୧୮ବର୍ଷରୁ କମ୍‌ ୮୪,୪୪୨ ଜଣ ଆକ୍ରାନ୍ତ ହେଲେଣି

ଭିତ୍ତିଭୂମି ପ୍ରସ୍ତୁତ ହେବା ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି

ଭୁବନେଶ୍ବର : ରାଜ୍ୟ ସରକାର କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହୁଛନ୍ତି। ଏଥିରେ ୧୮ବର୍ଷରୁ କମ୍‌ ବୟସର ପିଲା ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥିବାରୁ ବିଭିନ୍ନ ହସ୍ପିଟାଲରେ ସା‌ଧାରଣ ଶଯ୍ୟା, ଅକ୍ସିଜେନ୍‌ ଶଯ୍ୟା, ଆଇସିୟୁ ଶଯ୍ୟା ବଢ଼ିବ ବୋଲି କୁହାଯାଉଛି। ହେଲେ ରାଜ୍ୟ ସରକାର ଭିତ୍ତିଭୂମି ପ୍ରସ୍ତୁତ କରିବା ପୂର୍ବରୁ ରାଜ୍ୟର କରୋନା ସମ୍ବେଦନଶୀଳ ବର୍ଗର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯଥାସମ୍ଭବ ଭିତ୍ତିଭୂମି ପ୍ରସ୍ତୁତ ନହେଲେ ହଠାତ୍ ସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ସୃଷ୍ଟି ହେଲାଣି।

ଯେଉଁ ୧୮ବର୍ଷରୁ କମ୍‌ ପିଲାଙ୍କ ପାଇଁ ରାଜ୍ୟ ସରକାର ଏବେ ବହୁ ଯୋଜନା କରିବେ ବୋଲି କହୁଛନ୍ତି ସେହି ବର୍ଗ‌ର ୮୪,୪୪୨ ଜଣ କରୋନା ଆକ୍ରାନ୍ତ ହୋଇସାରିଲେଣି। ଏପରିକି ଦୈନିକ ଶତାଧିକ ୧୮ବର୍ଷରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ସୁଦ୍ଧା ୬୦ବର୍ଷରୁ ଊର୍ଦ୍ଧ୍ବ ୯୬,୭୮୪ଜଣ କ‌ରୋନା ଆକ୍ରାନ୍ତ ହୋଇଥିବା ବେଳେ ଶିଶୁ ଓ କିଶୋର ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁଭଳି ବଢ଼ୁଛି ତାହା ୬୦ବର୍ଷରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କ ସଂଖ୍ୟାକୁ ପଛରେ ପକାଇଦେବାର ଆଶଙ୍କାକୁ ଏଡ଼ାଇ ହେବନି। ଆଜି ସୁଦ୍ଧା ୪୧ରୁ ୬୦ବର୍ଷ ମଧ୍ୟରେ ୩ଲକ୍ଷ ୧୪ହଜାର ୯୩୭ଜଣ ଏବଂ ୧୯ରୁ ୪୦ବର୍ଷ ମଧ୍ୟରେ ୫ଲକ୍ଷ ୯ହଜାର ୪୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୬ହଜାର ୫୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ଲକ୍ଷ ୯୧ହଜାର ୬୩୦ଜଣ ସୁସ୍ଥ ହୋଇଛନ୍ତି। ୭୮୩୪ଜଣଙ୍କର ବର୍ତ୍ତମାନ ସୁଦ୍ଧା କରୋନାରେ ମୃତ୍ୟୁ ହୋଇଛି। ଅପରପକ୍ଷେ ଆଜି ୮୪୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୧୯ଜଣ ୧୮ବର୍ଷରୁ କମ୍ ବୟସର ଆକ୍ରାନ୍ତ ଅଛନ୍ତି। ୮୩୪ଜଣ ସୁସ୍ଥ ହୋଇଥିବା ବେଳେ ୬୯ଜଣଙ୍କର କରୋନାରେ ମୃତ୍ୟୁ କଥା ଘୋଷଣା କରାଯାଇଛି।

ଅପରପକ୍ଷେ ଶନିବାର ୬୮୬୬୭ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବା ବେଳେ ଟିପିଆର୍ ୧.୨୪% ରହିଛି। ଖୋର୍ଦ୍ଧା ଜିଲ୍ଲାରେ ଟିପିଆର୍ ୩.୦୭% ଥିବାବେଳେ ବାକି ସବୁ ଜିଲ୍ଲାରେ ଟିପିଆର୍ ୩% ତଳେ ଅଛି। ଏପରିକି ଗଜପତି, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ଆଜି ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

ସମ୍ବନ୍ଧିତ ଖବର