ରାଜ୍ୟରେ ଦୈନିକ କ‌ରୋନା ସଂକ୍ରମଣ ଏବେ ବି ୫% ଉପରେ, ୧୯ ଜିଲ୍ଲାରୁ ‌ଶହେରୁ କମ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଲଗାତାର ଷଷ୍ଠଦିନ ଲାଗି ରାଜ୍ୟରେ ଦୈନିକ କ‌ରୋନା ସଂକ୍ରମଣ ୩ହଜାର ଉପରେ ସ୍ଥିର ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୫୭୭ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ୧୯ଟି ଜିଲ୍ଲାରୁ ଶହେରୁ କମ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଗତ ୪୫ଦିନ ଧରି ଲକ୍‌ଡାଉନ୍‌ ଜାରି ରହିଥିଲେ ହେଁ, ସଂକ୍ରମଣ ହାର କିନ୍ତୁ ୫ ପ୍ରତିଶତ ଉପରେ ରହିଛି। ରାଜ୍ୟରେ ଏବେ ବି ସଂକ୍ରମଣ ହାର ୫.୩୯ ପ୍ରତିଶତ ନଜରକୁ ଆସିଛି। ରାଜ୍ୟରେ ଏବେ କରୋନା ସ୍ଥିତି ଏପ୍ରିଲ ମାସର ସ୍ଥିତିକୁ ଫେରି ଆସିଛି। ଗତ ଏପ୍ରିଲ ମାସ ଦ୍ବିତୀୟ ସପ୍ତାହ ବେଳକୁ ରାଜ୍ୟରେ ୩ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେବା ଆରମ୍ଭ ହୋଇଥିଲା।

ପରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିଥିଲା। ମାତ୍ର ଏବେ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ରାଜ୍ୟରେ ସଂକ୍ରମଣ ହାର ୫%ରୁ ସାମାନ୍ୟ ଅଧିକ ରହିଥିବା ବେଳେ ଯାଜପୁରରେ ୧୫.୫, ପୁରୀ ୧୨.୪, ଖୋର୍ଧାରେ ୧୧.୭, ମୟୂରଭଞ୍ଜ ୮.୨, ନୟାଗଡ଼ ୭.୭, ଭଦ୍ରକରେ ୭.୮ ପ୍ରତିଶତ ସଂକ୍ରମଣ ହାର ଦେଖିବାକୁ ମିଳିଛି। ଯାହାକି ରାଜ୍ୟର ସଂକ୍ରମଣ ହାରଠାରୁ ଢେର ଅଧିକ। ମାତ୍ର ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସି ଆସିଛି।

ଆଜି ରାଜ୍ୟରେ ଆଉ ୪୦ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକ, ବରଗଡ଼ରେ ସର୍ବାଧିକ ୫ ଲେଖାଏଁ, ରାୟଗଡ଼ା, ମୟୂରଭଞ୍ଜ, କୋରାପୁଟରେ ୪ ଲେଖାଏଁ, ଖୋର୍ଧା, ଝାରସୁଗୁଡ଼ା, ଗଞ୍ଜାମରେ ୩ ଲେଖାଏଁ, ସୁନ୍ଦରଗଡ଼, ପୁରୀ, ବଲାଙ୍ଗୀରରେ ୨ ଲେଖାଏଁ, ଅନୁଗୁଳ, ମାଲକାନାଗିରି, ନୟାଗଡ଼ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୩୫୯୦କୁ ବୃଦ୍ଧି ପାଇଛି। ଖୋର୍ଧାରୁ ସର୍ବାଧିକ ୫୬୮ଜଣଙ୍କ କ‌ରୋନାରେ ମୃତ୍ୟୁ ହୋଇଛି।

ଆଜି ଖୋର୍ଧାରୁ ସର୍ବାଧିକ ୫୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୪୦୭, ଯାଜପୁର ୩୩୭, ପୁରୀ ୨୩୭, ବାଲେଶ୍ବର ୨୦୫, ମୟୂରଭଞ୍ଜ ୧୮୭, ଭଦ୍ରକ ୧୮୬, କେନ୍ଦ୍ରାପଡ଼ା ୧୪୧, ଅନୁଗୁଳ ୧୨୭, ନୟାଗଡ଼ ୧୧୪, ଜଗତସିଂହପୁର ୧୦୩ ଓ ଷ୍ଟେଟ୍‌ ପୁଲରୁ ୮୪ଜଣ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୭୭ଜହାର ୫୦୨କୁ ବୃଦ୍ଧି ପାଇଛି। ଅପରପକ୍ଷେ ଆଜି ୫୦୮୨ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୩,୬୪୫କୁ ଖସି ଆସିଛି। ଏହାସହ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୪୦ହଜାର ୨୧୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୪ଟି ଜିଲ୍ଲା ରେଡ୍-ଜୋନ୍ରେ ରହିଛନ୍ତି।

ସମ୍ବନ୍ଧିତ ଖବର