‌ବଡ଼ମ୍ବା କୋଭିଡ୍‌ କେୟାର୍‌ ସେଣ୍ଟର୍‌ ସାମଗ୍ରୀ ଗାଏବ

୨୪ ଆଣ୍ଟିବାକ୍ଟେରିଆଲ୍‌ ବେଡ୍‌, ପଙ୍ଖା ସହ ଲାଇଟ୍‌, ବଲ୍‌ବ ଚୋରି
ଅବସରର ୫ମାସ ପରେ ବି ଯନ୍ତ୍ରୀ ଦେଉ ନଥିଲେ ଦାୟିତ୍ବ
ଗତମାସ ବିଡିଓଙ୍କୁ ଜଣାଇଲେ; ବିଡିଓ ଦେଲେ ଏତଲା

କଟକ : କୁଆଡେ ଗଲା ବଡ଼ମ୍ବା କୋଭିଡ୍‌ କେୟାର ସେଣ୍ଟର୍‌(ସିସିସି)ର ସାଢ଼େ ୪ଲକ୍ଷ ଟଙ୍କାର ସାମଗ୍ରୀ? ୧ଲକ୍ଷ ୬୮ହଜାର ଟଙ୍କାର ୨୪ଟି ଆଣ୍ଟି-ବା‌କ୍ଟେରିଆଲ ବେଡ୍‌, ୧ଲକ୍ଷ ୫୩ହଜାର ଟଙ୍କ‌ାର ୬୪ଟି ପଙ୍ଖା, ଏକ୍‌ଝଷ୍ଟ୍‌ ଫ୍ୟାନ୍‌ ଠାରୁ ଆରମ୍ଭ କରି ୧୪ପ୍ରକାର ସାମଗ୍ରୀ। ୬ମାସ ତଳୁ ବନ୍ଦ ଥିବା କୋଭିଡ୍‌ କେୟାର୍‌ ସେଣ୍ଟର୍‌ରୁ ଏତେ ପ୍ରକାର ସାମଗ୍ରୀ ଚୋରି ହୋଇଥିବା ସଂପର୍କରେ ବିଡିଓ ୧୫ଦିନ ତଳେ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ୨୪ଟି ବେଡ୍‌ ଓ ଫଙ୍ଖା ଭଳି ଏତେଗୁଡ଼ିଏ ସାମଗ୍ରୀ ଚୋରି ହେଲା, ନା ଏହାକୁ ଗାଏବ୍‌ କରିଦିଆଯାଇଛି… ତାକୁ ନେଇ ସବୁ ମହଲରେ ଚର୍ଚ୍ଚା। ତେବେ ୫ମାସ ତଳୁ ଅବସର ନେଇଥିବା ସହକାରୀ ଯନ୍ତ୍ରୀ ଚାର୍ଜ ଦେଉନଥିବା ଓ ହଠାତ୍‌ ଗତମାସରେ ସାଢେ ୪ଲକ୍ଷ ଟଙ୍କାର ସାମଗ୍ରୀ ନଥିବା ନେଇ ବିଡିଓଙ୍କୁ ଲିଖିତ ଅଭିଯୋଗ କରିବା ଓ ଏହାପରେ ବିଡିଓ ଥାନାରେ ଏତଲା ଦେବା ଘଟଣା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଜନୈକ ଯନ୍ତ୍ରୀ ଅବସର ପରେ ବି ଦାୟିତ୍ବ ହସ୍ତାନ୍ତର ନକରିବା ଓ ବିଡିଓ ମଧ୍ୟ ଏହି ଘଟଣାରେ ପ୍ରଶାସନକୁ ଅନ୍ଧାରରେ ରଖିଥିବାରୁ ଏହି ଘଟଣା ପଛରେ ଏକ ବଡ ରହସ୍ୟ ରହିଥିବା ସାଧାରଣରେ ଆଲୋଚନା ହେଉଛି। ପୁଲିସ ବି ଏବେ ଅନ୍ଧାରରେ ବାଡି ବୁଲାଇବା ଭଳି ସ୍ଥିତିରେ। ହେଲେ, ଏହି ୧୪ପ୍ରକାର ସାମଗ୍ରୀ କେବେୁଠୁ ଚୋରି ହେଲାଣି, ସେ ତଥ୍ୟ ବି କାହା ପାଖରେ ନାହିଁ। ଅଭିଯୋଗ ପରେ ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଂଚ କରିଥିଲେ ବି ସେମାନଙ୍କର ‘ବ୍ୟାକ୍‌-ଅପ୍‌ ନଥିବାରୁ କିଛି ତଥ୍ୟ ମିଳିପାରୁନି।

The New Indian Express

ବଡ଼ମ୍ବା କଲେଜ ଏସ୍‌ସି/ଏସ୍‌ଟି ହଷ୍ଟେଲ ପରିସରରେ ଖୋଲାଯାଇଥିଲା କୋଭିଡ୍‌ କେୟା‌ର୍‌ ସେଣ୍ଟର୍‌। ଉକ୍ତ ସିସିସି ଗଲା ୨୦୨୧, ଅଗଷ୍ଟ ୩୧ରୁ ବନ୍ଦ ହେଲାଣି। ଏହା ପରେ ସେଥିରେ ଥିବା ସମସ୍ତ ସାମଗ୍ରୀ ବ୍ଲକ୍‌ ଅଧୀନରେ ରହିଥିଲା। ତେବେ ଏହି ‌ସିସିସି ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ ଅଶୋକ ଦାଶ ଗଲା ନଭେମ୍ବର ୧୧ରୁ ଅବସରଗ୍ରହଣ କରିଥିବା ଜଣାପଡ଼ିଛି। ଅନ୍ୟପଟେ ସହକାରୀ ଯନ୍ତ୍ରୀ ଅବସର ପ‌ରେ ବି ଚାର୍ଜ ଦେଉ ନଥିବା ଓ କୋଭିଡ୍‌ କେୟାର୍‌ ସେଣ୍ଟର୍‌ ଖୋଲାମେଲା ହୋଇ ପଡିଥିବା ଅଭିଯୋଗ ପରେ ବ୍ଲକ୍‌ ପକ୍ଷରୁ ଏହାର ଖୋଳତାଡ କରାଯାଇଥିଲା। କିନ୍ତୁ ସେତେବେଳକୁ କିଛି ନଥିଲା। ଅନ୍ୟପଟେ ଏହି କେନ୍ଦ୍ରରେ ଥିବା ୧ଲକ୍ଷ ୬୮ହଜାର ଟଙ୍କାର ୨୪ଟି ଆଣ୍ଟି ବାକ୍ଟେରିଆଲ ବେଡ୍‌, ୧ଲକ୍ଷ ୫୩ହଜାର ଟଙ୍କ‌ାର ୬୪ଟି ପଙ୍ଖା, ୧୧ହଜାର ୨ଶହ ଟଙ୍କାର ଏକ୍‌ଝଷ୍ଟ୍‌ ଫ୍ୟାନ୍‌, ୮୫ଟି ଟ୍ୟୁବ୍‌ଲାଇଟ୍ ଯାହାର ମୂଲ୍ୟ ୨୯,୭୫୦ ଟଙ୍କା, ଦୁଇଟି ଲୁହାର ଥାକ, ୧୨ଟି ସୁପ୍ରିମ୍‌ ଚେୟାର, ପିଭିସି ଡୋର୍‌, ୩୦ ପ୍ଲାଷ୍ଟିକ୍‌ ଥାକ ଓ ପାଇପ୍‌ ଭଳି ୧୪ପ୍ରକାର ସାମଗ୍ରୀ ଚୋରି ହୋଇଥିବା ନେଇ ଅବସର ନେବାର ୫ମାସ ପରେ, ଅର୍ଥାତ୍‌ ଗତ ମାସ ୧୮ତାରିଖରେ ଲିଖିତ ଭାବେ (୪ଲକ୍ଷ ୪୮ହଜାର ୯୫୦ଟଙ୍କା) ଜଣାଇଥିବା ଜଣାପଡିଛି। ଏହାକୁ ଭିତ୍ତିକରି ବିଡିଓ ଥାନାରେ ଏତଲା ଦେଇଛନ୍ତି।

 

ତେବେ ଅବସର ନେବା ପରେ ସଂପୃକ୍ତ ଯନ୍ତ୍ରୀ ୫ମାସ ଧରି କଣ ପାଇଁ କୋଭିଡ୍‌ କେୟାର୍‌ ସେଣ୍ଟର୍‌ର ଦାୟିତ୍ବ ହସ୍ତାନ୍ତର କରୁ ନଥିଲେ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏତେ ସାମଗ୍ରୀ ସତରେ କଣ ଚୋରି ହୋଇଗଲା ତଥା‌ କିଏ-କେମିତି ଚୋରି କଲା, ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଘଟଣା ସଂପର୍କରେ ପିଡି ଡିଆର୍‌ଡିଏ ଅମ୍ବର କୁମାର କରଙ୍କୁ ଯୋଗାଯୋଗ କରିବାରେ, ସେ ଘଟଣା ସଂପର୍କରେ ଜାଣି ନଥିବା କହିଛନ୍ତି। ଅପରପକ୍ଷରେ, ବିଡିଓଙ୍କୁ ଯୋଗାଯୋଗ କରିବାରେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍ ଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ। ବଡ଼ମ୍ବା ଥାନା ଅଧିକାରୀଙ୍କୁ ଏ ସଂପର୍କରେ ଯୋଗାଯୋଗ କରିବାରୁ, ଚୋରି ସମ୍ପର୍କରେ ଏତଲା ପାଇଛୁ, ଏହାର ଆମେ ତଦନ୍ତ କରୁଛୁ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର