ଖୁବଶୀଘ୍ର ଘୋଷଣା ହେବ କୋଭିଡ୍‌ ସହାୟତା ପ୍ୟାକେଜ୍‌

ଗ୍ରାମାଞ୍ଚଳ ଅର୍ଥନୀତି ସଜାଡ଼ିବାକୁ ସରକାରଙ୍କ ପଦକ୍ଷେପ
ବ୍ୟବସାୟ ପାଇଁ ପ୍ରବାସୀଙ୍କୁ ୧ ଲକ୍ଷ, ଛୋଟ ବ୍ୟବସାୟ ପାଇଁ ୨୦ ହଜାର
ଓଡ଼ିଶା ଜୀବିକା ମିସନ ଜରିଆରେ ୪ ପ୍ରକାର ଋଣ ସହାୟତା ପ୍ରସ୍ତୁତ

ଭୁବନେଶ୍ୱର : କରୋନା ପ୍ରଭାବରେ ରାଜ୍ୟରେ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ବାହାର ରାଜ୍ୟରୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ଓଡ଼ିଆ ଶ୍ରମିକ କାମଧନ୍ଦା ଆଶାରେ ଚାହିଁ ବସିଛି। କ୍ଷୁଦ୍ର ବ୍ୟବସାୟୀ, ଖୁଚୁରା ବେପାରୀ, ଅଣୁ ଶିଳ୍ପଗୁଡ଼ିକ ମଧ୍ୟ ପୁଞ୍ଜି ଅଭାବରୁ ହାତବାନ୍ଧି ବସିଛନ୍ତି। ଦିନକୁ ଦିନ ଲୋକଙ୍କ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ସଜାଡ଼ିବା ସହିତ ଲୋକଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ କରୋନା ସଂକଟର ୫ ମାସ ପରେ ସରକାର କମ୍‌ ସୁଧରେ ଋଣ ସହାୟତା ଦେବାକୁ ସ୍ଥିର କରିଛନ୍ତି। ଯାହାର ନାମ କୋଭିଡ୍‌-୧୯ ଆସିଷ୍ଟାନ୍‌ସ୍‌ ପ୍ୟାକେଜ୍‌ (କ୍ୟାପ୍‌) ରଖାଯାଇଛି। ଓଡ଼ିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ଯୋଜନା ଓଡ଼ିଶା ଜୀବିକା ମିସନ ଜରିଆରେ କାର୍ଯ୍ୟକାରୀ ହେବ। ଏଥିପାଇଁ ୪ ପ୍ରକାର ଆର୍ଥିକ ପ୍ୟାକେଜ୍‌ ପ୍ରସ୍ତୁତ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ପାଇବାର ୬ ମାସ ପର୍ଯ୍ୟନ୍ତ ଏହି ଯୋଜନା ବଳବତ୍ତର ରଖିବାକୁ ଯୋଜନା ହୋଇଛି।

ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ୟାକେଜ୍‌-୧ ଅନ୍ତର୍ଗତ ଗ୍ରାମାଞ୍ଚଳରେ ବ୍ୟବସାୟ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା କିମ୍ବା ଗ୍ରାମୀଣ ଶିଳ୍ପ କରିଥିବା ପରିବାର ଯଥା ପନିପରିବା ବିକ୍ରି କରୁଥିବା ଦୋକାନୀ, ଚା’ ଦୋକାନୀ, ପାଉରୁଟି କାରଖାନା, ଅଟା ଓ ଧାନ କଳ, ଦୁଗ୍ଧ, ଛେଳି, କୁକୁଡ଼ା ଓ ଘୁଷୁରି ମାଂସ ବ୍ୟବସାୟୀ, ମତ୍ସ୍ୟ ବ୍ୟବସାୟୀ, ଟେଲରିଂ, ଅଟୋମୋବାଇଲ୍‌ ମେକାନିକ୍‌, ଯନ୍ତ୍ରପାତି ମରାମତି ଦୋକାନ, ଓ୍ବେଲଡିଂ ଦୋକାନ, ପାଣି ପାଇପ ଦୋକାନ, ବିଦ୍ୟୁତ୍‌ ସାମଗ୍ରୀ ବିକ୍ରି ଷ୍ଟୋର୍‌ଗୁଡ଼ିକୁ ସାମିଲ କରାଯାଇଛି। ଏମାନଙ୍କୁ କାର୍ଯ୍ୟକାରୀ ପୁଞ୍ଜି ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ଋଣ ଯୋଗାଇ ଦିଆଯିବ। ଏହି ଋଣ ସହାୟତା ପାଇବା ପାଇଁ ସମ୍ପୃକ୍ତ ଶିଳ୍ପ କିମ୍ବା ବ୍ୟାବସାୟିକ ସଂସ୍ଥା ୬ ମାସ ପୂର୍ବରୁ କାରବାର ଆରମ୍ଭ କରିଥିବା ଦରକାର। ଏଥିରେ ମହିଳା, ଏସ୍‌ସି-ଏସ୍‌ଟି, ପିଭିଟିଜି, ତୃତୀୟ ଲିଙ୍ଗୀ, ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧାଙ୍କୁ ଅଗ୍ରାଧିକାର ଦେବା ପାଇଁ ବ୍ୟବସ୍ଥା କରାଯାଇଛି।

ସେହିପରି ପ୍ୟାକେଜ୍‌-୨ ଅନ୍ତର୍ଗତ ଏଣ୍ଟରପ୍ରାଇଜ୍‌ ଗ୍ରୁପ୍‌ (ଇଜି) ଓ ପ୍ରଡ୍ୟୁସର୍‌ ଗ୍ରୁପ୍‌ (ପିଜି)ଗୁଡ଼ିକୁ ଆର୍ଥିକ ସହାୟତା ଦେବାକୁ ଯୋଜନା କରାଯାଇଛି। ଏମାନଙ୍କୁ କାର୍ଯ୍ୟକାରୀ ପୁଞ୍ଜି ବାବଦରେ ଏକକାଳୀନ ୧ ଲକ୍ଷ ୫୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ। ଫଳରେ ଏଣ୍ଟରପ୍ରାଇଜ୍‌ ଗ୍ରୁପ୍‌ଗୁଡ଼ିକ (ଇଜି) ସେମାନଙ୍କ ବକେୟା ବିଦ୍ୟୁତ ବିଲ୍‌, କାରଖାନା ଘର ଭଡ଼ା ଆଦି ପଇଠ କରିପାରିବେ। ସେହିପରି ପ୍ରଡ୍ୟୁସର୍‌ ଗ୍ରୁପ (ପିଜି) କଞ୍ଚାମାଲ କିଣିବା ସହିତ ଅନ୍ୟ କାର୍ଯ୍ୟକାରୀ ପୁଞ୍ଜି ବାବଦରେ ବିନିଯୋଗ କରିପାରିବେ। ଏହି ସହାୟତା ପାଇବା ପାଇଁ ପ୍ରତ୍ୟେକ ଏଣ୍ଟରପ୍ରାଇଜ୍‌ ଗ୍ରୁପ୍‌ ୬ ମାସ ପୁରୁଣା ଓ ପ୍ରଡ୍ୟୁସର୍‌ ଗ୍ରୁପ୍‌ ୧ ବର୍ଷ ପୁରୁଣା ହୋଇଥିବା ବାଞ୍ଛନୀୟ ବୋଲି ନିୟମ ରଖାଯାଇଛି।

Pinterest

ଗାଁ ଗହଳିରେ ଛୋଟ ଚା’ ଦୋକାନ, ମାଂସ ଦୋକାନ, ମତ୍ସ୍ୟ ବ୍ୟବସାୟୀ, ଖୁଚୁରା ପରିବା ଦୋକାନ, ଅଟୋମୋବାଇଲ ମରାମତି, ହୋଟେଲ୍‌, ଢାବା ଆଦି କରି ନିଜ ଗୁଜରାଣ ମେଣ୍ଟାଉଥିବା ବ୍ୟକ୍ତିଙ୍କୁ ସହାୟତା ବାବଦରେ ୨୦ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ବର୍ଗର ବ୍ୟକ୍ତିମାନେ ପ୍ୟାକେଜ୍‌-୩ ଅନ୍ତର୍ଗତ ଋଣ ସହାୟତା ପାଇପାରିବେ। ଏଥିରେ ଏକାକି ମହିଳା, ବିଧବା, ତୃତୀୟ ଲିଙ୍ଗୀ, ଭିନ୍ନକ୍ଷମ, ପିଭିଟିଜି ବର୍ଗର ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ସହାୟତା ପାଇବା ପାଇଁ ଅନ୍ୟୁନ ୬ ମାସ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ବ୍ୟବସାୟ ଆରମ୍ଭ କରିଥିବେ।

ପ୍ୟାକେଜ୍‌-୪ ଅନ୍ତର୍ଗତ କରୋନା ଯୋଗୁ ବିଦେଶ କିମ୍ବା ବାହାର ରାଜ୍ୟରୁ ରୋଜଗାର ହରାଇ ରାଜ୍ୟକୁ ଫେରିଥିବା ପ୍ରବାସୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଏହି ସହାୟତା ପ୍ୟାକେଜ୍‌ ଅର୍ଦ୍ଧ କୁଶଳୀ ଓ କୁଶଳୀ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ କୌଣସି ଷ୍ଟାର୍ଟ୍‌ ଅପ୍‌ ବ୍ୟବସାୟ ଆରମ୍ଭ କରିବାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। ଏହି ସହାୟତା ପାଇବା ପାଇଁ ମହିଳା ଉଦ୍ୟୋଗୀଙ୍କ ବୟସ ୧୮ରୁ ୪୦ ବର୍ଷ ଓ ପୁରୁଷ ଉଦ୍ୟୋଗୀଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ହୋଇଥିବ। ଏଥିରେ ବି ଭିନ୍ମକ୍ଷମ, ବିଧବା, ଏକାକୀ ମହିଳା, ଇଡିପି ପ୍ରଶିକ୍ଷିତ, ଡିଡିୟୁ-ଜିକେଓ୍ବାଇ, ଓର୍‌ମାସ୍‌ ପ୍ରଶିକ୍ଷିତ ଓ ପୁରସ୍କାର ପାଇଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାରୀ ଦେବା ପାଇଁ ବ୍ୟବସ୍ଥା ରହିଛି। ଏହି ସମସ୍ତ ଋଣ ପାଇଁ ଆବେଦନ କରିବା ପ୍ରକ୍ରିୟା, ସୁଧହାର ଓ ପରିଶୋଧର ଅବଧି ବିଷୟରେ କ୍ୟାପ୍‌ ଘୋଷଣା ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର