ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା କୋଭିଡ୍‌ ସହାୟତା

ଲାଭାନ୍ବିତ ହେବେ ୨୫ ଲକ୍ଷରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକ, ୨୧୨.୪୯ କୋଟି ପଠାଇଲେ ରାଜ୍ୟ ସରକାର

ଭୁବନେଶ୍ବର : କରୋନା ଦ୍ବିତୀୟ ଲହରରେ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଶହ ଟଙ୍କା ଲେଖାଏଁ ସ୍ବତନ୍ତ୍ର କୋଭିଡ୍‌ ସହାୟତା ଘୋଷଣା କରାଯାଇଛି। ଏହାଦ୍ବାରା ୨୫ ଲକ୍ଷ ୭୩ ହଜାର ୫୬୮ ପଂଜୀକୃତ ନିର୍ମାଣ ଶ୍ରମିକ ଲାଭାନ୍ବିତ ହେବେ ବୋଲି ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଲକ୍ଷ ୧୬ ହଜାର ୫୮୪ ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ କୋଭିଡ ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ଏ ବାବଦରେ ସେମାନଙ୍କ ଆଧାର ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ସମୁଦାୟ ୨୧୨.୪୯ କୋଟି ଟଙ୍କା ଦିଆଯାଇଛି।

ସକ୍ରିୟ ପଂଜୀକୃତ ନିର୍ମାଣ ଶ୍ରମିକମାନେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓ୍ବେବସାଇଟ୍‌ ଯାଇ ସ୍ବୟଂ ପରୀକ୍ଷଣ ଲିଙ୍କରେ ସେମାନଙ୍କ ଦେୟ ସ୍ଥିତି ଯାଞ୍ଚ କରିପାରିବେ। ଦେୟ ପ୍ରଦାନ ହୋଇନଥିଲେ ସେମାନେ ଏଠାରେ ଆଧାର ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ମୋବାଇଲ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରି ସଠିକ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଏହି ସମ୍ବନ୍ଧୀୟ ଅଧିକ ତଥ୍ୟ ସୂଚନା ପାଇଁ ହିତାଧିକାରୀମାନେ ସଂଯୋଗ ହେଲପଲାଇନ ନମ୍ବର-୧୫୫୩୩୫ରେ ଯୋଗାଯୋଗ କରିବାକୁ ରାଜ୍ୟ ଶ୍ରମ କମିସନରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଆଧାର ସହ ବ୍ୟାଙ୍କ ଖାତା ସଂଯୋଗ ହୋଇନଥିଲେ, ସକ୍ରିୟ ପଂଜୀକୃତ ନିର୍ମାଣ ଶ୍ରମିକମାନେ ଯଥାଶୀଘ୍ର ବ୍ୟାଙ୍କ ଯାଇ ନିଜ ଆଧାର ସହ ବ୍ୟାଙ୍କ ଖାତାକୁ ଯୋଡ଼ି ଏହାକୁ ଡିବିଟି ସକ୍ଷମ କରାଇବା ଆବଶ୍ୟକ; ଯାହା ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସ୍ବତନ୍ତ୍ର କୋଭିଡ ସହାୟତା ରାଶି ପଠାଇବାକୁ ସହାୟକ ହେବ ବୋଲି ଶ୍ରମ କମିସନ କହିଛନ୍ତି।

ସମ୍ବନ୍ଧିତ ଖବର