କମୁନି କରୋନା କୋପ : ଆଉ ୧୦ ମୃତ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍

ଜୁଲାଇରେ ସବୁ ଆକଳନ ଭୁଲ

ମୃତ୍ୟୁ ସଂଖ୍ୟା ୧୬୯ରେ ପହଞ୍ଚିଲା
ଦିନକରେ ୧୨୦୩ ଆକ୍ରାନ୍ତ, ୮୦୭ ସୁସ୍ଥ

ଭୁବନେଶ୍ୱର : ଜୁଲାଇରେ ସବୁ ଆକଳନକୁ ଭୁଲ୍ ସାବ୍ୟସ୍ତ କରିବାରେ ଲାଗିଛି କରୋନା। ‌ବେସରକାରୀ ସ୍ତରରେ ଅନେକ ବିଶେଷଜ୍ଞ ଓ ସରକାରୀ ମଡେଲ ଉଭୟ ଜୁଲାଇ ମାସରେ ୨୫-୩୦ ହଜାର ଭିତରେ କରୋନା ସଂକ୍ରମଣ ରହିବ ବୋଲି ଅନୁମାନ ଲଗାଇଥିଲେ। ହେଲେ ଏବେ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୩୦ ହଜାର ଡେଇଁ ସାରିଲାଣି। ମାର୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ୧୩୭ ଦିନରେ ରାଜ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଛି।

ଏହାସହ ରାଜ୍ୟରେ ସମୁଦାୟ ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର) ୬ ପ୍ରତିଶତରୁ ଅଧିକ ହୋଇଗଲାଣି। ଗତ ୨୪ଘଣ୍ଟାରେ ଏହା ୧୦ ପ୍ରତିଶତରୁ ଅଧିକ ରହିଛି। ବିଶେଷଜ୍ଞଙ୍କ ମତରେ ଓଡ଼ିଶା ଏବେ ଧୀରେ ଧୀରେ କରୋନା ସଂକ୍ରମଣ ଶୀର୍ଷ ଆଡ଼କୁ ଗତି କରିବାକୁ ଆରମ୍ଭ କରିଛି। ରାଜ୍ୟରେ ଦିନକୁ ଦିନ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ସୁସ୍ଥ ରୋଗୀଙ୍କ ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିବାରୁ ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିଣାମ ସ୍ବରୂପ ରାଜ୍ୟରେ ସୁସ୍ଥ ହାର ହ୍ରାସ ପାଇଛି। ତେଣୁ ଆସନ୍ତାମାସରେ ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଧାରା ବଜାୟ ରହିବ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଆଜି ୧୦ କରୋନା ମୃତ୍ୟୁ ସଂପର୍କରେ ଘୋଷଣା ହୋଇଛି। ଏହାକୁ ମିଶାଇ ଚଳିତ ମାସ ୩ ଥର ଲାଗି ୧୦ଜଣଙ୍କ ମୃତ୍ୟୁ ସଂପର୍କରେ ସରକାରୀ ଭାବେ ଘୋଷଣା କରାଯାଇଛି। ଆଜି ହୋଇଥିବା ଘୋଷଣାରେ ଗଞ୍ଜାମର ୪ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୩୩, ୪୩ ଓ ୪୭ବର୍ଷର ପୁରୁଷ ଓ ୬୫ବର୍ଷର ମହିଳାଙ୍କ ମଧୁମେହ, ଉଚ୍ଚ ରକ୍ତଚାପ ଓ ଥାଇରଏଡ୍‌ ସମସ୍ୟା ରହିଥିଲା। ସୁନ୍ଦରଗଡ଼ର ୭୧ବର୍ଷର ପୁରୁଷ ମଧୁମେହରେ ଆକ୍ରାନ୍ତ ଥିବା ବେଳେ ନୟାଗଡ଼ ଜିଲ୍ଲାର ୬୫ବର୍ଷର ପୁରୁଷ କିଡ୍‌ନି ଓ ଅନ୍ୟ ସମସ୍ୟାରେ ପୀଡ଼ିତ ଥିବା ବେ‌ଳେ ପ୍ରାଣ ହରାଇଛନ୍ତି। ସମ୍ବଲପୁରର ୬୭ବର୍ଷର ଉଚ୍ଚ ରକ୍ତଚାପରେ ପୀଡ଼ିତ ପୁରୁଷ, ଭୁବନେଶ୍ବରର ୬୦ବର୍ଷର ଦୁଇ ଜଣ ପୁରୁଷ ମଧୁମେହ ଓ କିଡ୍‌ନି ସମସ୍ୟାରେ ପୀଡ଼ିତ ଥିଲେ, ରାୟଗଡ଼ାର ୫୦ବର୍ଷର ସିଓପିଡିରେ ପୀଡ଼ିତ ଥିବା ପୁରୁଷ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୯ରେ ପହଞ୍ଚିଥିବା ବେଳେ ଅଣ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୩୬ ରହିଛି।

VectorStock

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୨୦୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୭୫୮ଜଣ ସଙ୍ଗରୋଧରୁ ଓ ୪୪୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ୨୮ଟି ଜିଲ୍ଲାରୁ ଏହି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗଞ୍ଜାମରେ ୨୫୦ ଓ ଖୋର୍ଧାରେ ୨୨୦ଜଣ ସର୍ବାଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ କଟକ ୯୭, ସୁନ୍ଦରଗଡ଼ ୭୪, ଗଜପତି ୭୨, କୋରାପୁଟ ୬୬, ମାଲକାନଗିରି ୬୫, ରାୟଗଡ଼ା ୪୫, ସମ୍ବଲପୁର ୪୦, ନୟାଗଡ଼ ୨୪, ବାଲେଶ୍ବର ୨୦, ମୟୂରଭଞ୍ଜ ୧୬, ଅନୁଗୁଳ ୧୫, କନ୍ଧମାଳ ଓ କେନ୍ଦ୍ରାପଡ଼ା ୧୪ଜଣ ଲେଖାଏଁ, ବରଗଡ଼ ୧୨, କେନ୍ଦୁଝର ୧୧, ପୁରୀ ୯, ଜଗତସିଂହପୁର, ଦେବଗଡ଼ ୮ ଜଣ ଲେଖାଏଁ, ବଲାଙ୍ଗୀର ୬, ନବରଙ୍ଗପୁର, ସୋନପୁର ଓ କଳାହାଣ୍ଡିରେ ୪ଜଣ ଲେଖାଏଁ, ଢେଙ୍କାନାଳ ଓ ବୌଦ୍ଧରେ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୩୭୮ରେ ପହଞ୍ଚିଛି। ଗଞ୍ଜାମରେ ୯୯୯୬, ଖୋର୍ଧା ୩୯୮୬, କଟକ ୨୦୪୩, ଗଜପତି ୧୩୦୫, ସୁନ୍ଦରଗଡ଼ ୧୨୯୮, ଯାଜପୁର ୧୨୨୫ରେ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ରହିଛି।

ଅପରପକ୍ଷରେ ଆଜି ରାଜ୍ୟରେ ୮୦୭ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୪୩୧ଜଣ ଥିବା ବେଳେ କଟକ ୬୨, ରାୟଗଡ଼ା ୪୭, ଗଜପତି ୩୪, କେନ୍ଦୁଝର ୨୯, ସୁନ୍ଦରଗଡ଼ ୨୪, ନୟାଗଡ଼ ୨୩, ଯାଜପୁର ୨୧, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ୧୪ ଜଣ ଲେଖାଏଁ, ଭଦ୍ରକ ୧୨, ଖୋର୍ଧା ୧୨, ବରଗଡ଼ ୧୧, ମାଲକାନାଗିରି ୧୦, ବଲାଙ୍ଗୀର ଓ ସମ୍ବଲପୁର ୭ଜଣ ଲେଖାଏଁ, ଝାରସୁଗୁଡ଼ା ୬, ଢେଙ୍କାନାଳ ୪, ଅନୁଗୁଳ ୩, କୋରାପୁଟ ଓ ପୁରୀରେ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଏବେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୯୭୪୫ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର