ରାଜ୍ୟରେ ୫ ହଜାରକୁ ଖସିଲା ‌ଦୈନିକ ସଂକ୍ରମଣ

ରଜ ପରେ ପରବର୍ତ୍ତୀ ନିଷ୍ପତ୍ତି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୫ ହଜାରକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ଏପ୍ରିଲ ୨୧ତାରିଖରେ ରାଜ୍ୟରେ ଶେଷଥର ଲାଗି ୫ ହଜାରରୁ କମ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ପ୍ରାୟ ୫୦ଦିନ ପରେ ରାଜ୍ୟ‌ ଏଭଳି ସ୍ଥିତିକୁ ଫେରିଛି। ଏହାସହ ପଜିଟିଭ୍ ହାର ୭.୯ ପ୍ରତିଶତକୁ ଖସି ଆସିଛି। ରାଜ୍ୟର କେତେକ ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତରୁ ମଧ୍ୟ କମ୍ ରହିଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ସ୍ଥିତି ଧୀରେ ଧୀରେ ସୁଧୁରୁଛି। ଦୈନିକ ମାମଲା ହେଉ ବା ଚିକିତ୍ସାଧୀନ ମାମଲା, ଆଶା ଅନୁଯାୟୀ ହ୍ରାସ ଘଟୁଛି। ଖୋର୍ଧା ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ଏତେ ସଂଖ୍ୟକ ମାମଲା ଆସୁନାହିଁ। ଯେଉଁ ଜିଲ୍ଲାଗୁଡ଼ିକରେ ପଜିଟିଭ୍ ହାର ଅଧିକ ରହୁଛି, ସେଠାରେ ନମୁନା ପରୀକ୍ଷାକୁ ଜୋରଦାର କରାଯାଉଛି। ପଜିଟିଭ୍ ଚିହ୍ନଟ ହେଉଥିବା ଲୋକଙ୍କୁ ଅଲଗା କରିବା ସହିତ କଟକଣା ମାନିବାକୁ କୁହାଯାଉଛି। ରାଜ୍ୟରେ ଯଦିଓ ସଂକ୍ରମଣ ହାର କମୁଛି, ତଥାପି ଏତେ ଆଶ୍ବସ୍ତ ହେବା ଭଳି ଖବର ନାହିଁ। ରଜ ପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। ୧୭ତାରିଖ ପରେ ସମୀକ୍ଷା କରାଯିବା ପରେ ହିଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମୁଛି, ସେଠାରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବ। ଯେଉଁ ଜିଲ୍ଲାରେ ବଢ଼ୁଛି, ସେଠାରେ ସର୍ଭେଲାନ୍‌ସକୁ ବଢ଼ାଯିବ। ଭୁବନେଶ୍ବର, କଟକ, ଖୋର୍ଧା, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଅଧିକ ସଂକ୍ରମଣ ହାର ରହୁଥିବା ଡା. ମିଶ୍ର କହିଛନ୍ତି।

ରାଜ୍ୟରେ ସଂକ୍ରମଣ ହ୍ରାସ ଘଟିଥିଲେ ହେଁ ମୃତ୍ୟୁ ସଂଖ୍ୟା ପୂର୍ବଭଳି ଜାରି ରହିଥିବା ଦେଖିବାକୁ ମିଳିଛି। ଏ ନେଇ ଡିଏମ୍‌ଇଟି ପ୍ରଫେସର୍‌ ଡା. ସିବିକେ ମହାନ୍ତି କହିଛନ୍ତି, ମୃତ୍ୟୁ ସଂଖ୍ୟା ବଢ଼ିବାର କାରଣ ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିଲା। ଅଧିକ ସଂଖ୍ୟାରେ ରୋଗୀ ଆଇସିୟୁରେ ଥିଲେ। ଏବେ ଦୈନିକ ସଂକ୍ରମଣ କମୁଛି ଓ ମୃତ୍ୟୁସଂଖ୍ୟା ଆଗକୁ କମିବ। ସଂଖ୍ୟା କମୁଛି ବୋଲି ଭାବି ଲୋକ ସଚେତନ ନ ହେଲେ ବିପଦକୁ ଟାଣିବା କଥା। ରାଜ୍ୟରେ ପରିସ୍ଥିତି ଅନୁକୂଳ ହେଲେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଡା. ମହାନ୍ତି କହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କରୋନାରେ ୪୩ ଜଣ ପ୍ରାଣ ହରାଇଥିବା ନେଇ ସୂଚନା ଦିଆଯାଇଛି। ଖୋର୍ଧାରୁ ସର୍ବାଧିକ ୫ଜଣ ପ୍ରାଣ ହରାଇଛନ୍ତି। ଏହାଛଡ଼ା ଅନୁଗୁଳ, ବରଗଡ଼, କଟକ, ସୁନ୍ଦରଗଡ଼ରେ ୪ଜଣ ଲେଖାଏଁ, କଳାହାଣ୍ଡି, ବୌଦ୍ଧରେ ୩ ଲେଖାଏଁ, ରାୟଗଡ଼ା, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ, ଝାରସୁଗୁଡ଼ା, ବାଲେଶ୍ବରରେ ୨ ଲେଖାଏଁ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୨୧୦କୁ ବୃଦ୍ଧି ପାଇଛି।

ଗତ ୨୪ଘଣ୍ଟାରେ ଖୋର୍ଧାରୁ ସର୍ବାଧିକ ୭୨୬ଜଣ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୫୫୭, ଯାଜପୁର ୩୯୪, ବାଲେଶ୍ବର ୩୨୦, ମୟୂରଭଞ୍ଜ ୨୮୫, ଅନୁଗୁଳ ୨୭୭, ସୁନ୍ଦରଗଡ଼ ୨୫୧, କେନ୍ଦ୍ରାପଡ଼ା ୨୩୭, ପୁରୀ ୨୩୪, ଭଦ୍ରକ ୨୧୭, ନବରଙ୍ଗପୁର ୧୮୬, ଜଗତସିଂହପୁର ୧୪୮ ଓ ଷ୍ଟେଟ୍‌ ପୁଲରୁ ୧୨୪ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୪୨ହଜାର ୪୬୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୮୫୧୬ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୭,୭୧୦କୁ ଖସି ଆସିଛି। ଅପରପକ୍ଷରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭ଲକ୍ଷ ୮୧ହଜାର ୪୮୮କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୨.୩ ପ୍ରତିଶତରେ ପହଞ୍ଚିଛି।

ସମ୍ବନ୍ଧିତ ଖବର