ଭିମ୍‌ସାରରେ ଆଜିଠୁ କୋଭିଡ୍‌ ପରୀକ୍ଷା

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମୀକ୍ଷା, ପୁଲ୍‌ ଟେଷ୍ଟ ପ୍ରକ୍ରିୟାରେ ଦିନକୁ ୯୦ ନମୁନା ପରୀକ୍ଷା ହେବ

ସମ୍ବଲପୁର : ରବିବାରଠାରୁ ଭିମ୍‌ସାରରେ ହେବ କୋଭିଡ୍‌-୧୯ ରକ୍ତ ନମୁନା ପରୀକ୍ଷା। ରାଉରକେଲା ଏନ୍‌ଆଇଟିରୁ ଆର୍‌ଟିପିସିଆର୍‌ ମେସିନ୍‌ ଆସି ପହଞ୍ଚିବା ପରେ ପରୀକ୍ଷା ପାଇଁ ଭିମ୍‌ସାର କର୍ତ୍ତୃପକ୍ଷଙ୍କୁ ସବୁଜ ସଙ୍କେତ ମିଳିଛି। ପୁଲ୍‌ ଟେଷ୍ଟ ପ୍ରକ୍ରିୟାରେ ଦିନକୁ ୨ଟି ପର୍ଯ୍ୟାୟ‌ରେ ୯୦ଟି ରକ୍ତ ନମୁନା ପରୀକ୍ଷଣ କରାଯିବ। ଗୋଟିଏ ପର୍ଯ୍ୟାୟରେ ୪୫ଟି ଲେଖାଏଁ ନମୁନା ପରୀକ୍ଷା ହେବ। ଭିମ୍‌ସାର ଉପରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ରୋଗୀ ନିର୍ଭରଶୀଳ ଥିବାରୁ ଏହି ଅଞ୍ଚଳରୁ ଆସୁଥିବା ସ୍ବାବ୍‌ ଭିମ୍‌ସାରରେ ହିଁ ପରୀକ୍ଷା କରାଯିବ। ଏହି ପରୀକ୍ଷା ପାଇଁ ଭିମ୍‌ସାର କର୍ତ୍ତୃପକ୍ଷ ସମସ୍ତ ନିଯୁକ୍ତି ଓ ପ୍ରସ୍ତୁତି ଶେଷ କରିଥିବା ଜଣାପଡ଼ିଛି।

ଆର୍‌ଟିପିସିଆର୍‌ କୋଭିଡ୍‌ ରକ୍ତ ପରୀକ୍ଷାର ତଦାରଖ କରିବା ପାଇଁ ସରକାରଙ୍କ ପକ୍ଷରୁ କଟକ ଏସ୍‌ସିବିରୁ ପ୍ରଫେସର ଦେବୀପ୍ରସାଦ ମିଶ୍ରଙ୍କୁ ଭିମ୍‌ସାରକୁ ପଠାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଆଣ୍ଟିଜେନ୍‌ ପରୀକ୍ଷା କରାଯିବ ଓ ଖୁବ୍‌ଶୀଘ୍ର କିଭଳି ଆଣ୍ଟିବଡ଼ି ଏବଂ ରିପେଡ୍‌ ଟେଷ୍ଟ ହେବ ସେନେଇ ସରକାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।

ଏନେଇ ଶନିବାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଭିମ୍‌ସାର ଗସ୍ତ କରିବା ସହ କିଭଳି କୋଭିଡ୍‌ ପରୀକ୍ଷାକୁ ତ୍ବରାନ୍ବିତ କରାଯିବ ଓ ସମ୍ବଲପୁର କୋଭିଡ୍‌ ହସ୍ପିଟାଲ କିଭଳି କାର୍ଯ୍ୟକ୍ଷମ ହେବ ସେନେଇ ସମୀକ୍ଷା କରିଛନ୍ତି। ଏହି ସମୟରେ ଭିମ୍‌ସାର ଭାରପ୍ରାପ୍ତ ନିର୍ଦେଶକ ପ୍ରଫେସର ବର୍ଷା ଟୁଡୁ, ଅଧ୍ୟକ୍ଷ ପ୍ରଫେସର ବି.ଏମ୍‌.ମିଶ୍ର, ଅଧୀକ୍ଷକ ଡା.ଜୟଶ୍ରୀ ଦୋରା, କୋଭିଡ୍‌ର ନୋଡାଲ ଅଧିକାରୀ ଡା.ସୁଦର୍ଶନ ପୋଥାଳ, କନିଷ୍ଠ ଡାକ୍ତର ସଂଘ ସଭାପତି ଡା.ସଞ୍ଜିବ ମିଶ୍ର ଉପସ୍ଥିତ ଥିଲେ।

ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ଭିମ୍‌ସାରରେ ପହଞ୍ଚି କୋଭିଡ୍‌ ହସ୍ପିଟାଲ ଓ ପରୀକ୍ଷା କେନ୍ଦ୍ର ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ସେନେଇ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ସହ ଆଲୋଚନା କରିଥି‌ଲେ। ଭିମ୍‌ସାର କୋଭିଡ୍‌-୧୯ ପରୀକ୍ଷାଗାରରେ ପ୍ରଥମ ପର୍ଯ୍ୟାୟରେ ଦିନକୁ ୯୦ଟି ନମୁନା ପରୀକ୍ଷା ହେବାର କ୍ଷମତା ରହିଥିବା ସମୟରେ ଖୁବ୍‌ ଶୀଘ୍ର ଏନ୍‌ଆଇଟି ରାଉରକେଲାରୁ ଆଉ ୨ଟି ଆର୍‌ଟିପିସିଆର୍‌ ମେସିନ୍‌ ଆସିଲେ ଅଧିକ ସଂଖ୍ୟକ ନମୁନା ପରୀକ୍ଷା ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଅନ୍ୟପକ୍ଷରେ, ଭିମ୍‌ସାର ଆଇସୋଲେସନ୍‌ କେନ୍ଦ୍ରରେ ଡାକ୍ତରଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଥିବା ନେଇ ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ନେଇ ମନ୍ତ୍ରୀ ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଥିଲେ। ରାଜ୍ୟର ଅନ୍ୟ କୌଣସି କେନ୍ଦ୍ରରୁ ଏଭଳି ଅଭିଯୋଗ ଆସୁନଥିବା ସମୟରେ ଭିମ୍‌ସାରରେ କାହିଁକି ଏଭଳି ଅଭିଯୋଗ ଆସୁଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପଚାରିଥିଲେ। ମନ୍ତ୍ରୀ ଶ୍ରୀ ଦାସ ଆଇେସୋଲେସନ୍‌ କେନ୍ଦ୍ରରେ ମଧ୍ୟ ସ୍ଥିତି କଣ ରହିଛି, ସେନେଇ ଯାଞ୍ଚ କରିଥିଲେ। ଯେଉଁ ଡାକ୍ତର ଓ କର୍ମଚାରୀମାନେ କୋଭିଡ୍‌ ଡ୍ୟୁଟିରେ ରହିଛନ୍ତି ସେମାନଙ୍କର ରହିବା, ଯିବା ଆସିବା ସୁବିଧା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଏହାସହିତ କିଭଳି ଭାବେ ବାୟୋମେଡିକାଲ ସେଫ୍‌ଟି ଓ ଇନ୍‌ଫେକ୍‌ସନ ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ମନ୍ତ୍ରୀ ଭିମ୍‌ସାର କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ସେପଟେ, ଭିମ୍‌ସାରରେ ଲିଫ୍ଟ ଅଚଳ, ଏକ୍ସ-ରେ ମେସିନ୍‌ ଅଚଳ ହେବା ଘଟଣାକୁ ମନ୍ତ୍ରୀ ଶ୍ରୀ ଦାସ ଛୋଟ ଛୋଟ ଘଟଣା ବୋଲି କହିବା ସହ ଏଗୁଡ଼ିକର ସମାଧାନ ପାଇଁ ସରକାର ଉଦ୍ୟମରତ ବୋଲି କହିଥିଲେ।

ସମ୍ବନ୍ଧିତ ଖବର