ଜିଲ୍ଲାରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ବର : ଓଡ଼ିଶାରେ ଏବେ କରୋନାର ଦୁଇ ଦୁଇଟି ଟିକା। ଗୋଟିଏ ସେରମ୍ ଇନଷ୍ଟିଚ୍ୟୁଟ୍‌ରୁ ଆସିଥିବା ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ୍‌’। ଗତକାଲି ‘କୋଭିସିଲ୍ଡ’ର ୪ଲକ୍ଷ ୮ହଜାର ଡୋଜ୍ ଆସିଥିବା ବେଳେ ଆଜି ହାଇଦ୍ରାବାଦ୍‌ରୁ ‘କୋଭାକ୍ସିନ୍‌’ର ୨୦ହଜାର ଡୋଜ୍ ଓଡ଼ିଶାରେ ପହଞ୍ଚିଛି। ଟିକା ଭୁବନେଶ୍ବର ରାଜ୍ୟ ଟିକା ଭଣ୍ଡାରରେ ରହିଥିବା ବେଳେ ଏବେ ଜିଲ୍ଲାକୁ ପଠାଯିବା କାମ ଆରମ୍ଭ ହୋଇଛି। ଏକାଧିକ ଜିଲ୍ଲାରେ ଟିକା ପହଞ୍ଚି ସାରିଲାଣି।

ପ୍ରଥମ ପର୍ଯ୍ୟାୟରେ କେଉଁ ଜିଲ୍ଲାରେ କେତେ ହିତାଧିକାରୀଙ୍କୁ କରୋନା ଟିକା ଦିଆଯିବ ରାଜ୍ୟ ସରକାର ତାହାର ତଥ୍ୟ ପ୍ରଦାନ କରିଛନ୍ତି। କଟକ, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାକୁ ସର୍ବାଧିକ ଟିକା ଦିଆଯାଇଛି। ଦେବଗଡ଼ ଜିଲ୍ଲାରେ ହିତାଧିକାରୀଙ୍କ ସଂଖ୍ୟା କମ୍ ଥିବା ଦୃଷ୍ଟିରୁ ସେଠାକୁ କମ୍ ସଂଖ୍ୟକ ଟିକା ଦିଆଯାଇଛି। ଅପରପକ୍ଷରେ ଭୁବନେଶ୍ବର ମହାନଗର ନିଗମରେ କେବଳ ‘କୋଭାକ୍ସିନ୍‌’ ଟିକା ପ୍ରଦାନ କରାଯିବ। ଏହିଭଳି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୧ଲକ୍ଷ ୯୨ହଜାର ୫୫୫ ହିତାଧିକାରୀ ଟିକା ପାଇବେ।

ଆସନ୍ତା ୧୬ତାରିଖରେ ଓଡ଼ିଶା ସମେତ ଦେଶବ୍ୟାପୀ ଟିକାକରଣ ଆରମ୍ଭ ହେବ। ପଞ୍ଜୀକରଣ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟାକୁ ଦେଖି ସେହି ଅନୁସାରେ ଜିଲ୍ଲାକୁ ଟିକା ପଠାଯିବାର ବ୍ୟବସ୍ଥା କରାଯାଇଛି। ଟିକାକରଣ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୬୦ଟି କେନ୍ଦ୍ର ଚିହ୍ନଟ କରାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ୧୦୦ଜଣଙ୍କୁ ଟିକା ପ୍ରଦାନ କରାଯିବା ଲାଗି ସ୍ଥିର ହୋଇଛି। ରାଜ୍ୟକୁ ଯେତିକି କରୋନା ଟିକାର ଡୋଜ୍ ଆସିଛି ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ୫୦ ପ୍ରତିଶତ ଡୋଜ୍‌କୁ ବିଭିନ୍ନ ଜିଲ୍ଲାକୁ ପଠାଯିବ। ବଳକା ଟିକାକୁ ୨୮ଦିନ ପରେ ଦିଆଯିବାକୁ ଥିବା ଦ୍ବିତୀୟ ଡୋଜ୍‌ ସମୟରେ ଦିଆଯିବ।

ରାଜ୍ୟ ସରକାର ବୟସ୍କ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଅଧିକ ଗୁରୁତ୍ବ ଦେଇଛନ୍ତି। ରାଜ୍ୟରେ ହିତାଧିକାରୀଙ୍କ ସଂଖ୍ୟା ୩.୩୩ଲକ୍ଷ ଥିବା ବେଳେ ଆଜି ଏହି ସଂଖ୍ୟାରେ ବୃଦ୍ଧି ହୋଇଛି। ସମୁଦାୟ ୩ଲକ୍ଷ ୩୮ହଜାର ୭୭୭ ହିତାଧିକାରୀଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଆଜି ‌ପଞ୍ଜୀକରଣର ଶେଷ ତାରିଖ ରହିଥିବାରୁ ଏହି ସଂଖ୍ୟାରେ ଆଉ ବୃଦ୍ଧି ହେବ ନାହିଁ ବୋଲି କହିଛନ୍ତି ରାଜ୍ୟ ଟିକାକରଣର ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ। ସବୁ ଜିଲ୍ଲାକୁ ଟିକା ପଠାଇ ଦିଆଯାଇଥିବା ବେ‌ଳେ ଆସନ୍ତାକାଲି ସକାଳ ସୁଦ୍ଧା ସବୁ ଜିଲ୍ଲାରେ ଟିକା ପହଞ୍ଚିଯିବ ବୋଲି ସେ ସୂଚନା ଦେଇଛନ୍ତି।

ରାଜ୍ୟକୁ ଯେତିକି ଟିକା ଆସିଛି ତାହିଁରୁ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୨ହଜାର ୫୫୫ ହିତାଧିକାରୀଙ୍କୁ ଟିକା ଦିଆଯାଇ ପାରିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିରେ କଟକ ଜିଲ୍ଲାରେ ସର୍ବାଧିକ ୧୭,୧୯୦, ଗଞ୍ଜାମ ୧୫୧୨୦, ମୟୂରଭଞ୍ଜ ୧୦,୭୧୦, ସୁନ୍ଦରଗଡ଼ ୯୯୪୫ ଓ ଭୁବନେଶ୍ବରରେ ୯ହଜାର ଟିକା ଡୋଜ୍ ଦିଆଯାଇଛି। ଅନ୍ୟ ଜିଲ୍ଲାକୁ ମଧ୍ୟ ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମୀଙ୍କ ଅନୁଯାୟୀ ଟିକା ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲ ଓ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ‌ରେ ଟିକାଦାନ ସଂପର୍କରେ ଫିଡ୍‌ବ୍ୟାକ୍ ନେବା ପାଇଁ ଟୁ ୱେ କମ୍ୟୁନିକେସନ୍‌ର ବ୍ୟବସ୍ଥା କରାଯାଇଛି। ଯାହାଫଳରେ କେନ୍ଦ୍ର ସରକାର ଟିକାଦାନ ସଂପର୍କରେ ତଥ୍ୟ ନେଇପାରିବେ।

ସମ୍ବନ୍ଧିତ ଖବର