କୋଭିଡ୍‌ ସଂକ୍ରମଣରେ ଜଣେ ମୃତ; ୬୫ ଆକ୍ରାନ୍ତ ଚି଼ହ୍ନଟ

ଜୟପାଟଣା : ଜୟପାଟଣା ଅଞ୍ଚଳରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଦ୍ଵିତୀୟ ପର୍ଯ୍ୟାୟରେ ହୁହୁ ହୋଇ ବଢ଼ି ୬୫ରେ ପହଞ୍ଚିଛି। ଗତ ବୁଧବାର ରାତିରେ ମୁଖିଗୁଡ଼ା ଗ୍ରାମର ଜଣେ ସଂକ୍ରମିତଙ୍କ ଭବାନୀପାଟଣା କୋଭିଡ୍‌ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ବିଭିନ୍ନ ସାମାଜିକ କର୍ମରେ ବିପୁଳ ଜନସମାବେଶ, ସଂକ୍ରମିତ ଅଞ୍ଚଳରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ନକରିବାରୁ ସଂକ୍ରମଣ ବଢ଼ିଚାଲିଛି ବୋଲି ଆଲୋଚନା ହେଉଛି।

ସୂଚନାରୁ ପ୍ରକାଶ ଯେ ମୁଖିଗୁଡ଼ା ଗ୍ରାମର ଉଦୟନାଥ ମାଝୀ (୪୦ ବର୍ଷ) ଓଏଚ୍‌ପିସିରେ ଏକ ଠିକା ସଂସ୍ଥା ଦ୍ୱାରା ଅସ୍ଥାୟୀ ଡ୍ରାଇଭର କାର୍ଯ୍ୟ କରୁଥିଲେ। ସେକ୍ଟର ୧କୁ ଯାଇ ସେ ସଂକ୍ରମିତ ହୋଇଥିଲେ ବୋଲି ଜଣାପଡ଼ିଛି। କିଛିଦିନ ଘରେ ଅସୁସ୍ଥ ହୋଇ ପଡ଼ିରହିବା ପରେ ଗତ ମଙ୍ଗଳବାର ରାତିରେ ଜୟପାଟଣା ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ଭବାନୀପାଟଣା କୋଭିଡ୍‌ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ସେଠାରେ ଗତ ବୁଧବାର ରାତିରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘରେ ତାଙ୍କର ପତ୍ନୀ ଓ ୩ ନାବାଳକ ପୁତ୍ର ଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଚତୁର ସୁନା, ଡମ୍ବରୁ ମହାଲିକ, ବନମାଳୀ ମାଝୀ ଗୌରାଙ୍ଗ ନାଏକ, ନୀଳ ସୁନାନୀ ପ୍ରମୁଖ ଓଏଚ୍‌ପିସି ବରିଷ୍ଠ ମହାପ୍ରବନ୍ଧକଙ୍କୁ ଭେଟି ମୃତକ ପରିବାରକୁ ସହାୟତା ପାଇଁ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର