୪ ମାସ ପରେ ସବୁଠୁ କମ୍‌; ନିମ୍ନ ସ୍ତରରେ ସଂକ୍ରମଣ ହାର, ଦୈନିକ ସଂକ୍ରମଣ

୬୦୯ ପଜିଟିଭ, ୬୭ ମୃତ

ଭୁବନେଶ୍ବର : ୪ମାସର ବ୍ୟବଧାନ ପରେ ରାଜ୍ୟରେ କରୋନାର ଘାତକ ଦ୍ବିତୀୟ ଲହରରୁ ଆଶ୍ବସ୍ତି ମିଳିଛି। ରାଜ୍ୟରେ ଦୈନିକ ସଂକ୍ରମଣ ଓ ସଂକ୍ରମଣ ହାର ଏପ୍ରିଲ ମାସର ପ୍ରଥମ ସପ୍ତାହର ସ୍ଥିତିକୁ ଫେରି ଆସିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬୦୯କୁ ଖସି ଆସିଥିବା ବେଳେ ସଂକ୍ରମଣ ହାର ୧ପ୍ରତିଶତରୁ କମ୍ ରହିଛି। ସଂକ୍ରମଣ ହାର ତଳକୁ ତଳକୁ ଖସୁଥିବାରୁ ଦୈନିକ ସଂକ୍ରମଣ ମଧ୍ୟ ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏକଦା ରାଜ୍ୟରେ ସଂକ୍ରମଣ ହାର ୨୫ ପ୍ରତିଶତକୁ ବି ଟପି ଯାଇଥିଲା। ତେବେ ଦୈନିକ ସଂକ୍ରମଣ ହାର ୧ ତଳକୁ ଖସି ଆସିଥିଲେ ହେଁ ରାଜ୍ୟରେ ସାମଗ୍ରିକ ସଂକ୍ରମଣ ହାର ଏବେ ବି ୫ ପ୍ରତିଶତ ଉପରେ ରହିଛି।

ରାଜ୍ୟରେ କେବଳ ଖୋର୍ଧା ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ଦୈନିକ ସଂକ୍ରମଣ ଶହେ ତଳକୁ ଖସି ଆସିଲାଣି। ଏପରିକି କିଛି ଜିଲ୍ଲାରେ ସଂକ୍ରମଣ କ୍ରମାଗତ ଭାବେ ୧୦ ତଳେ ରହୁଥିବା ଦେଖିବାକୁ ମିଳୁଛି। ଶତ ପ୍ରତିଶତରୁ ଅଧିକ ଟିକାକରଣ ସତ୍ତ୍ବେ ଖୋର୍ଧା ଜିଲ୍ଲାରେ ସଂକ୍ରମଣ ଜାରି ରହିଛି। ତେବେ ରାଜ୍ୟରେ ଦ୍ବିତୀୟ ଲହର ସଂପୂର୍ଣ୍ଣ ସରି ନ ଥିବା ବେଳେ ତୃତୀୟ ଲହର ଚିନ୍ତା ବଢ଼ିଲାଣି। ଏକାଧିକ ଗାଣିତିକ ମଡେଲ କିନ୍ତୁ ଓଡ଼ିଶାରେ ତୃତୀୟ ଲହରର ସେଭଳି ପ୍ରଭାବ ପଡ଼ିବ ନାହିଁ ବୋଲି ପୂର୍ବାନୁମାନ କରିଛନ୍ତି। ମାତ୍ର କେନ୍ଦ୍ର ପଠାଇଥିବା ତୃତୀୟ ଲହରର ପୂର୍ବାନୁମାନକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

CP24

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୯୭ଜଣ ୧୮ବର୍ଷରୁ କମ୍ ବୟସର ସଂକ୍ରମିତ ଅଛନ୍ତି। ଖୋର୍ଧାରୁ ସର୍ବାଧିକ ୨୦୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ କଟକ ୭୧, ଯାଜପୁର ୩୬, ମୟୂରଭଞ୍ଜ ୨୬, ବାଲେଶ୍ବର ୨୧, ଜଗତସିଂହପୁର-ପୁରୀ ୨୦ ଲେଖାଏ, କେନ୍ଦ୍ରାପଡ଼ା ୧୯, ଅନୁଗୁଳ ୧୮, ସମ୍ବଲପୁର ୧୬ ଓ ଷ୍ଟେଟ୍ ପୁଲ ୪୮ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୭ହଜାର ୧୧୨କୁ ବୃଦ୍ଧି ପାଇଛି।

ରାଜ୍ୟରେ ବଳକା କୋଭିଡ ମୃତ୍ୟୁ ଘୋଷଣା ପୂର୍ବଭଳି ଜାରି ରହିଛି। ଆଉ ୬୭ଜଣଙ୍କ ମୃତ୍ୟୁ ସଂପର୍କରେ ଆଜି ସରକାରୀ ଭ‌ାବେ ଘୋଷଣା କରାଯାଇଛି। ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୦, ଜଗତସିଂହପୁର-ଅନୁଗୁଳ ୯ ଲେଖାଏଁ, ଯାଜପୁର ୪, ଖୋର୍ଧା ୬, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ୩ ଲେଖାଏଁ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ପୁରୀ ୨ ଲେଖାଏଁ, ସୋନପୁର, କଳାହାଣ୍ଡିରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୭୯୦୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୮୪୩ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୬୮୫କୁ ଖସି ଆସିଛି। ଅନ୍ୟପକ୍ଷରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୯୨ହଜାର ୪୭୩କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର