ଭୁବନେଶ୍ବର: ଗତକାଲି ରାଜ୍ୟରେ ୪ଜଣ ଓ ଆଜି ଆଉଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷାରେ ଏମାନେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି। ଫଳରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ତହିଁରୁ ୫ଜଣ ଘରୋଇ ଓ ଜଣେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗତକାଲି ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ଜଣେ ମହିଳା। ସେହିପରି ଆଜି ଏକ ଘରୋଇ ଲ୍ୟାବ୍‌ରେ ଜଣେ ବ୍ୟକ୍ତି ପରୀକ୍ଷା କରିଥିଲେ ଓ ତାଙ୍କ ନମୁନା ମଧ୍ୟ ପଜିଟିଭ୍ ଆସିଛି। ଆକ୍ରାନ୍ତଙ୍କ ଭିତରେ ଜଣେ ବ୍ୟକ୍ତି ଜଟଣୀର ରହିଛନ୍ତି। ସେ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ନମୁନାଗୁଡ଼ିକୁ ଆରଟି-ପିସିଆର ପରୀକ୍ଷା ପାଇଁ ଆରଏମ୍‌ଆରସିକୁ ପଠାଯାଇଛି। 

Advertisment

ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି
ପ୍ରଥମ ବ୍ୟକ୍ତି କରୋନାର ଜେଏନ୍‌.୧ ପ୍ରଜାତିରେ ଆକ୍ରାନ୍ତ

ଅପରପକ୍ଷରେ ରାଜ୍ୟରେ ଚଳିତ ବର୍ଷର ପ୍ରଥମ କରୋନା ଆକ୍ରାନ୍ତଙ୍କ ନମୁନା ଜିନ୍ ଅନୁଶୀଳନ ପାଇଁ ପଠାଯାଇଥିଲା। ସେ ଜେଏନ୍‌.୧ ପ୍ରଜାତିରେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ପ୍ରଜାତି ୨୦୨୩ ଅଗଷ୍ଟରେ ଚିହ୍ନଟ ହୋଇଥିଲା। ଏହା ଓମିକ୍ରନ୍‌ର ଏକ ଉପପ୍ରଜାତି; ସେତେଟା ଘାତକ ନୁହେଁ। ଏଥିରେ ମଧ୍ୟମ ଧରଣର ଜ୍ବର, କାଶ ଓ ଥଣ୍ଡା ହୋଇଥାଏ। ତେବେ ବୟସ୍କ ଓ ଏକାଧିକ ଜଟିଳ ରୋଗ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଘାତକ ହୋଇପାରେ। ତେଣୁ ଏହି ବର୍ଗର ଲୋକମାନେ କୋଭିଡ୍‌ ନିର୍ଦ୍ଦେଶାବଳୀକୁ ପାଳନ କରିବାର ଆବଶ୍ୟକତା ରହିଛି। ସେହିପରି ପୂର୍ବ କୋଭିଡ ମହାମାରୀ ସମୟରେ ରାଜ୍ୟର ପ୍ରତି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଆରଟିପିସିଆର ଲ୍ୟାବ୍ ପ୍ରତିଷ୍ଠା ହୋଇଥିଲା। ୨-୩ବର୍ଷ ହେବ କୋଭିଡ୍‌ ରୋଗୀ ଚିହ୍ନଟ ହେଉ ନ ଥିବାରୁ ଏହି ଲ୍ୟାବ୍‌ଗୁଡ଼ିକ ଏକପ୍ରକାର ଅଚଳ ଅବସ୍ଥାରେ ରହିଛି। ଏବେ ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ତରଫରୁ ଆବଶ୍ୟକ କିଟ୍‌ ଯୋଗାଇ ଦେବା ଲାଗି ରାଜ୍ୟ ଔଷଧ ନିଗମକୁ ପତ୍ର ଜାରି ହୋଇଥିଲା। ଏହାଭିତରେ ନିଗମ କେତେ କିଟ୍‌ ଯୋଗାଇଛି ତାହା ସ୍ପଷ୍ଟ ହୋଇନାହିଁ। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି, ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କାଁ ଭାଁ ବାହାର ରାଜ୍ୟରୁ ଆସିଛନ୍ତି। ସବୁ ଆକ୍ରାନ୍ତ ସୁସ୍ଥ ଅଛନ୍ତି। ପ୍ରଥମ ଆକ୍ରାନ୍ତ ଚିରାଚରିତ ଜେଏନ୍‌.୧ ପ୍ରଜାତିରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ଜିଲ୍ଲାସ୍ତରରେ ଆରଟିପିସିଆର ଲ୍ୟାବ୍‌କୁ କାର୍ଯ୍ୟକ୍ଷମ କରିବା ଲାଗି ଆଜି ଜିଲ୍ଲାମାନଙ୍କ ସହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏବେ ୨୦୨୨ ମସିହା ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ ହେଉଛି ବୋଲି ଡା.ମିଶ୍ର କହିଛନ୍ତି। ରାଜ୍ୟରେ ଆରଟିପିସିଆର ଲ୍ୟାବ୍ କାର୍ଯ୍ୟକ୍ଷମ ହେବା ନେଇ ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍‌ ‘ସମ୍ବାଦ’କୁ କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି। ଭୟଭୀତ ହେବାର କାରଣ ନାହିଁ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପଦକ୍ଷେପ ନିଆଯିବ।