ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ଓଭରଲୋଡ୍‌, କେତେଦିନରେ ଆସୁଛି କୋଭିଡ ନମୁନା ରିପୋର୍ଟ?

ରିପୋର୍ଟ ନ ଆସିବା ଯାଏଁ ସନ୍ଦିଗ୍ଧ ପୃଥକବାସରେ ରହି‌ବେ

ଭୁବନେଶ୍ବର: ରାଜ୍ୟରେ କୋଭିଡ ନମୁନା ରିପୋର୍ଟ ଆସିବା ପାଇଁ ପ୍ରକୃତରେ କେତେ ଦିନ ଲାଗୁଛି ? ଯେଉଁଦିନ ନମୁନା ସଂଗ୍ରହ କରାଯାଉଛି ତାହାର ରିପୋର୍ଟ ପ୍ରାୟତଃ ୪୮ଘଣ୍ଟା ଭିତରେ ଆସୁ ନ ଥିବା ନଜରକୁ ଆସିଛି। ଯାହାଫଳରେ ସନ୍ଦିଗ୍ଧମାନେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ରହିଥିବା ଭାବି ଅନ୍ୟମାନଙ୍କ ସହିତ ମିଳାମିଶା କରୁଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କେତେ ଦିନ ଭିତରେ ରିପୋର୍ଟ ଆସିବ ତାହା ସ୍ପଷ୍ଟ କରାଯାଇ ନ ଥିବାରୁ ତାହା ଲୋକମାନଙ୍କୁ ଚିନ୍ତାରେ ପକାଇଛି। ଅପରପକ୍ଷରେ ରାଜ୍ୟରେ ଏବେ ହଜାର ହଜାର କୋଭିଡ ନମୁନା ପରୀକ୍ଷା ପାଇଁ ଆସୁଛି। ଯାହାଫଳରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନମୁନା ଓଭରଲୋଡ୍‌ ହୋଇଗଲାଣି। ତେଣୁ ନମୁନା ରିପୋର୍ଟ ଆସିବା ଲାଗି ଅତିକମ୍‌ରେ ୨/୩ ଦିନ ଲାଗୁଛି। ତେଣୁ ପରୀକ୍ଷା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେମାନେ କାହା ସହ ମିଳାମିଶା କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡା.ଜୟନ୍ତ ପଣ୍ଡା।

ଗତ ୧୯ତାରିଖରେ ଜଗତସିଂହପୁର ପ୍ରଶାସନ ପକ୍ଷରୁ ଏକ ଟ୍ବିଟ୍ କରାଯାଇଥିଲା। ଏଥିରେ ୧୬ତାରିଖରେ ଜିଲ୍ଲାରୁ ସଂଗୃହୀତ ନମୁନା ମଧ୍ୟରୁ ବଳି ପଡ଼ିଥିବା କିଛି ନମୁନା ରିପୋର୍ଟ ପଜିଟିଭ୍ ରହିଥିବା କୁହାଯାଇଥିଲା। ଯଦିଓ ସଂଗୃହୀତ ନମୁନା ସଙ୍ଗରୋଧ କେନ୍ଦ୍ରରୁ ରହିଥିଲା, ତେଣୁ ଯେଉଁମାନେ ପଜିଟିଭ୍ ଚିହ୍ନଟ ହୋଇଥିଲେ ସେମାନଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସଙ୍ଗରୋଧ କେନ୍ଦ୍ର ବାଦ୍ ବି ରାଜ୍ୟରେ ପ୍ରତ୍ୟେକ ଦିନ ଶହ ଶହ ନମୁନା ସଂଗ୍ରହ କରାଯାଉଛି। ନମୁନା ସଂଗ୍ରହ କରାଯାଉଥିବା ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘରେ ସଙ୍ଗ‌ରୋଧରେ ରହିବା ଲାଗି କୁହାଯାଉଛି। ମାତ୍ର ସେମାନଙ୍କ ରିପୋର୍ଟ ପଜିଟିଭ୍ କିମ୍ବା ନେଗେଟିଭ୍ ରହିଛି ଅଧିକାଂଶ ଲୋକାଙ୍କ କ୍ଷେତ୍ରରେ ତାହା ୨ଦିନ ଭିତରେ ସ୍ପଷ୍ଟ କରାଯାଉ ନ ଥିବାରୁ ସେମାନେ ନିଜ ରିପୋର୍ଟ ନେ‌ଗେଟିଭ୍ ରହିଥିବା ଧରି ନେଉଛନ୍ତି। ଯାହାଫଳରେ ସେମାନେ ବାହାରେ ଅନ୍ୟମାନଙ୍କ ସହ ମିଳାମିଶା କରିବାକୁ ପଛାଉ ନାହାନ୍ତି। ଏଭଳି ପରିସ୍ଥିତିରେ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

ଡା.ପଣ୍ଡାଙ୍କ କହିବା ମୁତାବକ, ପୂର୍ବରୁ ରାଜ୍ୟରେ କମ୍ ପଜିଟିଭ୍ ଚିହ୍ନଟ ହେଉଥିଲେ। ଯେଉଁମାନେ ପଜିଟିଭ୍ ଚିହ୍ନଟ ହେଉଥିଲେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂରେ ଯେଉଁମାନେ ଆସୁଥିଲେ ସେମାନଙ୍କ ନମୁନା ପରୀକ୍ଷା କରାଯାଉଥିଲା। ମାତ୍ର କିଛିଦିନ ଭିତରେ ରାଜ୍ୟକୁ ପ୍ରବାସୀ ଓଡ଼ିଆ ଆସିବା ଫଳରେ ସଙ୍ଗରୋଧ କେନ୍ଦ୍ର ଏବେ ପୂରି ଗଲାଣି। ଏସବୁ କେନ୍ଦ୍ରରୁ ଏବେ ହଜାର ହାଜର ସଂଖ୍ୟାରେ ସ୍ବାବ୍ ସଂଗ୍ରହ କରାଯାଉଛି। ଏହାସହ ସଙ୍ଗରୋଧ କେନ୍ଦ୍ର ବାଦ୍ ଯେଉଁମାନେ ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟ ନମୁନା ପରୀକ୍ଷା କରାଯାଉଛି। ରାଜ୍ୟର ଯେଉଁ ଯେଉଁ ଜିଲ୍ଲାରେ କୋଭିଡ ନମୁନା ପରୀକ୍ଷା କେନ୍ଦ୍ର ରହିଛି ସେଠାକୁ ନମୁନା ପହଞ୍ଚିବାକୁ ସମୟ ଲାଗୁଛି। ଏହାସହ ଆରଟି-ପିସିଆର ପରୀକ୍ଷା ଏକ ଜଟିଳ ପରୀକ୍ଷା। ଏହାର ରିପୋର୍ଟ ଆସିବା ଲାଗି ୮/୧୦ଘଣ୍ଟା ସମୟ ଲାଗୁଛି। ସବୁ କେନ୍ଦ୍ରରେ ଏବେ ୩ଟି ସିଫ୍‌ଟରେ ଏବେ ପରୀକ୍ଷା କରାଯାଉଛି। ତଥାପି ସବୁ ନମୁନା ପରୀକ୍ଷା କରିବା ସମ୍ଭବ ହେଉନାହିଁ। ଯେଉଁ ନମୁନା ବଳିପଡ଼ୁଛି ସେଗୁଡ଼ିକୁ ଡିପଫ୍ରିଜ୍‌ରରେ ରଖାଯାଉଛି। ନମୁନା ପରୀକ୍ଷା କେନ୍ଦ୍ର ପାଖରେ ଥିବା ଲୋକଙ୍କ ରିପୋର୍ଟ ଆସିବା ପାଇଁ ୨ଦିନ ଆସୁଥିବା ବେଳେ ଅନ୍ୟମାନଙ୍କ ପାଇଁ ୩ଦିନ ସମୟ ଲାଗୁଛି। ଏହାସହ ଯେଉଁ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେଉଛନ୍ତି ତାହାକୁ ପୁନର୍ବାର ପରୀକ୍ଷା କରାଯାଉଛି। ରାଜ୍ୟରେ ଯାହା ବି ନମୁନା ସଂଗ୍ରହ କରାଯାଉଛି ତାହାକୁ କେନ୍ଦ୍ର ସରକାରଙ୍କୁ ପଠାଯାଉଛି। ରାଜ୍ୟରେ ଏବେ ସର୍ବାଧିକ ୫ହଜାର ନମୁନା ପରୀକ୍ଷା କରାଯାଉଛି। ଆସନ୍ତା ଜୁନ୍‌ ମାସରେ ରାଜ୍ୟରେ ୧୫ହଜାର ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି। ତେଣୁ ଯେଉଁମାନଙ୍କର କରୋନା ସନ୍ଦେହରେ ନମୁନା ସଂଗ୍ରହ କରାଯାଉଛି ସେମାନଙ୍କୁ ସଙ୍ଗରୋଧ କିମ୍ବା ପୃଥକବାସରେ ରହିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। ଘରେ ବି ସଙ୍ଗରୋଧ ପାଇଁ ଅନୁମତି ରହିଛି। ଏଥିପାଇଁ ସେମାନଙ୍କୁ ଅଣ୍ଡରଟେକିଂ ନିଆଯାଉଛି, ପଡ଼ୋଶୀମାନଙ୍କୁ ମଧ୍ୟ ସେମାନଙ୍କ ଉପରେ ନଜର ରହିବା ଲାଗି କୁହାଯାଉଛି। ମାତ୍ର କିଛି ଲୋକ ଏହାକୁ ମାନୁ ନାହାନ୍ତି, ଲୋକମାନେ କରୋନାର ଭୟା୍ବହତାକୁ ବୁଝିବା ଦରକାର ବୋଲି ଡା.ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର