ଝାରସୁଗୁଡ଼ାରେ କରୋନା ପରୀକ୍ଷଣ ଆରମ୍ଭ

ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ଜିଲ୍ଲା କୋଭିଡ ହସ୍ପିଟାଲ ପରିସରରେ ଥିବା ପୁରାତନ ଚକ୍ଷୁ ୱାଡ଼ ପରିସରରେ କରୋନା ରୋଗୀଙ୍କ ସ୍ୱାବ ନମୁନା ପରୀକ୍ଷଣର ଶୁଭାରମ୍ଭ କରାଯାଇଛି । ଜିଲ୍ଳାରେ ପ୍ରଥମ କରି ଆଜି ଅତ୍ୟାଧୁନିକ ଆର୍‌ଟିପିସିଆର୍‌ ଯନ୍ତ୍ର ସାହାଯ୍ୟରେ କରୋନା ରୋଗୀଙ୍କ ସଂଗୃହୀତ ସ୍ୱାବ ନମୁନା ପରୀକ୍ଷଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ରୋଗୀଙ୍କ ସ୍ୱାବ ନମୁନା ଟ୍ରାଏଲ ବେସିସରେ ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଥିଲା। ଉପରୋକ୍ତ ଟେଷ୍ଟ୍‌ ଦୁଇଟି ନେଗେଟିଭ ଥିବା ଜଣାପଡିଛି । ସମସ୍ତ ଫଳାଫଳ ସଠିକ ଆସିବାରୁ ଏହାର ପରୀକ୍ଷଣ ସଫଳ ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ରୋଗୀଙ୍କ ସ୍ୱାବ ନମୁନା ଏଠାରୁ ସଂଗ୍ରହ କରାଯିବା ସହ ଏଠାରେ ପରୀକ୍ଷଣ କରାଯିବ ବୋଲି ଜଣାପଡିଛି । ଆଉ ଦୁଇ ତିନି ଦିନ ମଧ୍ୟରେ ସ୍ୱାବ ନମୁନା ପରୀକ୍ଷଣର ସଂଖ୍ୟା ବଢ଼ାଇବାର ଯୋଜନା ସ୍ବାସ୍ଥ୍ୟ ବିଭାଗର ରହିଛି ବୋଲି ଜଣାଯାଇଛି।

ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା. ଡୋଳାମଣି ପଟେଲ କହିଛନ୍ତି ଯେ, ଏହାକୁ ଟ୍ରୁନେଟ୍‌ ସ୍କ୍ରିନିଂ ଟେ‌ଷ୍ଟ କୁହାଯାଏ। ଏହି ମେସିନରେ ଘଣ୍ଟାକୁ ୮ ଗୋଟି ଟେଷ୍ଟ ହିସାବରେ ଦୈନକ ୬୪ ଟି ଟେଷ୍ଟ କରାଯାଇ ପାରିବ। ତେବେ ଏଥିରେ ଆସିଥିବା କର୍ମଚାରୀ ନୂଆଁ ହୋଇଥିବାରୁ ଏହା ଧିରେ ଧିରେ ବୃଦ୍ଧି କରାଯିବା। ଆଜି ମୋଟ ୨୨ ଗୋଟି ସ୍ବାବ୍‌ ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୨ ଟା ଟେ‌ଷ୍ଟ ସଫଳତାର ସହିତ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ କରୋନା ସ୍ୱାବ୍‌ ନମୁନା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର କୁ ପ୍ରତିଦିନ ପଠାଯାଉଥିଲା । ଏଥିପାଇଁ ପ୍ରତିଦିନ ଗୋଟିଏ ସ୍ୱତନ୍ତ୍ର ଗାଡି ଭୁବନେଶ୍ବରକୁ ସ୍ୱାବ୍‌ ନମୁନା ଧରି ଯାଉଥିଲା ଏବଂ ସେଠାରେ ଏହା ଦେଲା ପରେ ଗାଡି ଫେରୁଥିଲା ।

ସମ୍ବନ୍ଧିତ ଖବର