ଖସୁନି ପଜିଟିଭ୍‌ ହାର, ୨୮ଜିଲ୍ଲା ଏବେ ବି ୧୦% ଉପରେ

ଚିନ୍ତା ବଢ଼ାଇଲାଣି ଗାଁ ସଂକ୍ରମଣ

ଦିନକରେ ୧୧,୭୩୨ ପଜିଟିଭ୍, ୧୯ ମୃତ
ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ଅଧିକ

ଭୁବନେଶ୍ବର: ରାଜ୍ୟରେ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଆରମ୍ଭ ହୋଇଗଲାଣି। ଏକଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଓଡ଼ିଶାର ୨୮ଟି ଜିଲ୍ଲାରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର୍‌ ୧୦ ପ୍ରତିଶତ ଉପରେ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି କୁହାଯାଇଥିଲା। ତେଣୁ ରାଜ୍ୟରେ କେବଳ ଭୁବନେଶ୍ବର, କଟକ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ବଢ଼ୁଥିବାରୁ ଏଥିରୁ ସ୍ପଷ୍ଟ ହୋଇଥିଲା। କେବଳ ଜିଲ୍ଲାସ୍ତରରେ ନୁହେଁ, ଗତ ୧ ମାସରୁ ଅଧିକ ହେବ, ରାଜ୍ୟର ପଜିଟିଭ୍ ହାର ବା ଟିପିଆର୍ ଲଗାତାର ଭାବେ ୨୦ପ୍ରତିଶତ ଉପରେ ରହି ଆସୁଛି। ଗତ ୩/୪ଦିନ ହେବ, ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇଥିଲେ ହେଁ ଟିପିଆର୍‌ ତଳକୁ ଖସୁ ନାହିଁ।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଲହରରେ ୬୦ ପ୍ରତିଶତ ଗ୍ରାମାଞ୍ଚଳ ଓ ୪୦ ପ୍ରତିଶତ ସହରାଞ୍ଚଳରେ ସଂକ୍ରମଣ ଦେଖିବାକୁ ମିଳିଥିଲା। ଦ୍ବିତୀୟ ଲହରରେ ଏ ପର୍ଯ୍ୟନ୍ତ ୫୬ ପ୍ରତିଶତ ଗ୍ରାମାଞ୍ଚଳ ଓ ୪୪ ପ୍ରତିଶତ ସହରାଞ୍ଚଳରେ ସଂକ୍ରମଣ ହୋଇଛି। ଯଦି ଦୁଇ ଲହରକୁ ହିସାବକୁ ନିଆଯାଏ, ତାହାଲେ ୫୮ ପ୍ରତିଶତ ଗ୍ରାମାଞ୍ଚଳ ଓ ୪୨ ପ୍ରତିଶତ ସହରାଞ୍ଚଳରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ଆଇସିଏମ୍‌ର ପୂର୍ବତନ ଉପଦେଷ୍ଟା ତଥା ବରିଷ୍ଠ ଚିକିତ୍ସକ ଡା. ତ୍ରିଭୁବନ ମହାପାତ୍ର କହିଛନ୍ତି, ୨୮ଟି ଜିଲ୍ଲାରେ ଟିପିଆର୍‌ ୧୦ ପ୍ରତିଶତ ଉପରେ ରହିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଏଥିରୁ ଗ୍ରାମାଞ୍ଚଳରେ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ସ୍ପଷ୍ଟ ହୋଇଯାଇଛି। ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ପରୀକ୍ଷା କରିବାକୁ ଆସୁ ନାହାନ୍ତି। ଏପରିକି ଅନେକ ସ୍ଥାନରେ ନମୁନା ସଂଗ୍ରହ ମଧ୍ୟ କରାଯାଉନାହିଁ। ତେଣୁ ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରିବା ସହିତ ଲକ୍‌ଡାଉନ୍‌କୁ ଆହୁରି ଶକ୍ତ କରିବାକୁ ହେବ। ରାଜ୍ୟ ସରକାର ଜାରି କରିଥିବା ଦୁଇ ସପ୍ତାହ ଲକ୍‌ଡାଉନ୍‌ ଅବଧି ପ୍ରାୟତଃ ଶେଷ ହେବାକୁ ବସିଲାଣି। ଏଥିରେ ସଂକ୍ରମଣ ନିୟନ୍ତ୍ରଣ ନେଇ ବିଶେଷ ପ୍ରଭାବ ଦେଖିବାକୁ ନ ମିଳିପାରେ। ପରବର୍ତୀ ସମୟ‌ରେ ରାଜ୍ୟ ସରକାର ଯଦି ଲକ୍‌ଡାଉନ୍‌ ଅବଧିକୁ ପୁଣି ବଢ଼ାନ୍ତି, ତାହାଲେ ସଂକ୍ରମଣ ଉପରେ ନିୟନ୍ତ୍ରଣ ଆସିପାରିବ ବୋଲି ଡା. ମହାପାତ୍ର ସୂଚନା ଦେଇଛନ୍ତି।

ଅପରପକ୍ଷରେ ୩ ଦିନ ହେବ ଦୈନିକ ସଂକ୍ରମଣ ୧୧ହଜାର ତଳକୁ ଖସୁ ନାହିଁ। କେଉଁଦିନ ସାମାନ୍ୟ ବଢ଼ୁଛି ତ ଆଉ କେଉଁଦିନ ସାମାନ୍ୟ ଖସୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୧୭୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୪,୯୭୪କୁ ବୃଦ୍ଧି ପାଇଛି।

କଟକ ୮୭୦, ଅନୁଗୁଳ ୭୦୦, ସୁନ୍ଦରଗଡ଼ ୬୪୧, ସମ୍ବଲପୁର ୫୩୮, ବ‌ାଲେଶ୍ବର ୪୭୨, ମୟୂରଭଞ୍ଜ ୪୧୮, ନବରଙ୍ଗପୁର ୪୧୭, ଭଦ୍ରକ ୪୧୪, ବଲାଙ୍ଗୀର ୪୦୧, ଝାରସୁଗୁଡ଼ା ୩୯୧ ଓ ଷ୍ଟେଟ୍‌ ପୁଲରୁ ୨୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୧୨ହଜାର ୨୨୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଗୋଟିଏ ଦିନରେ ୧୯ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧା ୪, ରାୟଗଡ଼ା ଓ ଅନୁଗୁଳରୁ ୩ ଲେଖାଏ, ନୂଆପଡ଼ା, ସୁନ୍ଦରଗଡ଼ରୁ ୨ ଲେଖାଏ, ପୁରୀ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ଗଜପତିରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୨,୦୭୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସଂକ୍ରମିତଙ୍କ ତୁଳନାରେ ରାଜ୍ୟରେ ଆଜି ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୧୪ହଜାର ୫୩୨ ରୋଗୀ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ଏବେ ୯୫ହଜାର ୩୨୬ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର