ମୟୂରଭଞ୍ଜରେ ଅଗଷ୍ଟ ବିସ୍ଫୋରଣ : ଗୋଟିଏ ମାସରେ ୨୭୯୦ କରୋନା ଆକ୍ରାନ୍ତ

ଏକ ଲକ୍ଷରୁ ଊର୍ଧ୍ବ ନମୁନା ପରୀକ୍ଷା, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୪୨କୁ ବୃଦ୍ଧି, ୨ହଜାର ଟପିଲା ସୁସ୍ଥ ସଂଖ୍ୟା

ବାରିପଦା : କରୋନାକୁ ନେଇ ମୟୂରଭଞ୍ଜରେ ହୋଇଛି ଅଗଷ୍ଟ ବିସ୍ଫୋରଣ। ଜୁଲାଇ ପର୍ଯ୍ୟନ୍ତ ଜିଲ୍ଲାରେ ବେଶ୍ ନିମ୍ନରେ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଗଷ୍ଟରେ ଦ୍ରୁତ ବୃଦ୍ଧି ଘଟିଛି। କେବଳ ଅଗଷ୍ଟ ମାସରେ ଜିଲ୍ଲାରୁ ୨୭ଶହ ୯୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୩୦ରେ ରେକର୍ଡ ୨୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ମାସର ଶେଷ ଦିନରେ କିନ୍ତୁ ୭୨ଜଣ ସଂକ୍ରମଣର ଶିକାର ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ୪୪୨ରେ ପହଞ୍ଚିଛି। ତେବେ କେବଳ ଅଗଷ୍ଟରେ ସଂକ୍ରମିତଙ୍କ ସଂଖ୍ୟା ସିଂହଭାଗ ରହିଛି।

ଜିଲ୍ଲାରେ ସର୍ବପ୍ରଥମ କରୋନା ଆକ୍ରାନ୍ତ ମେ ମାସ ୭ରେ କପ୍ତିପଦା ବ୍ଲକ୍‌ରୁ ଚିହ୍ନଟ ହୋଇଥିଲା। ଚଳିତ ମାସ ୧୦ରୁ ୧୫ ମଧ୍ୟରେ ୫୨୫ ପଜିଟିଭ୍ କେସ ଚିହ୍ନଟ ହୋଇଥିବା ବେଳେ ୧୬ରୁ ୩୦ ମଧ୍ୟରେ ୨ ହଜାର ୧୯୩ ଚିହ୍ନଟ ହୋଇଛନ୍ତି । ସେହିପରି ଅଗଷ୍ଟ ୩୧ ମଧ୍ୟରେ ଜିଲ୍ଲାରୁ ଅବଶିଷ୍ଟ ପ୍ରାୟ ୧୫ଶହ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅଗଷ୍ଟ ୧ରୁ ୧୫ ମଧ୍ୟରେ ୨୯୭ ଜଣ ସୁସ୍ଥ ହୋଇଥିବା ସମୟରେ ଅଗଷ୍ଟ ୧୬ରୁ ୨୯ ମଧ୍ୟରେ ୧ ହଜାର ୧୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ପ୍ରାୟ ୨୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରୁ ନମୁନା ପରୀକ୍ଷା ସଂଖ୍ୟାରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ଘଟିଛି। ଆଜିସୁଦ୍ଧା ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୧୦ହଜାରରୁ ଊର୍ଧ୍ବ ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅଗଷ୍ଟ ମାସର ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯାହାକି ଚିନ୍ତା ବଢ଼ାଉଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୦ଜଣ କରୋନା ଯୋଦ୍ଧା ମଧ୍ୟ ସାମିଲ ଅଛନ୍ତି। ସେହିପରି ଆଜି ଜିଲ୍ଲାରୁ ୧୨୮ଜଣ ସୁସ୍ଥ ହୋଇଛନ୍ତି। ଏଥି ସହିତ ଅଗଷ୍ଟ ଆଜି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୨୦୬୭ରେ ପହଞ୍ଚିଛି। ସେହିପରି ସକ୍ରିୟଙ୍କ ସଂଖ୍ୟା ୧୩୬୯ରେ ପହଞ୍ଚିଛି। ଏଯାବତ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲାରେ ୬ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି।

୭୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବ ଜିଲ୍ଲା ଓକିଲ ସଂଘ
ବାରିପଦା : ଜିଲ୍ଲା ଓକିଲ ସଂଘ, ବାରିପଦାରେ ଜଣେ ଆଇନଜୀବୀ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଆଜିଠାରୁ ୭୨ଘଣ୍ଟା ପର୍ଯ୍ୟନ୍ତ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ନିମନ୍ତେ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି। ଗତକାଲି ବାରିପଦା ପୌରପରିଷଦରୁ ସର୍ବାଧିକ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ମାତ୍ର ୩ଜଣ ସଂକ୍ରମଣର ଶିକାର ହୋଇଛନ୍ତି। ଗତକାଲିଠାରୁ ଜେଇଇ ଓ ନିଟ୍ ପରୀକ୍ଷା ନିମନ୍ତେ ଆସନ୍ତା ମାସ ୭ ଏବଂ ୧୨ରୁ ୧୪ ପର୍ଯ୍ୟନ୍ତ ଜିଲ୍ଲାରେ ସଟ୍‌ଡାଉନ କିମ୍ବା ଲକ୍‌ଡାଉନ ନିୟମ ବଳବତ୍ତର ରହିବନାହିଁ। ତେବେ ବି ଜନସାଧାରଣ କରୋନାକୁ ପ୍ରତିହତ କରିବାକୁ ହେଲେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର