ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷରେ ପହଞ୍ଚିବ: ସାଲୁଜା

ଭୁବନେଶ୍ବର : ଟିଏମ୍‌ସିଗୁଡ଼ିକରେ ଥିବା ପ୍ରବାସୀ ଶ୍ରମିକମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଉନି। ରାଜ୍ୟ ସରକାର କରୋନା ସ୍ଥିତିକୁ ଯେଭଳି ଭାବେ ପରିଚାଳନା କରୁଛନ୍ତି, ଆଗାମୀ ଦିନରେ ଓଡ଼ିଶାର ସ୍ଥିତି ମୁମ୍ବାଇଠାରୁ ବି ବଳିଯିବ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷରେ ପହଞ୍ଚିବାକୁ ବେଶୀ ଦିନ ଲାଗିବନି। ଆଜି ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଏପରି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା।

ଶ୍ରୀ ସାଲୁଜା ଅଭିଯୋଗ କରି କହିଥିଲେ, ଟିଏମ୍‌ସିରେ ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ଥିବା ସମସ୍ତ ବ୍ୟକ୍ତିମାନଙ୍କର ସ୍ବାବ୍‌ ଓ ରକ୍ତ ପରୀକ୍ଷା କରିବା କଥା। କିନ୍ତୁ ତାହା କରାଯାଉନି। ସରକାର କହୁଛନ୍ତି, ଯାହାର କରୋନା ଲକ୍ଷଣ ବାହାରିବ ସେହିମାନଙ୍କର ପରୀକ୍ଷା କରାଯିବ। ଗଞ୍ଜାମ ଜିଲ୍ଲାରେ ଏବେ ଯେଉଁ ବିସ୍ଫୋରକ ସ୍ଥିତି ହୋଇଛି ତାହା କେବଳ ଏପରି ଅବହେଳା କାରଣରୁ ହିଁ ଘଟିଛି। ଯଦି ସରକାର ଟିଏମ୍‌ସିଗୁଡ଼ିକରେ ଥିବା ସମସ୍ତ ଅନ୍ତେବାସୀଙ୍କର ପରୀକ୍ଷା କରିଥାନ୍ତେ ତାହେଲେ ଆକ୍ରାନ୍ତ ସଂଖ୍ୟା ଶୀଘ୍ର ଜଣାପଡ଼ିଥାନ୍ତା ଓ ଚିକିତ୍ସା ହୋଇଥାନ୍ତା। ସଙ୍ଗରୋଧ ଅବଧି ସରିବା ପରେ ଯେଉଁମାନଙ୍କୁ ଛାଡ଼ି ଦିଆଯାଉଛି; ଆଉ ସେମାନଙ୍କ ଭିତରୁ ବି ପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବଲାଙ୍ଗୀରରେ ଏପରି ଚାଲିଥିବା ନେଇ ସେ ଅଭିଯୋଗ କରିଥିଲେ। ଯଦି ବାସ୍ତବରେ ସରକାର କରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ଚାହୁଁଛନ୍ତି, ତାହେଲେ ଟିଏମ୍‌ସିରେ ଥିବା ବ୍ୟକ୍ତିମାନଙ୍କର ନମୁନା ପରୀକ୍ଷା ପ୍ରାଥମକିତା ଆଧାରରେ କରାଯାଉ। ନଚେତ୍‌ ହୀରାକୁଦ ଡ୍ୟାମ୍‌ର ଜଳ ପରିଚାଳନା କରିବା ଭଳି କଲେ ଯେତିକି ରୋଗୀ ସୁସ୍ଥ ହେଉଛନ୍ତି ତାଠୁ ଅଧିକ ପୁଣି ଆକ୍ରାନ୍ତ ହୋଇ ଚାଲିଥିବେ।

ବିଧାନସଭା ସ୍ଥାୟୀ କମିଟି-୯ର ବୈଠକ ବେଳେ ମନରେଗା ସମ୍ପର୍କରେ ଆଲୋଚନା କରାଯାଇଥିଲା। ୨୦୧୯-୨୦ ମସିହାରେ ହିସାବ ଅନୁଯାୟୀ ୨ ଲକ୍ଷ ୯୨ ହଜାର ଶ୍ରମିକ କାମ ପାଇନାହାନ୍ତି। ବଲାଙ୍ଗୀର ଓ କଳାହାଣ୍ଡି ସମେତ ୪ଟି ଜିଲ୍ଲା ଦାଦନ ଶ୍ରମିକ ଜିଲ୍ଲା ବୋଲି ସରକାର ଘୋଷଣା କରିଛନ୍ତି। ଇଟାଭାଟିରେ କାମ କରିବାକୁ ଏସବୁ ଜିଲ୍ଲାରୁ ବାହାର ରାଜ୍ୟକୁ ଯାଇଥିବା ପ୍ରବାସୀ ଶ୍ରମିକମାନେ କରୋନା ଯୋଗୁଁ ରାଜ୍ୟକୁ ଫେରି ଆସିଛନ୍ତି। ସେମାନଙ୍କ ସଙ୍ଗରୋଧ ଅବଧି ବି ସରିଲାଣି। ରାଜ୍ୟ ସରକାର ଘୋଷଣା କରିଥିବା ସହାୟତା ଅର୍ଥ କେତେଜଣଙ୍କୁ ମିଳିଥିବାବେଳେ ଆଉ କେତେଜଣଙ୍କୁ ମିଳିନି। ହେଲେ ଏବେ ସୁଦ୍ଧା ସେମାନଙ୍କୁ ମନରେଗାରେ କାମ ଯୋଗାଇ ଦିଆଯାଇନି। ସେମାନେ ବେରୋଜଗାର ହୋଇ କେତେଦିନ ରହିବେ ବୋଲି ଶ୍ରୀ ସାଲୁଜା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର