ବୃଦ୍ଧ ବାପା ଜିତିଗଲେ, ଡାକ୍ତର ପୁଅ ପାରିଲେନି; ସମ୍ବଲପୁରରେ କରୋନା ଆକ୍ରାନ୍ତ ଡାକ୍ତରଙ୍କ ମୃତ୍ୟୁ

ସଂକ୍ରମିତ ଡାକ୍ତରଙ୍କ ଯତ୍ନ ନିଆଯାଉ: ଓମ୍‌ସା

ସାତ ଦିନ ତଳେ ମା’ ବି ଆଖି ବୁଜିଥିଲେ
୨ ଦିନ ତଳେ ସୁସ୍ଥ ହୋଇ ଫେରିଥିଲେ ବାପା
ଚିକିତ୍ସାରେ ଅବହେଳା ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ହୀରାକୁଦ ଇଏସ୍‌ଆଇ ମେଡିକାଲରେ କାର୍ଯ୍ୟରତ ଡାକ୍ତର କୁଳମଣି ସୁନା (୪୭)ଙ୍କ କରୋନାରେ ମୃତ୍ୟୁ ଘଟିଛି। କରୋନା ପଜିଟିଭ୍‌ ଚିହ୍ନଟ ପରେ ଗତ ୮ ଦିନ ଧରି ସେ ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗୁରୁବାର ସକାଳୁ ତାଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ଜଣେ ଡାକ୍ତର ମୃତ୍ୟୁବରଣ କରିବାର ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ୭ ଦିନ ତଳେ ଏହି ଡାକ୍ତରଙ୍କ ମା’ ମଧ୍ୟ କୋଭିଡ୍‌ ହସ୍ପିଟାଲ‌ରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ତେବେ ତାଙ୍କ ବାପା ଦୁଇ ଦିନ ତଳେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଘରକୁ ଫେରିବା ବେଳେ ‘ମୋ ପୁଅ ଲାଗିଲା, ଶୀଘ୍ର ତାକୁ ଭଲ କରି ଘରକୁ ପଠାଇବେ’ ବୋଲି ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ଫେରିବା ବେଳେ ଏହି ଡାକ୍ତରଙ୍କ ବାପା କୋଭିଡ୍‌ ହସ୍ପିଟାଲ ଡାକ୍ତରମାନଙ୍କୁ କହିଥିଲେ। କିନ୍ତୁ ଦୁଇ ଦିନ ପରେ ଡାକ୍ତରଖାନାରୁ ତାଙ୍କ ମରଶରୀର ଫେରିଲା। ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶଶୀଭୂଷଣ ପଟେଲ ଓ କୋଭିଡ୍‌ ଡାକ୍ତରଖାନାର କର୍ମଚାରୀମାନେ ମୃତ ଡାକ୍ତରଙ୍କୁ ଶ୍ରଦ୍ଧା‌ଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଶୋକାକୁଳ ପରିବେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଘାଟଠାରେ ତାଙ୍କର ଶେଷକୃତ୍ୟ କରାଯାଇଛି।

ଏବେ ପଶ୍ଚିମ ଓଡ଼ିଶାର ଅନ୍ୟତମ ହଟ୍‌ସ୍ପଟ୍‌ ପାଲଟିଥିବା ସମ୍ବଲପୁର ସହରର ଷ୍ଟେସନ୍‌ପଡ଼ା ଅଞ୍ଚଳରେ ଏହି ଡାକ୍ତରଙ୍କ ଘର। ତାଙ୍କ ପରିବାରରେ ବାପା, ମା, ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି। ଜୁଲାଇ ଶେଷ ସପ୍ତାହରେ ତାଙ୍କ ବାପା ମା ଓ ଅଗଷ୍ଟ ପ୍ରଥମ ସପ୍ତାହରେ ଡାକ୍ତର ନିଜେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପ୍ରଥମେ ଡାକ୍ତରଙ୍କ ବାପା-ମା’ଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ୭ ଦିନ ତଳେ ତାଙ୍କ ମାଙ୍କର ମୃତ୍ୟୁ ଘଟିଥିଲା। ପରେ ଏହି ଡାକ୍ତର ମଧ୍ୟ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ତାଙ୍କ ବାପା ସୁସ୍ଥ ହୋଇ ଘରକୁ ଫେରିଥିଲେ। ସେତେବେଳେ ଡାକ୍ତରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର କିମ୍ବା କଟକ ସ୍ଥାନାନ୍ତର କରାଯିବା ନେଇ ମଧ୍ୟ ଯୋଜନା କରାଯାଇଥିଲା। ମାତ୍ର ତାହା ସମ୍ଭବ ହୋଇପାରି ନ ଥିଲା। ଶେଷରେ ଗୁରୁବାର ସକାଳୁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଅଞ୍ଚଳରେ ଏହି ଡାକ୍ତର ବେଶ୍‌ ପରିଚିତ ଥିବା ସମୟ‌ରେ ଷ୍ଟେସନପଡ଼ାର ବସ୍ତି ବାସିନ୍ଦାଙ୍କ ସମସ୍ତ ଚିକିତ୍ସା କଥା ସେ ନିଜେ ବୁଝୁଥିଲେ। ତାଙ୍କ ମୃତ୍ୟୁ ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅନ୍ୟପକ୍ଷରେ କୋଭିଡ୍‌ ହସ୍ପିଟାଲରେ ଏହି ଡାକ୍ତରଙ୍କର ଠିକ୍‌ରେ ଚିକିତ୍ସା କରାଯାଇନଥିଲା ବୋଲି କେତେକ ମହଲରୁ ଅଭିଯୋଗ ହୋଇଛି। ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିବା ନେଇ ଓମ୍‌ସା ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ମଧ୍ୟ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଇନଥିଲା ବୋଲି ବିଜେପି ସମଲେଶ୍ବରୀ ମଣ୍ଡଳ ପକ୍ଷରୁ ଅଭିଯୋଗ କରାଯାଇଛି।
କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି ସମ୍ବଲପୁର କୋଭିଡ୍‌ ହସ୍ପିଟାଲରେ ଗୁରୁବାର ଅନ୍ୟ ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ମୃତକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ବୁଧବାର ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ସକାଳୁ ତା‌ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଥିସହ ସମ୍ବଲପୁର କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି।

ସଂକ୍ରମିତ ଡାକ୍ତରଙ୍କ ଯତ୍ନ ନିଆଯାଉ: ଓମ୍‌ସା
ଭୁବନେଶ୍ବର : ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ଡାକ୍ତର କରୋନାରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। କିଛିଦିନ ପୂର୍ବରୁ ସେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। ତାଙ୍କର ଅନ୍ୟ କୌଣସି ରୋଗ ନ ଥିବା ବେଳେ କେବଳ ଅମ୍ଳଜାନ କମି ଯାଇଥିଲା। ଯଦି ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥାନ୍ତା ତା’ହେଲେ ସେ ବଞ୍ଚିପାରିଥାନ୍ତେ ବୋଲି କହିଛନ୍ତି ରାଜ୍ୟ ମେଡିକାଲ ସେବା ସଂଘ (ଓମ୍‌ସା)ର ସଭାପତି ଡା.ନାରାୟଣ ରାଉତ।

ଡା.ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଡାକ୍ତର ଜଣକ ହୀରାକୁଦ ଇଏସ୍ଆଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ସଂପୃକ୍ତ କୋଭିଡ୍‌ ଯୋଦ୍ଧାଙ୍କ ମା’ କିଛିଦିନ ତଳେ ପ୍ରାଣ ହରାଇଥିଲେ। କୋଭିଡ୍‌ ଯୋଦ୍ଧା ଡାକ୍ତରଙ୍କ ପାଇଁ ସ୍ବତନ୍ତ୍ର ଭାବେ ହସ୍ପିଟାଲ ସୁବିଧା କରିବା ପାଇଁ ରାଜ୍ୟ ସରକାରଙ୍କୁ ଓମ୍‌ସା ପୂର୍ବରୁ ଅନୁରୋଧ କରିଥିଲା। ତେଣୁ ଆଗକୁ ଯେପରି ଏଭଳି ସଂଖ୍ୟା ନ ବଢ଼େ ସେଥିପ୍ରତି ଯତ୍ନବାନ ହେବା ସହ କରୋନା ସଂକ୍ରମିତ ଡାକ୍ତରଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ଡା.ରାଉତ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର