ଚିନ୍ତା ବଢ଼ାଇଛି ବିଳମ୍ବିତ ରିପୋର୍ଟ : ଅନୁଗୁଳରେ ସ୍ଥିତି ବିଗାଡ଼ୁଛନ୍ତି ସଂକ୍ରମିତ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ କରୋନା ସ୍ଥିତି ସାଂଘାତିକ ଭାବେ ବଢ଼ିବାରେ ଲାଗିଛି। ପ୍ରତିଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ, ବିଳମ୍ବରେ ନମୁନା ପରୀକ୍ଷା ରିପୋର୍ଟ ଆସିବା ସବୁଠାରୁ ଚିନ୍ତା ବଢ଼ାଇ ଦେଇଛି। ରିପୋର୍ଟ ଆସିବା ବେଳକୁ ସଂପୃକ୍ତ ବ୍ୟକ୍ତି ଅନେକ ଲୋକଙ୍କ ସାଂଗରେ ମିଶି ସାରିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଅନ୍ୟତମ କାରଣ ବୋଲି କୁହାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ୧୫ ତାରିଖ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୬୦, ୫୦୭ଟି ନମୁନା ସଂଗ୍ରହ କରାଯାଇଥିଲା। ଏଥିମଧ୍ୟରୁ ୨୭୪୬୮ ଆର୍‌ଟିପିସିଆର୍, ୩୨୫୮୦ଟି ଆର୍‌ଏଟି ଏବଂ ୪୫୯ଟି ଟ୍ରୁନାଟ୍ ଜରିଆରେ ନମୁନା ସଂଗ୍ରହ କରାଯାଇଛି। ଆର୍‌ଏଟି ଓ ଟ୍ରନାଟ୍ ପରୀକ୍ଷା ଅନୁଗୁଳରେ ହେଉଥିବା ବେଳେ ଆର୍‌ଟିପିସିଆର୍ ନମୁନା କଟକ ବଡ଼ ଡାକ୍ତରଖାନାକୁ ପରୀକ୍ଷା ପାଇଁ ପଠାଯାଉଛି। କଟକରୁ ରିପୋର୍ଟ ଆସିବା ବେଳକୁ ୪ ଦିନ ସମୟ ଲାଗିଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଲକ୍ଷଣଯୁକ୍ତ କିମ୍ବା ସ୍ବଳ୍ପ ଲକ୍ଷଣ ଥିବା ବ୍ୟକ୍ତି କ୍ଷେତ୍ରରେ ଉଭୟ ଆର୍‌ଏଟି ଓ ଆର୍‌ଟିପିସିଆର୍ ନମୁନା ପରୀକ୍ଷା କରାଯାଉଛି। ତେବେ ଆର୍‌ଏଟି ରିପୋର୍ଟ ଶୀଘ୍ର ମିଳିଯାଉଥିଲେହେଁ ଏହି କ୍ଷେତ୍ରରେ ଆର୍‌ଟିପିସିଆର୍ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉଥିବା ଜଣାପଡ଼ିଛି। ଦ୍ବନ୍ଦ୍ବାତ୍ମକ ସ୍ଥିତିର ସମ୍ମୁଖୀନ ହେବା ଆଶଙ୍କା କରି ରିସ୍କ ନେବାକୁ ଚାହୁଁ ନାହାନ୍ତି। ଅପରପକ୍ଷରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ବତନ୍ତ୍ର କାଉଣ୍ଟରରେ ହେଉଥିବା ଆର୍‌ଏଟି ପାଇଁ ଲମ୍ବା ଧାଡ଼ି ରହୁଛି। ପ୍ରତିଦିନ ମାତ୍ର ଶହେ ଜଣଙ୍କ ନମୁନା ପରୀକ୍ଷା କରାଯାଉଥିବାରୁ ବହୁଲୋକ ଫେରି ଯାଉଛନ୍ତି। ଏଭଳି ସ୍ଥିତି ଦେଖି ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇଁ ନିକଟରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଦାବିପତ୍ର ଦିଆଯାଇଥିଲା। ସେହିପରି ଅନୁଗୁଳ ଜିଲ୍ଲା ଜନଜୀବନ କମିଟି ମଧ୍ୟ ଏନେଇ ଚିନ୍ତା ପ୍ରକାଟ କରିଛି।

ଗତ ଅନୁଗୁଳ ଜିଲ୍ଲାର ରୋଗୀମାନଙ୍କ ତାଳଚେରରେ କୋଭିଡ୍ ହସ୍ପିଟାଲ ରହିଛି। ଏହି କୋଭିଡ୍ ହସ୍ପିଟାଲର ମାତ୍ର ୧୫୦ଟି ଶଯ୍ୟା ରହିଛି। ଆଜି ତାରିଖରେ ଅନୁଗୁଳ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪୩ରେ ପହଂଚିଥିବା ବେଳେ ୧୩୭୧ ଜଣ ସୁସ୍ଥ ହୋଇଛନ୍ତି। ତେବେ ଅନ୍ୟ ୯୭୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅବଶ୍ୟ କଟକ, ଭୁବ‌ନେଶ୍ବରକୁ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଯାଇଥିବା କେତେକ ରୋଗୀ ମଧ୍ୟ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କରୋନା ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ରୋଗୀମାନେ ପ୍ରାୟତଃ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ, ଅନ୍ୟ ରୋଗୀମାନଙ୍କୁ ଏବେ ଘରେ ଆଇସୋଲେସନରେ ରହି ଚିକିତ୍ସିତ ହେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି। ବହୁ ଲୋକଙ୍କ ଘରେ ଆଇସୋଲେସନରେ ରହିବା ପାଇଁ ଆବଶ୍ୟକ ସୁବିଧା ନଥିବାରୁ ସଂକ୍ରମଣ ବୃଦ୍ଧିର ଏକ କାରଣ ବୋଲି କୁହାଯାଇଛି। ନମୁନା ପରୀକ୍ଷା ବୃଦ୍ଧି ଏବଂ ଅଧିକ ଶଯ୍ୟା ବ୍ୟବସ୍ଥା କରିବାକୁ କମିଟି ଗୁରୁତ୍ବାରୋପ କରିଆସୁଛି। ଅବଶ୍ୟ ନୂଆ ଜିଲ୍ଲାପାଳଙ୍କ ଯୋଗଦାନ ପରେ କରୋନା ମୁକାବିଲା ପାଇଁ ପ୍ରଶାସନର ବେଶ୍ ତତ୍ପରତା ପ୍ରକାଶ ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ‌ଅଙ୍କୁଶ ଲଗାଇବା ପାଇଁ କେତେକ ଠୋସ୍ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର