ରାଜ୍ୟରେ ୨ ଲକ୍ଷ ଟପିଲା କରୋନା ସଂକ୍ରମଣ

ଦିନକୁ ୪ ହଜାର ତଳକୁ ଖସୁନି, ନମୁନା ପରୀକ୍ଷା ୩୦ ଲକ୍ଷ ଟପିଲା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଲଗାତର ଭାବେ ଦୈନିକ ସଂକ୍ରମଣ ୪ ହଜାର ଉପରେ ରହୁଛି। ଆଜି ମୋଟ୍‌ ସଂକ୍ରମଣ ୨ ଲକ୍ଷ ଟପିଯାଇଛି। ଆରୋଗ୍ୟ ହାର ରାଜ୍ୟରେ ବଢ଼ୁଥିଲେ ବି ସଂକ୍ରମଣର ଏପରି ଉପରମୁହାଁ ସ୍ଥିତି ବେଶ୍‌ ଚିନ୍ତାଜନକ ହୋଇପଡ଼ିଛି। ‌ସେହିପରି ଲଗାତର ୩ ଦିନ ଧରି କରୋନା ଜନିତ ମୃତ୍ୟୁ ବି ୧୫ ଉପରେ ରହୁଛି।

ରାଜ୍ୟରେ ପ୍ରଥମ କରୋନା ରୋଗୀ ମାର୍ଚ୍ଚ ୧୫ ତାରିଖରେ ଚିହ୍ନଟ ହୋଇଥିଲେ। ଭୁବନେଶ୍ବରର ଏହି ବ୍ୟକ୍ତି ବିଦେଶରୁ ଫେରିଥିଲେ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଛୁଇଁବାକୁ ପାଖାପାଖି ୫ ମାସ ଲାଗିଥିଲା। ଅଗଷ୍ଟ ୧୧ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଥିଲା। ପରବର୍ତ୍ତୀ ୧୮ ଦିନରେ ଅର୍ଥାତ ଅଗଷ୍ଟ ୨୯ ତାରିଖରେ ଆକ୍ରାନ୍ତ ସଂଖ୍ୟା ଏକ ଲକ୍ଷ ଟପିଗଲା। ଏହାର ୧୪ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୨ ତାରିଖରେ ଏହି ସଂଖ୍ୟା ଦେଢ଼ ଲକ୍ଷ ଛୁଇଁଲା। ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିବାକୁ ଆଉ ମାତ୍ର ୧୩ ଦିନ ଲାଗିଲା।

ସଂକ୍ରମଣ ଓ ମୃତ୍ୟୁ ଏମିତି ଉଦ୍‌ବେଗଜନକ ଥିଲାବେଳେ ଗତ ୨୪ ଘଣ୍ଟା ଭିତରେ ୪୩୮୮ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଗୋଟିଏ ଦିନରେ ଏହା ସର୍ବାଧିକ। ରାଜ୍ୟରେ ମୋଟ୍‌ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୬୫,୪୩୨ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ ଜଣ ସୁସ୍ଥ ହୋଇଥିଲା ବେଳେ ତାଲିକାର ଦ୍ବିତୀୟରେ ରହିଛି କଟକ(୪୯୬)। ଏହା ବାଦ୍ ପୁରୀରୁ ୧୮୩, ନୂଆପଡ଼ାରୁ ୧୭୯, ବରଗଡ଼ରୁ ୧୭୪, ଝାରସୁଗୁଡ଼ାରୁ ୧୬୭, ଯାଜପୁରରୁ ୧୫୯, ଅନୁଗୁଳରୁ ୧୪୪, ବାଲେଶ୍ବରରୁ ୧୪୨, ରାୟଗଡ଼ାରୁ ୧୩୮, ସୁନ୍ଦରଗଡ଼ରୁ ୧୨୮, କନ୍ଧମାଳରୁ ୧୨୬, ଜଗତସିଂହପୁର ଓ ନବରଙ୍ଗପୁରରୁ ୧୧୫ ଲେଖାଏ, ସମ୍ବଲପୁରରୁ ୧୧୪, ମୟୂରଭଞ୍ଜରୁ ୧୦୯, ବୌଦ୍ଧରୁ ୧୦୧, କେନ୍ଦ୍ରାପଡ଼ାରୁ ୧୦୦, ଭଦ୍ରକରୁ ୮୯, କୋରାପୁଟରୁ ୮୮, କେନ୍ଦୁଝରରୁ ୭୩, ଢେଙ୍କାନାଳରୁ ୫୭, ସୋନପୁରରୁ ୫୬, ଗଞ୍ଜାମରୁ ୪୯, ବଲାଙ୍ଗୀରରୁ ୪୭, ନୟାଗଡ଼ରୁ ୪୪, କଳାହାଣ୍ଡିରୁ ୪୩, ମାଲକାନଗିରିରୁ ୪୦, ଗଜପତିରୁ ୩୨, ଦେବଗଡ଼ରୁ ୧୦ ଓ ଷ୍ଟେଟ୍‌ ପୁଲ୍‌ରୁ ୩୨୬ ଜଣ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୪୬୨ ସଙ୍ଗରୋଧରୁ ଓ ୧୭୪୬ ସ୍ଥାନୀୟ ସଂକ୍ରମଣ ରହିଛି। ମୋଟ୍ ପଜିଟିଭ୍ ସଂଖ୍ୟା ୨,୦୧,୦୯୬ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୫ ଓ କଟକରୁ ୪୬୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୨୩୭, ପୁରୀରୁ ୧୯୯, ଅନୁଗୁଳରୁ ୧୯୪, ଜଗତସିଂହପୁରରୁ ୧୮୧, ନୂଆପଡ଼ାରୁ ୧୭୫, ମୟୂରଭଞ୍ଜରୁ ୧୫୪, ନବରଙ୍ଗପୁର ଓ ସମ୍ବଲପୁରରୁ ୧୩୧ ଲେଖାଏ, କଳାହାଣ୍ଡିରୁ ୧୧୬, ବାଲେଶ୍ବରରୁ ୧୧୮, ବରଗଡ଼ରୁ ୧୧୪, କେନ୍ଦ୍ରାପଡ଼ାରୁ ୧୧୦, କନ୍ଧମାଳରୁ ୧୦୨, କେନ୍ଦୁଝରରୁ ୮୨, ଝାରସୁଗୁଡ଼ାରୁ ୮୧, ସୁନ୍ଦରଗଡ଼ରୁ ୮୦, ବଲାଙ୍ଗୀରରୁ ୭୬, କୋରାପୁଟରୁ ୭୨, ‌ଢେଙ୍କାନାଳରୁ ୬୮, ଗଞ୍ଜାମରୁ ୬୩, ମାଲକାନଗିରି ଓ ରାୟଗଡ଼ାରୁ ୬୧ ଲେଖାଏ, ନୟାଗଡ଼ରୁ ୫୨, ଭଦ୍ରକରୁ ୪୮, ବୌଦ୍ଧରୁ ୨୯, ସୋନପୁରରୁ ୨୬, ଦେବଗଡ଼ରୁ ୨୦, ଗଜପତିରୁ ୧୩, ଓ ଷ୍ଟେଟ୍‌ ପୁଲ୍‌ରୁ ୨୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ କରୋନାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ସର୍ବାଧିକ ୪ ଜଣ ମୃତ୍ୟୁବରଣ କରିଥିଲା ବେଳେ ପୁରୀରୁ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହା ବାଦ୍ ମୟୂରଭଞ୍ଜରୁ ୨, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ, ରାୟଗଡ଼ା, ବଲାଙ୍ଗୀର ଓ କନ୍ଧମାଳରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦,୦୯,୧୮୩ ନମୁନା ପରୀକ୍ଷା କରାଯାଇଥିବାବେଳେ ଏଥିରୁ ୬.୬୮ ପ୍ରତିଶତ ପଜିଟିଭ୍ ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର