ଦ୍ୱିତୀୟ ଲହରର ବିଚିତ୍ର ସ୍ଥିତି: ୨ ହଜାରରୁ ଖସିଲା, ହଜାରରୁ ଖସୁନି

୨ ହଜାର ଉପରେ ୧୮ ଦିନ, ହଜାରେ ଉପରେ ୨୩ଦିନ
୧୧୯୩ ପଜିଟିଭ୍, ୬୦ ମୃତ

ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ବିତୀୟ ଲହର ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟ ରାଜ୍ୟରେ ସଂକ୍ରମଣ ଯେଉଁଭଳି ଭାବେ ହ୍ରାସ ହୋଇଥିଲା, ଓଡ଼ିଶାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୧୨ହଜାର ଶୀର୍ଷ ସଂକ୍ରମଣ ଛୁଇଁବା ପରେ ରାଜ୍ୟରେ ସଂକ୍ରମଣ ଖସିବା‌କୁ ଆରମ୍ଭ କରିଥିଲା। ଦୈନିକ ସଂକ୍ରମଣ ୨ ହଜାରକୁ ଖସି ଆସିବା ପରେ ଏହା ଖୁବ୍‌ଶୀଘ୍ର ୧ ହଜାରକୁ ଖସି ଆସିବ ବୋଲି ଅନୁମାନ କରାଯାଉଥିଲା। ହେଲେ ୨ ହଜାର ଉପରେ ସଂକ୍ରମଣ ୧୮ଦିନ ଧରି ଲାଗି ରହିବା ପରେ ଏବେ ହଜାରେ ଉପରେ ସଂକ୍ରମଣ ଗତ ୨୩ ଦିନ ହେଲାଣି ଜାରି ରହିଛି। ରାଜ୍ୟରେ କରୋନା ସଂକ୍ରମଣ ଏକ ଥିକ୍ ଟେଲ୍‌ ବା ମୋଟା ଲାଞ୍ଜ ଭଳି ହୋଇ ଗଲାଣି। ତେଣୁ ରାଜ୍ୟରେ କେବେ ଫେବ୍ରୁଆରି ସ୍ଥିତିକୁ ଫେରିବ, ତାହା ଏବେଠାରୁ ଅବଗଣନା କରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଲାଣି।

କେବଳ ଖୋର୍ଧା ଓ କଟକ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ସଂକ୍ରମଣ ଖସି ଆସିଲାଣି। ହେଲେ ଏହି ଦୁଇ ଜିଲ୍ଲାରେ ଦୈନିକ ସଂକ୍ରମଣ ‌ଶହେ ଉପରେ ଜାରି ରହିଛି। ଭୁବନେଶ୍ବରରେ ଶତ ପ୍ରତିଶତ ଟିକାକରଣ ହୋଇଥିବା ରାଜ୍ୟ ସରକାର ଦାବି କରୁଥିଲେ ହେଁ ରାଜଧାନୀରେ ଏବେ ବି ସଂକ୍ରମଣ ଅଧିକ ରହିଛି। ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେବା କାରଣରୁ ସଂକ୍ରମଣ ସଂପୂର୍ଣ୍ଣ କମୁ ନାହିଁ। ଏହାସହ ଭୁବନେଶ୍ବର ଓ କଟକରେ ‘ଆର୍‌’ ଭ୍ୟାଲୁ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଛି। ତେଣୁ ଏଠାରେ ସଂକ୍ରମଣ ଅଧିକ ଦେଖିବାକୁ ମିଳୁଛି। ଭୁବନେଶ୍ବରରେ ଶତ ପ୍ରତିଶତ ଟିକାକରଣ ହୋଇଥିବା ସରକାର କହିଛନ୍ତି। ହେଲେ ଟିକାକରଣ ପରେ ବି କୋଭିଡ୍‌ ନିୟମାବଳୀ ମାନିବାକୁ ହେବ। ବ୍ରିଟେନ୍‌ରେ ସେରୋ ‌ସର୍ବେକ୍ଷଣରେ ୯୨ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ତେଣୁ ଏହି ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ କୋଭିଡ୍‌ ନିୟମକୁ ମାନିବାକୁ ହେବ। ଏହାସହ ଯେଉଁ ଲୋକ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେମାନଙ୍କୁ ଠିକ୍‌ରେ ସଙ୍ଗରୋଧ କରାଯାଉ ନାହିଁ। ତେଣୁ ସଂକ୍ରମିତଙ୍କ ସହ ତାଙ୍କ ପରିବାରଲୋକ ବାହାରେ ବୁଲୁଛନ୍ତି। ଯଦି ଲୋକମାନେ କୋଭିଡ୍‌ ନିୟମାବଳୀକୁ ଠିକ୍‌ରେ ମାନିବେ, ତାହାଲେ ଓଡ଼ିଶାରେ ବଡ଼ଧରଣର ତୃତୀୟ ଲହରର ଆଶଙ୍କା କମ୍ ବୋଲି ସେ କହିଛନ୍ତି।

ସେହିପରି ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ରଙ୍କ କହିବା କଥା, ରାଜ୍ୟରେ ଠିକ୍‌ ଭାବେ ଟ୍ରେସିଂ ଓ ଟ୍ରାକିଂ କରାଯାଉନାହିଁ। ସଂକ୍ରମିତ ବ୍ୟକ୍ତି ଆଇସୋଲେଟ୍‌ ନ ହେବା କାରଣରୁ ସଂକ୍ରମଣ ବଢ଼ି ଚାଲିଛି। ଲୋକମାନେ ମଧ୍ୟ କୋଭିଡ୍‌ ନିୟମାବଳୀକୁ ମାନିବା ଭୁଲି ଗଲେଣି। ଟିକା ନେଇଥିବା ବ୍ୟକ୍ତି ଯେ ଅନ୍ୟକୁ ସଂକ୍ରମିତ କରିପାରିବେ, ତାହା ଲୋକମାନେ ବୁଝିବାକୁ ନାରାଜ। ଏହାସହ ଭୁବନେଶ୍ବରକୁ ରାଜ୍ୟ ବାହାରରୁ ବହୁତ ଲୋକ ବିଭିନ୍ନ କାମ ପାଇଁ ଆସୁଛନ୍ତି। ତେଣୁ ସେମାନେ ବାହାରୁ ଆସି ରାଜଧାନୀରେ ସଂକ୍ରମଣ କରୁଛନ୍ତି। ତେଣୁ ରାଜ୍ୟ ଏହାର କିଭଳି ମୁକାବିଲା କରାଯିବ, ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେବା ଜରୁରୀ ବୋଲି ଡା. ମହାପାତ୍ର କହିଛନ୍ତି।

ଅପରପକ୍ଷରେ ରାଜ୍ୟରେ ଦ୍ବିତୀୟ ଲହର ସଂପୂର୍ଣ୍ଣ କମି ନ ଥିଲେ ହେଁ ରାଜ୍ୟ ସରକାର ତୃତୀୟ ଲହର ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କେନ୍ଦ୍ର ସରକାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ଯେଉଁ ଆକଳନ ରିପୋର୍ଟ ପଠାଇଛନ୍ତି, ତାହାକୁ ତର୍ଜମା କରିବା ସହ ପ୍ରସ୍ତୁତି ଚଳାଇଛନ୍ତି। ଡିଏମ୍‌ଇଟି ପ୍ରଫେସର୍‌ ଡା. ସିବିକେ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ଶିଶୁଙ୍କ ପାଇଁ ୩ ହଜାର ଶଯ୍ୟା ପ୍ରସ୍ତୁତ କରିଛନ୍ତି। ଏଥିରେ ୬୧୦ ଆଇସିୟୁ ଓ ଏଚ୍‌ଡିୟୁ ଶଯ୍ୟା ରହିଛି। ଆବଶ୍ୟକସ୍ଥଳେ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କରାଯିବ। କେସ୍ ଲୋଡ୍‌କୁ ଅନୁଧ୍ୟାନ କରିବା ପରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ। ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟି ରିପୋର୍ଟ ଦେବା ପରେ ସରକାର ପ୍ରସ୍ତୁତ ହେବେ ବୋଲି ଡା. ମହାନ୍ତି ଗଣମାଧ୍ୟମକୁ କହିଛନ୍ତି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ୪୨୫, କଟକ ୧୬୧, ବାଲେଶ୍ବର ୬୯, ଜଗତସିଂହପୁର ୫୬, ଯାଜପୁର ୫୦, ପୁରୀ ୩୪ ଓ ଷ୍ଟେଟ୍‌ ପୁଲରୁ ୯୬ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୧୧ଟି ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ଏହାକୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୧ହଜାର ୩୭୫କୁ ବୃଦ୍ଧି ପାଇଛି। ଆଉ ୬୦ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ବରଗଡ଼ ୧୩, କଟକ ୧୧, ବଲାଙ୍ଗୀର ୬, ଅନୁଗୁଳ, ସମ୍ବଲପୁର ଓ ଜଗତ୍‌ସିଂହପୁରରେ ୫ ଲେଖାଏଁ, ଦେବଗଡ଼ ୪, ଢେଙ୍କାନାଳ, ଯାଜପୁର ୩ ଲେଖାଏଁ, ବାଲେଶ୍ବର, ଝାରସୁଗୁଡ଼ାରେ ୨ ଲେଖାଏଁ, ଭଦ୍ରକରେ ଜଣେ ପ୍ରାଣ ହରାଇଛନ୍ତି। ଆଜି ୧୨୪୩ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସମୁଦାୟ ୯ ଲକ୍ଷ ୭୫ ହଜାର ୯୯୯ ରୋଗୀ ସୁସ୍ଥ ହୋଇ ସାରିଲେଣି। ଏବେ ୯୫୬୬ ରୋଗୀ ଚିକିତ୍ସାଧୀନ ରହିଛନ୍ତି।

ସମ୍ବନ୍ଧିତ ଖବର