲ୍ କଲେଜ୍ କିମ୍ସ, ସମ୍ ଓ ହାଇଟେକ୍ରେ କୋଭିଡ୍ ନମୁନା ପରୀକ୍ଷା ପାଇଁ ଅନୁମତି ଦେବେ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଆଗାମୀ ଦିନରେ ଏହି ତିନିଟି ମେଡିକାଲ୍ କଲେଜ୍ରେ ବି କୋଭିଡ୍ ପରୀକ୍ଷା ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଟିବି ପରୀକ୍ଷା ହେଉଥିବା ସିବିନେଟ୍ ମେସିନ୍ରେ ମଧ୍ୟ କୋଭିଡ୍ ପରୀକ୍ଷା ହୋଇପାରିବ। ତେଣୁ ଏଥି ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ଲେଖା ଯାଇଛି। ଅନୁମତି ମିଳିବା ପରେ ରାଜ୍ୟରେ ଲକ୍ଷଲକ୍ଷ ଲୋକଙ୍କର ନମୁନା ପରୀକ୍ଷଣ ସହଜରେ ଓ କମ୍ ସମୟ ମଧ୍ୟରେ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରବିବାର ଆଇସିଏମ୍ଆର୍ ପକ୍ଷରୁ କୋଭିଡ୍ ପରୀକ୍ଷଣ ପାଇଁ ଆଇଜିଏଚ୍ ରାଉରକେଲାକୁ ଅନୁମତି ମିଳିଥିଲା ବେଳେ ଭିମସାର୍କୁ ଅନୁମତି ପ୍ରଦାନ ସ୍ଥଗିତ ରଖା ଯାଇଥିଲା। ଆଇସିଏମ୍ଆର୍ର ୭ଟି ଯାକ ସର୍ତ୍ତ ପୂରଣ କରି ନଥିବାରୁ ଭିମସାର୍କୁ ଅନୁମତି ମିଳି ନଥିଲା। ଫଳରେ ଏହାକୁ ନେଇ ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।