କୋଭିଡ୍‌ ମୃତ୍ୟୁ ୫ ହଜାରମୁହାଁ, ୨ ହଜାର ଉପରେ ସ୍ଥିର ଦୈନିକ ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ହଜାରମୁହାଁ ହୋଇଛି। ବଳକା ମୃତ୍ୟୁ ସଂଖ୍ୟା ଘୋଷଣା ‌ଜାରି ଥିବାରୁ କ୍ରମାଗତ ଭାବେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏପରିକି ଦୈନିକ ମୃତ୍ୟୁ ସଂଖ୍ୟା ୬୮ରେ ମଧ୍ୟ ପହଞ୍ଚି ଗଲାଣି। ଏବେ ଦୈନିକ ସଂକ୍ରମଣ ୨ ହଜାରକୁ ହ୍ରାସ ପାଇଥିବାବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଉପରମୁହାଁ ହୋଇଛି। ଦ୍ବିତୀୟ ଲହରରେ ଏ ପର୍ଯ୍ୟନ୍ତ ୩୦୪୯ଙ୍କ ମୃତ୍ୟୁ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟରେ ଆଉ ୬୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା ହୋଇଛି। ମୃତକଙ୍କ ମଧ୍ୟରେ ଖୋର୍ଧାରୁ ୨୨, ବରଗଡ଼ ୧୦, ବାଲେଶ୍ବର ୮, ସୁନ୍ଦରଗଡ଼ ୭, ଗଞ୍ଜାମ ୬, ସମ୍ବଲପୁର ଓ କନ୍ଧମାଳରେ ୨ ଲେଖାଏଁ, ରାୟଗଡ଼ା, ପୁରୀ, ନୂଆପଡ଼ା, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ ବୌଦ୍ଧରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୪୯୨୫କୁ ବୃଦ୍ଧି ପାଇଛି। ମୃତ୍ୟୁ ତାଲିକାରେ ଖୋର୍ଧାରେ ସର୍ବାଧିକ ୮୪୯, ସୁନ୍ଦରଗଡ଼ ୪୨୭, ଗଞ୍ଜାମ ୪୦୦, କଟକ ୩୧୧, ପୁରୀ ୨୯୬, ବରଗଡ଼ ୨୩୪, ଅନୁଗୁଳ ୧୯୭, କଳାହାଣ୍ଡି ୧୯୧, ବାଲେଶ୍ବର ୧୫୬ଜଣଙ୍କ ମୃତ୍ୟୁ ହୋଇଛି। ଦେବଗଡ଼ରେ ସର୍ବନିମ୍ନ ୩୫ଜଣଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, କଟକ ଓ ଭୁବନେଶ୍ବରକୁ ବିଭିନ୍ନ ସ୍ଥାନରୁ ଲୋକଙ୍କ ଯାତାୟାତ ହେଉଛି। ବସ୍, ଟ୍ରେନ୍ ଓ ବିମାନରେ ସବୁବେଳେ ଚଳପ୍ରଚଳ ଚାଲିଛି। ତେଣୁ ଲକ୍ଷଣହୀନ ସଂକ୍ରମିତଙ୍କ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। କରୋନା ସଂକ୍ରମିତଙ୍କ ଆଡମିସନ୍‌ ଓ ଗୁରୁତର ସଂଖ୍ୟା କମିଛି। ଭେଣ୍ଟିଲେଟର, ଆଇସିୟୁ ଓ ସାଧାରଣ ଶଯ୍ୟାରେ ରୋଗୀଙ୍କ ସଂଖ୍ୟା କମିଛି। ସଂକ୍ରମଣ ଥିଲେ ବି ରୋଗୀ ଗୁରୁତର ହେବା ହ୍ରାସ ପାଇଛି। ଟିକା ନେବା ପରେ ବି ସଂକ୍ରମଣ ହେଉଛି। ଅନ୍ତର୍ଜାତୀୟ ରିପୋର୍ଟ କହୁଛି, ୦.୩ ପ୍ରତିଶତ ଲୋକଙ୍କୁ ଟିକା ନେବା ପରେ ସଂକ୍ରମଣ ହେଉଛି। ଯେଉଁମାନେ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି, ସେମାନେ ସଂକ୍ରମିତ ହେଲେ ବି ଗୁରୁତର ହେଉନାହାନ୍ତି। ଟିକା ନେଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ୁଛି ବୋଲି ଡା. ମହାପାତ୍ର କହିଛନ୍ତି।

ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ଉପରେ ସ୍ଥିର ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସଂକ୍ରମଣ ହାର ୨.୯୫ ପ୍ରତିଶତ ରହିଛି। ଖୋର୍ଧା ୪୪୬, କଟକ ୩୧୯, ବାଲେଶ୍ବର ୧୭୬, ଯାଜପୁର ୧୩୬, ପୁରୀ ୧୧୦, ଜଗତସିଂହପୁର ୯୭, ମୟୂରଭଞ୍ଜ ୮୧, କେନ୍ଦ୍ରାପଡ଼ା ୭୭, ସୁନ୍ଦରଗଡ଼, ଭଦ୍ରକରେ ୬୬ ଲେଖାଏଁ ଓ ଷ୍ଟେଟ୍‌ ପୁଲରୁ ୮୫ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୪୯ହଜାର ୯୨୯କୁ ବୃଦ୍ଧି ପାଇଛି। ଆଜି ୨୩୧୭ କୋଭିଡ୍‌ ରୋଗୀ ସୁସ୍ଥ ‌ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୨୫ହଜାର ୫୨୬ରେ ପହଞ୍ଚିଛି। ଏହାସହ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୯,୪୨୫କୁ ଖସି ଆସିଛି।

ସମ୍ବନ୍ଧିତ ଖବର