ରାଜ୍ୟରେ ଦୈନିକ ସଂକ୍ରମଣ ୧୪ ହଜାର ହୋଇପାରେ

ଦ୍ୱିତୀୟ ଲହରରେ ଶୀର୍ଷ ସଂକ୍ରମଣ ଛୁଇଁବାକୁ ଲାଗିଥିଲା ୬୪ଦିନ

ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ବିତୀୟ ଲହର ସରି ନାହିଁ। ହେଲେ ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆଲୋଚନା ଓ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତୃତୀୟ ଲହର କେବେ ଆରମ୍ଭ ହେବ ଓ କେତେ ସଂଖ୍ୟକ ସଂକ୍ରମିତ ବାହାରିବେ, ତାହାକୁ ନେଇ ପୂର୍ବାନୁମାନ ଜାରି ରହିଛି। ନିକଟରେ ନୀତି ଆୟୋଗ ଦେଶରେ କରୋନାର ତୃତୀୟ ଲହରରେ ଦୈନିକ ୩/୪ ଲକ୍ଷ ପଜିଟିଭ୍ ଚିହ୍ନଟ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛି। ଯଦି ଦେଶବ୍ୟାପୀ ଏହି ଧାରା ଜାରି ରହେ, ତାହାଲେ ରାଜ୍ୟରେ ତୃତୀୟ ଲହରରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବା ନେଇ ଅନୁମାନ କରାଯାଉଛି, ଯାହାକି ଦ୍ବିତୀୟ ଲହର ଅପେକ୍ଷା ଅଧିକ। ଦ୍ବିତୀୟ ଲହରରେ ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୨,୮୫୨ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଥିଲା।

ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି ଯେ ତୃତୀୟ ଲହରରେ ପିଲାମାନେ ଅଧିକ ପ୍ରଭାବିତ ହେବେ। ବିଶେଷଜ୍ଞମାନେ କହୁଛନ୍ତି, ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ତୃତୀୟ ଲହରରେ ସଂକ୍ରମଣ ଶୀର୍ଷକୁ ଛୁଇଁବ। ଏହାକୁ ନଜରରେ ରଖି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଯାହା ଆବଶ୍ୟକ ରହିଛି, ତାହା ତୁଳନାରେ ସରକାର ଅଧିକ ପ୍ରସ୍ତୁତ ରହିଛନ୍ତି। ପିଲାମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ ଦ୍ବିତୀୟ ଲହରରେ ଶୀର୍ଷ ସଂକ୍ରମଣ ପାଇଁ ୬୪ଦିନ ସମୟ ଲାଗିଥିଲା। ତେଣୁ ସମ୍ଭାବ୍ୟ ତୃତୀୟ ଲହରର ଶୀର୍ଷ ସଂକ୍ରମଣ ପାଇଁ ଅପେକ୍ଷା କରିବାକୁ ହେବ। ମାତ୍ର ଏବେ ବି ଆମର ଦ୍ବିତୀୟ ଲହର ଜାରି ରହିଛି। ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ। ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆସେ, ତାହାଲେ ଅକ୍ଟୋବରରେ ଏହା ଉଗ୍ରରୂପ ନେବ। ଏହି ସମୟରେ ଶହେ ସଂକ୍ରମିତ ଶିଶୁଙ୍କ ମଧ୍ୟରେ ୨୩ଜଣ ଡାକ୍ତରଖାନାରେ ଆଡମିଟ୍‌ ହେବା ନେଇ ଆକଳନ କରାଯାଇଛି। ଏବେ କମ୍ ସଂଖ୍ୟାରେ ଶିଶୁ ହସ୍ପିଟାଲରେ ଭର୍ତି ହେଉଛନ୍ତି। ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସବୁ କୋଭିଡ୍‌ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶିଶୁ ଭବନକୁ ଉତ୍କର୍ଷ କେନ୍ଦ୍ର କରାଯାଉଛି। ଏବେ ସଂକ୍ରମିତ ହେଉଥିବା ଶିଶୁମାନଙ୍କ ଦୈନିକ ସଂକ୍ରମଣ ହାରକୁ ଅନୁଶୀଳନ କରାଯାଉଛି। ଗତ ୩ ଦିନ ଭିତରେ କୌଣସି ପିଲା ଭେଣ୍ଟିଲେଟର୍‌ରେ ଭର୍ତି ହୋଇନାହାନ୍ତି। ବହୁତ କମ୍ ଶିଶୁଙ୍କୁ ଅକ୍ସିଜେନ୍ ଆବଶ୍ୟକତା ପଡ଼ିଛି ବୋଲି ଡା. ମହାପାତ୍ର କହିଛନ୍ତି।

long island press

ଅପରପକ୍ଷରେ ଗତ ୨୪ ଘଣ୍ଟା‌ରେ ରାଜ୍ୟରେ ୭୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ସଂଖ୍ୟା ୧୦୧ ରହିଛି। ଗତ ସପ୍ତାହେ ହେବ, କ୍ରମାଗତ ଭାବେ ଏହି ସଂଖ୍ୟା ଶହେ ଉପରେ ରହିଛି। ଅନ୍ୟପଟରେ ରାଜ୍ୟରେ ସଂକ୍ରମଣ ହାର ନିମ୍ନଗାମୀ ହେବାରେ ଲାଗିଛି, ଏବେ ତାହା ୧.୨୫ ପ୍ରତିଶତ ରହିଛି। ହେଲେ ଖୋର୍ଧା ଓ କଟକରେ ଏହା ସାମାନ୍ୟ ଅଧିକ ରହିଛି। ଖୋର୍ଧା ଜିଲ୍ଲାରେ ୨୮୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକ ୧୧୭, ବ‌ା‌‌ଲେଶ୍ବର ୫୨, ଯାଜପୁର ୩୫, ମୟୂରଭଞ୍ଜ ୨୪, ସମ୍ବଲପୁର ୨୦, ବରଗଡ଼ ଓ ଜଗତସିଂହପୁରରେ ୧୮ ଲେଖାଏଁ ଓ ଷ୍ଟେଟ୍‌ ପୁଲରୁ ୬୪ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧ହଜାର ୬୯୮କୁ ବୃଦ୍ଧି ପାଇଛି। ହେଲେ ବଳକା କୋଭିଡ୍‌ ମୃତ୍ୟୁର ଘୋଷଣା ରାଜ୍ୟରେ ପୂର୍ବଭଳି ଜାରି ରହିଛି। ଆଉ ୬୮ ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ କଟକ ୧୭, ଜଗତସିଂହପୁର ୧୫, ଢେଙ୍କାନାଳ ୯, ଖୋର୍ଧା ୮, ଯାଜପୁର ୬, ବାଲେଶ୍ବର ୩, ପୁରୀ ୨, ଭଦ୍ରକ, ଝାରସୁଗୁଡ଼ା, କେନ୍ଦୁଝର ଓ ରାୟଗଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୭୪୨୬ରେ ପହଞ୍ଚିଛି।

ରାଜ୍ୟରେ ସୋମବାର ୧୦୩୨ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୮୮୫କୁ ଖସି ଆସିଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୮୬ହଜାର ୩୩୪କୁ ବୃଦ୍ଧି ପାଇଛି। କରୋନା ରୋଗୀଙ୍କ ସୁସ୍ଥ ହାର ୯୯ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର