ଭୁବନେଶ୍ୱର : ଲଗାତର ୭ ଦିନ ହେଲା ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳେ ରହୁଛି। ଗତ ମାସ ୩୦ ତାରିଖ ଠାରୁ ଏହି ଟ୍ରେଣ୍ଡ୍‌ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆଶଙ୍କା କମ୍ ଥିବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ରାଜ୍ୟବାସୀଙ୍କୁ କିଛିଟା ଆଶ୍ବସ୍ତି କରିଛି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସ୍ଥିର ରହିଛି। ଲଗାତର ଭାବେ ମୃତ୍ୟୁ ସଂଖ୍ୟା ୧୦ ଭିତରେ ସୀମିତ ରହୁଥିବା ଦେଖାଯାଉଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଥିବା ୩୯୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧରୁ ୨୨୯ ଥିଲା ବେଳେ ୧୬୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୯ ଜଣ ପଜିିଟିଭ୍ ଚିହ୍ନଟ ହୋଇଛନ୍ତି। ତାଲିକାର ଦ୍ବିତୀୟରେ ସୁନ୍ଦରଗଡ଼(୪୫) ଓ ତୃତୀୟରେ ମୟୂରଭଞ୍ଜ (୩୨) ରହିଛି। ଏହା ବାଦ୍ କଳାହାଣ୍ଡିରୁ ୨୭, କଟକରୁ ୨୫, ବଲାଙ୍ଗୀରରୁ ୨୩, ପୁରୀରୁ ୧୮, ଦେବଗଡ଼ରୁ ୧୭, ଅନୁଗୁଳରୁ ୧୫, ନୂଆପଡ଼ା, ଝାରସୁଗୁଡ଼ା ଓ‌‌ କେନ୍ଦ୍ରାପଡ଼ାରୁ ୧୨, ସମ୍ବଲପୁର, ଜଗତସିଂହପୁର ଓ ବାଲେଶ୍ବରରୁ ୧୧ ଜଣ ଚିହ୍ନଟ ‌େହାଇଛନ୍ତି। ଅନ୍ୟ ୧୩ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଆଦୌ ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୧୯୬ରେ ପହଞ୍ଚିଛି।

କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ନେଇ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବରରୁ ୨ ଜଣ ଥିଲା ବେଳେ ବଲାଙ୍ଗୀର, ବାଲେଶ୍ବର, କଳାହାଣ୍ଡି, ନୂଆପଡ଼ାରୁ ଜଣେ ଲେଖାଏ ଅଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫୭୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଅନୁଗୁଳରୁ ସର୍ବାଧିକ ୭୮ ଜଣ ସୁସ୍ଥ ହୋଇଥିଲା ବେଳେ କଟକରୁ ୫୪ ଓ ମୟୂରଭଞ୍ଜରୁ ୫୧ ଜଣ ସୁସ୍ଥ ହୋଇଛନ୍ତି। କରୋନାରୁ ଆରୋଗ୍ୟ ଲାଭ କରିଥିବା ମୋଟ୍‌ ବ୍ୟକ୍ତିଙ୍କ ସଂଖ୍ୟା ୩,୧୫,୮୪୦ରେ ପହଞ୍ଚିଛି।