ଖୋର୍ଧାରେ ଦୈନିକ ସଂକ୍ରମଣ ୪ହଜାର ଟପିଲା, ଦିନକରେ ରେକର୍ଡ ସଂଖ୍ୟକ ୧୧୬୦୭ ପଜିଟିଭ୍

ନମୁନା ପରୀକ୍ଷା କମୁଛି, ସଂକ୍ରମଣ ହାର ୧୭%
ତୃତୀୟ ଲହରରେ କୋଭିଡ ମୃତ୍ୟୁ ସଂଖ୍ୟା ବଢ଼ୁଛି

ଭୁବନେଶ୍ବର : ଖୋର୍ଧା ଜିଲ୍ଲାରେ କରୋନା ବିସ୍ଫୋରଣ ହୋଇଛି। ଜିଲ୍ଲାରେ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୪୭ରେ ପହଞ୍ଚିଛି। ଯାହାକି କରୋନାର ୩ଟି ଲହରରେ ସର୍ବାଧିକ। ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୧୧୬୦୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାହାର ୩୭ପ୍ରତିଶତ କେବଳ ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଓମିକ୍ରନ୍ ଜନିତ ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ ୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ରାଜ୍ୟରେ ଲଗାତାର ଭାବେ ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ହେଲେ ରାଜ୍ୟରେ ନମୁନା ପରୀକ୍ଷା କମିବାରେ ଲାଗିଛି। ଗତକାଲି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କୋଭିଡ୍‌ ନମୁନା ପରୀକ୍ଷା ବୃଦ୍ଧି କରିବା ନେଇ ଚିଠି ଲେଖିବା ପରେ ମଧ୍ୟ ରାଜ୍ୟରେ ନମୁନା ପରୀକ୍ଷାରେ ବୃଦ୍ଧି ହୋଇନାହିଁ। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୯,୫୦୨ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର(ଟିପିଆର) ୧୬.୭ପ୍ରତିଶତକୁ ବୃଦ୍ଧି ପାଇଛି। ଖୋର୍ଧାରେ ସଂକ୍ରମଣ ହାର ୩୧ ପ୍ରତିଶତ ଓ ସୁନ୍ଦରଗଡ଼ରେ ୨୯ ପ୍ରତିଶତ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ, ଓଡ଼ିଶା ସମେତ ରାଜ୍ୟର ଏକାଧିକ ଜିଲ୍ଲାରେ ସଂକ୍ରମଣର ‘ଆର୍’ ବା ରିପ୍ରଡକସନ୍ ଭ୍ୟାଲୁ ୩ ଉପରେ ରେକର୍ଡ କରାଯାଇଛି। ଫଳରେ କେବଳ ସହରାଞ୍ଚଳ ନୁହେଁ, ରାଜ୍ୟର ତୃଣମୂଳସ୍ତରରେ ମଧ୍ୟ ସଂକ୍ରମଣ ବ୍ୟାପୁଥିବା ଏଥିରୁ ଅନୁମାନ କରାଯାଉଛି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ଗତ କିଛି ଦିନ ହେବ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି। ସଂକ୍ରମଣ ହାର ଅଧିକ ରହିଥିବା କାରଣରୁ କିଛି ସ୍ଥାନରେ ଆର୍ ଭ୍ୟାଲୁ ଅଧିକ ରହିଛି। ମାତ୍ର ଏଥିପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ। ଲୋକଙ୍କୁ ନିବେଦନ କରାଯାଉଛି କି ସାମାନ୍ୟ ଲକ୍ଷଣ ଦେଖାଦେଲେ, ଟେଷ୍ଟ କରିବା ଜରୁରୀ। ଟେଷ୍ଟିଂ ଗାଇଡଲାଇନ୍‌କୁ ମାନି କେତେ ଟେଷ୍ଟ ବଢ଼ାଯାଇ ପାରିବ, ବିଭାଗ ତାହା ଉପରେ ବିଚାର କରୁଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟେଷ୍ଟିଂ ବଢ଼ାଇବା ଲାଗି ପଦକ୍ଷେପ ନିଆଯାଉଛି। ରାଜ୍ୟରେ ଲକ୍‌ଡାଉନ୍ କି ସଟ୍‌ଡାଉନ୍ ଭଳି ସ୍ଥିତି ଆସି ନ ଥିବା ଡା. ମହାପାତ୍ର କହିଛନ୍ତି।

ଖୋର୍ଧାରେ ୪୩୪୭ ସଂକ୍ରମିତଙ୍କୁ ବାଦ୍ ଦେଲେ ‌ସୁନ୍ଦରଗଡ଼ ୧୨୧୯, କଟକ ୮୯୮, ବାଲେଶ୍ବର ୩୦୫, ବଲାଙ୍ଗୀର ୨୨୯, ଯାଜପୁର ୨୩୧, ସମ୍ବଲପୁର ୩୯୦, ରାୟଗଡ଼ା ୨୨୯, ନୟାଗଡ଼ ୨୦୬, ଝାରସୁଗୁଡ଼ା ୨୧୯ ଓ ଷ୍ଟେଟ୍‌ ପୁଲରୁ ୮୭୭ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ମୋଟ ୧୧ଲକ୍ଷ ୬୭ହଜାର ୯୪କୁ ବୃଦ୍ଧି ପାଇଛି। ଆଉ ୬ମୃତକଙ୍କ ମଧ୍ୟରେ ଖୋର୍ଧାରୁ ୨, ଝାରସୁଗୁଡ଼ା, ଜଗତସିଂହପୁର, କଟକ ଓ ଭଦ୍ରକରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୬୭୮୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୮୦ହଜାର ୫୬୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୭୭,୯୮୫ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର