ରାଜ୍ୟରେ କୋଭିଡ ସଂଖ୍ୟା ୧୨୯ ଦିନରେ ୨୧ ହଜାର ଟପିଲା

ଦିନକରେ ୧୧ହଜାର ପରୀକ୍ଷା, ୧୨୬୪ ପଜିଟିଭ୍
ଆଉ ୬ ମୃତ, ସଂଖ୍ୟା ୧୧୪ ଛୁଇଁଲା
ସୁନ୍ଦରଗଡ଼, ଜଗତ୍‌ସିଂହପୁର ପରବର୍ତୀ ହଟ୍‌ସ୍ପଟ୍!

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ କୋଭିଡ ପରୀକ୍ଷା ଓ ନୂଆ ସଂକ୍ରମଣରେ ରେକର୍ଡ ହୋଇଛି। ପ୍ରଥମଥର ଲାଗି ରାଜ୍ୟରେ ୧୧ହଜାରରୁ ଅଧିକ କୋଭିଡ ପରୀକ୍ଷା ହୋଇଥିବା ବେଳେ ୧୨୬୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କୋଭିଡ ସଂଖ୍ୟା ୨୧୦୯୯ରେ ପହଞ୍ଚିଛି। ୨୧ହଜାର ପାର୍ କରିବା ଲାଗି ରାଜ୍ୟରେ ୧୨୯ ଦିନ ଲାଗିଛି। ତେବେ ଗଞ୍ଜାମ ଓ ଖୋର୍ଧା ଜିଲ୍ଲା ପରେ ରାଜ୍ୟରେ ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲା ପରବର୍ତୀ ହଟସ୍ପଟ୍‌ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଦୁଇ ଜିଲ୍ଲାରେ ଯେଉଁଭଳି ଭାବେ ଆସ୍ବାଭାବିକ ଭାବେ ସଂକ୍ରମଣ ବଢ଼ୁଛି, ତାହାକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନିଆ ନଗଲେ, ଚିନ୍ତାର କାରଣ ହୋଇପାରେ।

ଭୁବନେଶ୍ବର ଏମ୍‌ସର ଜଣେ ବରିଷ୍ଠ ଡାକ୍ତର ନିଜ ନାମ ଗୋପନ ରଖିବା ସର୍ତରେ ‘ସମ୍ବାଦ’କୁ କହିଛନ୍ତି, ଚଳିତମାସ ପ୍ରଥମ ସପ୍ତାହରୁ ହିଁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି। ଯେବେଠାରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଛୁଇଁଥିଲା, ସେବେଠାରୁ ଏହା ଆରମ୍ଭ ହୋଇସାରିଛି ବୋଲି କୁହାଯିବ। ବିଶେଷକରି ଗଞ୍ଜାମରେ ଏହା ସ୍ପଷ୍ଟ ହୋଇ ସାରିଥିବା ବେଳେ ଖୋର୍ଧା ଜିଲ୍ଲା ଗୋଷ୍ଠୀ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଯେଉଁଭଳି ଭାବେ ଜିଲ୍ଲାରେ ସଂକ୍ରମଣ ବଢ଼ୁଛି, ଖୁବଶୀଘ୍ର ଭୁବନେଶ୍ବରରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେବା ନେଇ ଆଶଙ୍କା ସୃଷ୍ଟି ହେଲାଣି। ପ୍ରତ୍ୟେକ ଜିଲ୍ଲା ଏକ ନିର୍ଦ୍ଦିଷ୍ଟ ସମୟରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବେ ନାହିଁ। ଏବେ କିଛି ଜିଲ୍ଲା ଶୀର୍ଷରେ ଥିବା ବେଳେ ଆଗକୁ ଅନ୍ୟ ଜିଲ୍ଲା ଏଥିରେ ସାମିଲ ହୋଇପାରନ୍ତି। ଗୋଷ୍ଠୀ ସଂକ୍ରମଣକୁ ଅଲଗା ଢଙ୍ଗରେ ସ୍ଥାନୀୟ ସଂକ୍ରମିତ ବୋଲି ଦର୍ଶାଯାଉଛି।

 

ତେବେ ରାଜ୍ୟର ପରବର୍ତୀ ହଟ୍‌ସ୍ପଟ୍ ଜିଲ୍ଲା ପାଲଟିବ ସୁନ୍ଦରଗଡ଼ ଓ ଜଗତସିଂହପୁର। ହଟ୍‌ସ୍ପଟ୍‌ ପାଇଁ ୪ଟି କ୍ଷେତ୍ରକୁ ବିଚାରକୁ ନିଆଯାଇଥାଏ। ଜନବହୁଳ, ଲୋକଙ୍କ ଯିବାଆସିବା, ସୀମାକୁ ଲାଗିଥିବା ଜିଲ୍ଲା ଓ ପ୍ରବାସୀଙ୍କ ଆଗମନକୁ ନେଇ ସଂକ୍ରମଣର ମଡେଲ ଏହି ୨ ଜିଲ୍ଲାକୁ ଇଙ୍ଗିତ କରୁଛି। ଯଦିଓ ଜଗତସିଂହପୁର ଏହି ୪ଟି କ୍ଷେତ୍ରକୁ ପୂରଣ କରୁନାହିଁ, ମାତ୍ର ଗତ ୫ଦିନ ସଂକ୍ରମଣକୁ ଅନୁଧ୍ୟାନ କଲେ, ସେଠାରେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। କୌଣସି ଯାତ୍ରା ଇତିହାସ ନ ଥାଇ ମଧ୍ୟ ଲୋକମାନେ ସଂକ୍ରମିତ ହୋଇ ଚାଲିଛନ୍ତି। ପୂର୍ବରୁ ଯେଉଁଭଳି ଭାବେ କଣ୍ଟାକ୍ଟ ଟ୍ରେସିଂ ହେଉଥିଲା, ଗ୍ରାମାଞ୍ଚଳରେ ଏହା ଯଥେଷ୍ଟ ହ୍ରାସ ପାଇଛି। ତେବେ ଏହାକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ ହେବା ଦରକାର।

ରାଜ୍ୟ‌ରେ କୋଭିଡ୍‌ ଶଯ୍ୟାର ପରିଚାଳନାରେ ସ୍ବଚ୍ଛତା ଅବଲମ୍ବନ କରାଯାଉନାହିଁ ବୋଲି ଅଭିଯୋଗ ଉଠିଲାଣି। ମୁମ୍ବାଇ ଓ ଦିଲ୍ଲୀରେ କୋଭିଡ୍‌ ଶଯ୍ୟା କେତେ ପରିମାଣର ରହିଛି, ତାହାକୁ ଡିସପ୍ଲେ କରାଯାଉଛି। ଫଳରେ ଲୋକମାନେ ଅନ୍ୟ ହସ୍ପିଟାଲରେ ଥିବା ଶଯ୍ୟା ପାଇଁ ଆଗ୍ରହ‌ ଦେଖାଇବେ। ମାତ୍ର ଓଡ଼ିଶାରେ ଏଭଳି ବ୍ୟବସ୍ଥା ନ ଥିବାରୁ ଲୋକମାନଙ୍କୁ ଘଣ୍ଟା ଘଣ୍ଟା ଧରି ହସ୍ପିଟାଲ ସମ୍ମୁଖରେ ଠିଆ ହେବାକୁ ପଡ଼ୁଛି। ଫଳରେ ଲୋକମାନଙ୍କ ମଧ୍ୟରେ ଏଥିପାଇଁ ଏକ ଅନାଗ୍ରହ ଦେଖାଦେଉଛି। ଅନ୍ୟ ରାଜ୍ୟରେ ପଜିଟିଭ୍‌ ରୋଗୀଙ୍କୁ ହସ୍ପିଟାଲରେ କିଭଳି ଚିକିତ୍ସା ଦିଆଯାଉଛି, ସେମାନଙ୍କ ପରିବାରକୁ ପ୍ରତ୍ୟେକ ଦିନ ଏ ସଂପର୍କରେ ସୂଚନା ଦିଆଯାଉଛି। ମାତ୍ର ଓଡ଼ିଶାରେ ଏଭଳି ବ୍ୟବସ୍ଥା ନ ଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏପରିକି ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାରୁ ଲୋକମାନେ ବିଶାଖାପାଟଣାରେ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ପଳାଉଛନ୍ତି। ତେଣୁ କୋଭିଡ୍‌ ଶଯ୍ୟା ପରିଚାଳନା ଓ ଯୋଗାଯୋଗରେ ସ୍ବଚ୍ଛତା ଆଣିବାକୁ ହେବ ବୋଲି ସଂପୃକ୍ତ ଡାକ୍ତରଜଣକ କହିଛନ୍ତି।

Childrens Choice Therapy

ମାର୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ସଂକ୍ରମଣ ଧୀରେଧୀରେ ବଢ଼ିଥିଲା। ମାତ୍ର ଜୁଲାଇ ଆରମ୍ଭରୁ ଦ୍ରୁତ ଗତିରେ ସଂକ୍ରମଣ ବଢ଼ି ଚାଲିଛି। ମାସରେ ସଂକ୍ରମଣ ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡସ୍ତରରେ ପହଞ୍ଚୁଛି। ୧୨୯ ଦିନ ପରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୨୧ହଜାର ପାର୍ କରିଛି। ବିଶେଷକରି ଗଞ୍ଜାମ ଓ ଖୋର୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ି ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ୧୨୬୪ ପଜିଟିଭ୍ ମଧ୍ୟରେ ଗଞ୍ଜାମର ୫୪୦, ଖୋର୍ଧା ୧୩୭, ରାୟଗଡ଼ା ୮୪, ଗଜପତି ୭୪, ନୟାଗଡ଼ ୬୧, ସୁନ୍ଦରଗଡ଼ ୬୦, କଟକ ୪୭, ଭଦ୍ରକ ୩୦, କନ୍ଧମାଳ ୨୯, କୋରାପୁଟ ୨୭, କେନ୍ଦୁଝର ୨୫, ବରଗଡ଼ ୨୪, ପୁରୀ ୨୨, ସମ୍ବଲପୁର ୨୦, ଯାଜପୁର ୧୭, ମୟୂରଭଞ୍ଜ ୧୫, ବାଲେଶ୍ବର ୯, କେନ୍ଦ୍ରାପଡ଼ା ୮, ଅନୁଗୁଳ ଓ କଳାହାଣ୍ଡିରେ ୭ଜଣ ଲେଖାଏଁ, ଢେଙ୍କାନାଳ ୬, ନବରଙ୍ଗପୁର ଓ ଜଗତ୍‌ସିଂହପୁରରେ ୪ଜଣ ଲେଖାଏଁ, ବୌଦ୍ଧ ୨, ନୂଆପଡ଼ା, ବଲାଙ୍ଗୀରରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୮୪୭ଜଣ ସଙ୍ଗରୋଧରୁ ୪୧୭ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗଞ୍ଜାମରେ ୬୯୦୨, ଖୋର୍ଧା ୨୩୫୬, କଟକ ୧୪୩୧ ଓ ଯାଜପୁର ୧୦୬୦ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ରହିଛି।

VectorStock

ଏହାସହ ଆଜି ୬ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏଥିରେ ୫ଜଣ ଗଞ୍ଜାମ ଜିଲ୍ଲାର ରହିଛନ୍ତି। ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ୪୧ବର୍ଷ, ୬୩, ୫୧ ଓ ୫୭ବୟସ୍କଙ୍କ ମୃତ୍ୟୁ ହୋଇଛି। ତେବେ ୬୯ବର୍ଷ ବ୍ୟକ୍ତିଙ୍କ କୌଣସି ଅନ୍ୟ ରୋଗ ନ ଥାଇ ପ୍ରାଣ ହରାଇଛନ୍ତି। ସେହିପରି ଖୋର୍ଧା ଜିଲ୍ଲାର ୮୬ ବର୍ଷର ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ଓ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ୬୭ ଓ ଖୋର୍ଧା ଜିଲ୍ଲାରେ ୧୫ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

ଆଜି ୬୪୩ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଞ୍ଜାମ ୪୦୭, ଖୋର୍ଧା ୪୪, ବାଲେଶ୍ବର ୩୧, ମୟୂରଭଞ୍ଜ ୨୮, କଟକ ୨୭, ଜଗତସିଂହପୁର ୧୫, ବରଗଡ଼ ଓ କନ୍ଧମାଳ ୧୪‌ ଲେଖାଏଁ, ଢେଙ୍କାନାଳ ଓ କେନ୍ଦୁଝର ୧୧ ଲେଖାଏଁ, ଭଦ୍ରକ ୮, ଗଜପତି ୬, ବଲାଙ୍ଗୀର ଓ ଝାରସୁଗୁଡ଼ାରୁ ୫ ଲେଖାଏଁ, ଯାଜପୁର ଓ ସୁନ୍ଦରଗଡ଼ ୪ ଲେଖାଏଁ, କେନ୍ଦ୍ରାପଡ଼ା ଓ କୋରାପୁଟ ୩ ଲେଖାଏଁ, ସମ୍ବଲପୁର ୨ ଓ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୪୩୯୨ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର