ଭୁବନେଶ୍ବର : କୋଭିଡ୍-୧୯ ସମ୍ପର୍କିତ ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀ ଗୋଷ୍ଠୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ କୋଭିଡ୍ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ବାରା ଗ୍ରହଣ କରାଯାଇଥିବା ପୂର୍ବ ପ୍ରସ୍ତାବଗୁଡ଼ିକ ଆବଶ୍ୟକ ସଂଶୋଧନ ସହ ଅନୁମୋଦନ କରାଯାଇଥିଲା। ରାଜ୍ୟରେ କୋଭିଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଓ ପରୀକ୍ଷଣର ଆବଶ୍ୟକତା ଦୃଷ୍ଟିରୁ କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲାର ଭିମ୍ସାର, ପୁରୀସ୍ଥିତ ସଂକ୍ରାମକ ରୋଗ ନିରାକରଣ ହସ୍ପିଟାଲ ପାଇଁ ଅତିରିକ୍ତ ଗୋଟିଏ ଲେଖାଏ ଆର୍ଟିପିସିଆର୍ ମେସିନ୍ ଯୋଗାଇ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନୁଗୁଳ, ଝାରସୁଗୁଡ଼ା, କେନ୍ଦୁଝର ଓ କଳାହାଣ୍ଡି ଜିଲ୍ଲା ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଆବଶ୍ୟକ ଅର୍ଥ ବ୍ୟୟ ବରାଦରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ଜରିଆରେ ଆର୍ଟିପିସିଆର୍ ମେସିନ୍ ବ୍ୟବସ୍ଥା କରାଯିବ। ସେହିପରି କୋଭିଡ୍ ପରୀକ୍ଷା ନିମନ୍ତେ ଡିଏମ୍ଇଟିଙ୍କ ଅନୁମୋଦନ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୫ଟି ଟ୍ରୁନ୍ୟାଟ୍ ମେସିନ୍ କ୍ରୟ କରାଯିବ।
ରାଜ୍ୟରେ ଏବେ ୧୯ଟି ସରକାରୀ ଓ ୭ଟି ଘରୋଇ ଲ୍ୟାବ ମୋଟ ୨୬ଟି ଲ୍ୟାବ୍ ମାଧ୍ୟମରେ ଦିନକୁ ୬ ହଜାରରୁ ଅଧିକ କୋଭିଡ୍ ପରୀକ୍ଷା ହେଉଛି। ଆବଶ୍ୟକ ସ୍ଥଳେ କିଟ୍ ଟିବିଆଇ ଲ୍ୟାବ୍ରେ ପରୀକ୍ଷଣ ସଂଖ୍ୟା ବୃଦ୍ଧି କରାଯାଇପାରିବ।
ଭିଡିଓ କନ୍ଫରେନ୍ସିଂରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଲେ ଯେ ରାଜ୍ୟର ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ଚିକିତ୍ସାଳୟ ଓ ସହରାଞ୍ଚଳ ପ୍ରାଥମିକ ଚିକିତ୍ସାଳୟର ପଞ୍ଜୀକରଣ କେନ୍ଦ୍ରରେ ଇନ୍ଫ୍ରାରେଡ୍ ଥର୍ମୋମିଟରର ବ୍ୟବସ୍ଥା କରାଯିବା ଦରକାର। ଏଠାରେ ନାମ ପଞ୍ଜୀକରଣ ସମୟରେ ଶରୀରର ତାପମାତ୍ରାକୁ ରେକର୍ଡ କରାଯାଇପାରିବ। ଫଳରେ େଯଉଁ ରୋଗୀଙ୍କ ଠାରେ ଅଧିକ ତାପମାତ୍ରା ପରିଲକ୍ଷିତ ହେବ, ପରବର୍ତ୍ତୀ ସମୟରେ ସେମାନଙ୍କୁ ସ୍ବତନ୍ତ୍ର ଭାବେ କୋଭିଡ୍ ହସ୍ପିଟାଲ୍କୁ ଅଧିକ ପରୀକ୍ଷା ନିମନ୍ତେ ପଠାଯାଇ ପାରିବ। ଆୟୁଷ ନିର୍ଦ୍ଦେଶକ ବଜାରରେ ବିକ୍ରି ହେଉଥିବା କୋଭିଡ୍-୧୯ର ସମସ୍ତ ଆୟୁର୍ବେଦିକ ଔଷଧଗୁଡ଼ିକୁ ନୀରିକ୍ଷଣ କରି ତାର ଗୁଣବତ୍ତା, କାର୍ଯ୍ୟଦକ୍ଷତା ଓ ପ୍ରକୃତ କାର୍ଯ୍ୟକାରିତାଗୁଡ଼ିକୁ ସୁନିଶ୍ଚିତ କରିବା ଦରକାର। ବଜାରରେ ମିଳୁଥିବା ଆୟୁର୍ବେଦିକ ଉତ୍ପାଦଗୁଡ଼ିକ ମଧ୍ୟରେ କିଛି ଭେଜାଲ ଓ ସ୍ବାସ୍ଥ୍ୟ ପ୍ରତି ହାନୀକାରକ ଔଷଧ ମିଳୁଥାଇପାରେ। ଏଗୁଡ଼ିକୁ ଚଢ଼ାଉ କରି ତା’ର ପରୀକ୍ଷା ନିରୀକ୍ଷା କରିବା ଦରକାର। ଜିଲ୍ଲା ସ୍ତରରେ ମଧ୍ୟ ଏସବୁ ତନଖି କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିବା ଦରକାର।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ଲୋକଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଏହାର ବହୁଳ ପ୍ରଚାର ଓ ପ୍ରସାର କରାଯିବା ଦରକାର। ନେଚରପାଥି, ଆୟୁର୍ବେଦ ଓ ହୋମିଓପାଥି ସ୍ପେସିଆଲିଷ୍ଟଙ୍କୁ ନେଇ ପ୍ରାକୃତିକ ମାଧ୍ୟମରେ ଲୋକଙ୍କ ମଧ୍ୟରେ କିପରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରିବ, ତାହାର ନିୟମାବଳୀ ପ୍ରସ୍ତୁତ କରାଯିବା ଉପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।
ଭିଡିଓ କନ୍ଫରେନ୍ସିଂରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।