୭ଦିନରେ କରୋନାରେ ଆକ୍ରାନ୍ତ ହେଲେଣି ୮୦୮ ପିଲା

ଭୁବନେଶ୍ବର : ଗତ ୭ଦିନରେ ରାଜ୍ୟରେ ୮୦୮ଜଣ ପିଲା(୧୮ବର୍ଷରୁ କମ୍) କରୋନାରେ ସଂକ୍ରମିତ ହୋଇଛନ୍ତି। ହେଲେ ଆଶ୍ବସ୍ତିର ବିଷୟ ହେଉଛି ସେମାନଙ୍କ ମଧ୍ୟରୁ ଜଣେ ହେଲେ ବି ହସ୍ପିଟାଲରେ ଭର୍ତି ହୋଇ ନାହାନ୍ତି। ଯେତିକି ସଂଖ୍ୟକ ସଂକ୍ରମିତ ହସ୍ପିଟାଲରେ ଭର୍ତି ହୋଇଛନ୍ତି ସମସ୍ତଙ୍କର ବୟସ ୧୮ବର୍ଷରୁ ଅଧିକ।

ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ନିକଟରେ ରାଜ୍ୟ ସରକାର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଲାଗି ନିର୍ଦେଶ ଦେଇଛନ୍ତି। ମେଡିକାଲ କଲେଜ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା କରାଯାଇଛି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ବର୍ତମାନ ୫୫୯ କୋଭିଡ ଶଯ୍ୟା କାର୍ଯ୍ୟକ୍ଷମ ରହିଛି। ଗତକାଲି ସୁଦ୍ଧା ରାଜ୍ୟରେ ୬୬ଜଣ କରୋନା ଆକ୍ରାନ୍ତ ବା ମୋଟ୍‌ ଚିକିତ୍ସାଧୀନ ରୋଗୀଙ୍କ ୧.୧ ପ୍ରତିଶତ ହସ୍ପିଟାଲରେ ଅଛନ୍ତି। ହସ୍ପିଟାଲରେ ଭର୍ତି ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୦ଜଣ ସାଧାରଣ ଶଯ୍ୟାରେ ଥିବା ବେଳେ ୪୬ଜଣ ଆଇସିୟୁ/ଏଚ୍‌ଡିୟୁରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅତି ଗୁରୁତର ଥିବା ୬ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ପ୍ରାୟ ୬ହଜାର ରୋଗୀ ଗୃହ ପୃଥକବାସରେ ରହିଛନ୍ତି।

ସୁସ୍ଥ ହେଲେ ସର୍ବାଧିକ ସଂଖ୍ୟକ ରୋଗୀ
କୋଭିଡ ନମୁନା ପରୀକ୍ଷା ବଢ଼ିଲା, ଆକ୍ରାନ୍ତ ବଢ଼ିଲେ
ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ୬୬ ରୋଗୀ

ଗତ କିଛିଦିନ ହେବ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗୁରୁବାର ଦିନ ସର୍ବାଧିକ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯଦିଓ ଦୈନିକ ଆକ୍ରାନ୍ତଙ୍କ ତୁଳନାରେ ଏହା କମ୍, ହେଲେ ଚଳିତ କରୋନାର ଚତୁର୍ଥ ଲହରରେ ଏହା ସର୍ବାଧିକ। ଆଜି ୧୦୨୬ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରାଜ୍ୟରେ ଖସି ଆସିଛି। ଏବେ ୬୦୬୭ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀ‌ରେ ବଢ଼ୁଛି। କରୋନାର ଅନ୍ୟ ୩ ଲହର ଭଳି ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁ ନ ଥିଲେ ମଧ୍ୟ ଉପରମୁହାଁ ରହିଛି। ଦିଲ୍ଲୀ, ମହାରାଷ୍ଟ୍ର, କେରଳ ଭଳି ରାଜ୍ୟରେ ସଂକ୍ରମଣ ଖସୁଛି। ମାତ୍ର ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ନମୁନା ପରୀକ୍ଷା ବଢ଼ାଇ ଦିଆଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩,୦୭୮ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ବା ଟିପିଆର ରହିଛି ୫.୧୮ ପ୍ରତିଶତ। ୬ଟି ଜିଲ୍ଲାରେ ଟିପିଆର ରାଜ୍ୟଠାରୁ ଅଧିକ ରହିଛି। ସମ୍ବଲପୁରରେ ୨୮.୮, ସୋନପୁର ୧୩.୭, ବୌଦ୍ଧ ୧୧.୧, ମୟୂରଭଞ୍ଜ ୯.୫, ଖୋର୍ଧା ୮.୪ ଓ ସୁନ୍ଦରଗଡ଼ରେ ୮.୧ ପ୍ରତିଶତ ଦେଖିବାକୁ ମିଳିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ବଢ଼ିବା ସହିତ ମୟୂରଭଞ୍ଜ ଜିଲ୍ଲାରେ ଚଳିତ ଲହରରେ ପ୍ରଥମଥର ଲାଗି ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ ଛୁଇଁଛି। ଖୋର୍ଧା ଜିଲ୍ଲାରେ ପୂର୍ବଭଳି ୩୧୨, ସୁନ୍ଦରଗଡ଼ ୧୭୪, କଟକ ୧୦୯, ସମ୍ବଲପୁର ୭୦, ସୋନପୁର ୫୨, ନୟାଗଡ଼ ୩୬, ଝାରସୁଗୁଡ଼ା ୩୩, ପୁରୀ ୨୭ ଓ ଷ୍ଟେଟ୍‌ ପୁଲରୁ ୭୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୩,୧୯୧କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ କୌଣସି ନୂତନ କୋଭିଡ ମୃତ୍ୟୁ ଘୋଷଣା ହୋଇନାହିଁ।

ସମ୍ବନ୍ଧିତ ଖବର