ରାଜ୍ୟରେ ସୁସ୍ଥ ହେଲେଣି ୩ ହଜାରରୁ ଅଧିକ କରୋନା ରୋଗୀ

ରାଜ୍ୟର ସର୍ବାଧିକ ୧୦ଟି ସଂକ୍ରମିତ ଜିଲ୍ଲା, ଦିନକରେ ୧୭୫ ଚିହ୍ନଟ, ୭୩ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ କରୋନା ରୋଗୀ ସୁସ୍ଥ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ଯେତିକି ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ତାହାର ପ୍ରାୟ ଏକ ତୃତୀୟାଂଶ ରୋଗୀ ସୁସ୍ଥ ହୋଇ ସାରିଲେଣି। ଏ ପର୍ଯ୍ୟନ୍ତ ରାଜ୍ୟରେ ୪୩୩୮ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୦୪୭ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି।

ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୧୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ଗଜପତି ଜିଲ୍ଲାରେ। ଗଜପତିରେ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରେ ୨୫, ଏନ୍‌ଡିଆରଏଫ୍‌-ଓଡିଆରଏଫ୍‌ ୨୧, ପୁରୀ ୧୮, ବରଗଡ଼ ୧୧, କନ୍ଧମାଳ ଓ ଜଗତସିଂହପୁରରେ ୭ ଲେଖାଏ, ବାଲେଶ୍ବର ୬, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ୫ ଲେଖାଏ, ନୂଆପଡ଼ା ୪, ବଲାଙ୍ଗୀର, କଟକ ୩ ଜଣ ଲେଖାଏ, ଝାରସୁଗୁଡ଼ା, ଗଞ୍ଜାମ, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିରୁ ୧୪୫ଜଣ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟର ୧୫ଟି ଜିଲ୍ଲାରେ ଏବେ ସର୍ବାଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତହିଁରେ ଆଗରେ ରହିଛି ଗଞ୍ଜାମ, ଏଠାରୁ ୬୯୯ଜଣଙ୍କୁ ଚିହ୍ନଟ କରାଯାଇ ସାରିଲାଣି। ଏହାବାଦ୍ ଖୋର୍ଧା ୩୯୪, କଟକ ୩୪୬, ଯାଜପୁର ୩୪୧, ବାଲେଶ୍ବର ୨୨୨, ପୁରୀ ୧୮୮, କେନ୍ଦ୍ରାପଡ଼ା ୧୮୬, ଭଦ୍ରକ ୧୭୭, ଜଗତସିଂହପୁର ୧୭୪, ଗଜପତି ୧୬୩, ବଲାଙ୍ଗୀର ୧୪୭, କନ୍ଧମାଳ ୧୪୪, ସୁନ୍ଦରଗଡ଼ ୧୩୭, ମୟୂରଭଞ୍ଜ ୧୨୬, ନୟାଗଡ଼ ୧୧୨ ଜଣ ସଂକ୍ରମିତ ରହିଛନ୍ତି।

ଆଜି ରାଜ୍ୟରେ ୭୩ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏଥିରେ କନ୍ଧମାଳ ୧୪, କେନ୍ଦୁଝର ୧୧, ଖୋର୍ଧା ୧୦, ଭଦ୍ରକ ୯, ଯାଜପୁର ୭, ମୟୂରଭଞ୍ଜ ୬, ଗଞ୍ଜାମ ୪, କଟକ ୩, ବାଲେଶ୍ବର, ଜଗତସିଂହପୁର, ଝାରସୁଗୁଡ଼ା ଓ କଳାହାଣ୍ଡିର ୨ଜଣ ଲେଖାଏ ଓ ବଲାଙ୍ଗୀରର ଜଣେ ରୋଗୀ ସୁସ୍ଥ ହୋଇଛନ୍ତି। ତେବେ ୧୨୭୭ଜଣ ସକ୍ରିୟ ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି। ଏଥିରେ କଟକ ଜିଲ୍ଲାର ସର୍ବାଧିକ ୧୬୨ଜଣ ଥିବା ବେ‌ଳେ ଏନ୍‌ଡିଆରଏଫ୍‌-ଓଡିଆରଏଫ୍‌ର ୧୯୫, ଖୋର୍ଧା ୧୦୮, ଗଜପତି ୯୨, ଜଗତସିଂହପୁର ଓ ପୁରୀର ୮୫ଜଣ ଲେଖାଏ ଚିକିତ୍ସିତ ହେଉଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଏବେ ଜଣେ ହେଲେ ବି ସକ୍ରିୟ ଆକ୍ରାନ୍ତ ନାହାନ୍ତି।

ସମ୍ବନ୍ଧିତ ଖବର