୫ ମାସ ପରେ ସଂକ୍ରମଣ ୫୦୦ ତଳକୁ ଖସିଲା, ୯ ଜିଲ୍ଲାରେ ଦୈନିକ ସଂକ୍ରମଣ ଶୂନ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଦୀର୍ଘ ୫ ମାସ ପରେ ଦୈନିକ ସଂକ୍ରମଣ ୫୦୦ ତଳକୁ ଖସିଥିବା ବେଳେ ରାଜ୍ୟର ୯ଟି ଜିଲ୍ଲାରେ ଜଣେ ହେଲେ ବି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ବୌଦ୍ଧ, ଗଜପତି, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସୋନପୁର ଜିଲ୍ଲାରେ ଦୈନିକ ସଂକ୍ରମଣ ଶୂନ ରହିଛି। କେବଳ ଖୋର୍ଧା ଜିଲ୍ଲାକୁ ବାଦ୍ ଦେଲେ ରାଜ୍ୟରେ ଅନ୍ୟ କୌଣସି ଜିଲ୍ଲାରେ ସଂକ୍ରମଣ ଶହେ ଉପରେ ଦେଖିବାକୁ ମିଳିନାହିଁ।

ଗତ ଏପ୍ରିଲ ୩ ତାରିଖରେ ଶେଷଥର ପାଇଁ ଦୈନିକ ସଂକ୍ରମଣ ୪୭୧ ଥିଲା। ଏହାପରଠାରୁ ଏହା ହୁହୁ ବଢ଼ିଥିଲା। ତେବେ ୫ ମାସର ବ୍ୟବଧାନ ପରେ ଆଜି ପୁଣି ରାଜ୍ୟରେ ୪୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ବର୍ଷରୁ କମ୍ ବୟସର ୫୭ଜଣ ପିଲା ରହିଛି। ଖୋର୍ଧାରୁ ୧୯୬, କଟକରୁ ୮୧, ବାଲେଶ୍ବରରୁ ୨୬, ଯାଜପୁର-ମୟୂରଭଞ୍ଜରୁ ୨୨ ଲେଖାଏଁ, ପୁରୀରୁ ୧୯, ଜଗତସିଂହପୁରରୁ ୧୬ ଓ ଷ୍ଟେଟ୍‌ ପୁଲ୍‌ରୁ ୪୪ଜଣଙ୍କୁ ଚିହ୍ନଟ କରାଯାଇଛି। ଯାହାଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୬ହଜାର ୮୩୩କୁ ବୃଦ୍ଧି ପାଇଛି। ଆଉ ୬ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଧା ୩, ପୁରୀ, ଅନୁଗୁଳ ଓ ଯାଜପୁରରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୧୦୬ରେ ପହଞ୍ଚିଛି। ରାଜ୍ୟରେ ସୋମବାର ଦିନ ୬୮୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ‌ଗତ କିଛିଦିନ ଧରି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬ହଜାର ଉପରେ ସ୍ଥିର ରହିଥିବା ବେଳେ ଆଜି ଏଥିରେ ହ୍ରାସ ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ୫୮୬୬ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଅପରପକ୍ଷରେ ଏ ପର୍ଯ୍ୟନ୍ତ ୧୦ଲକ୍ଷ ୨ହଜାର ୮୧୦ ରୋଗୀ ସୁସ୍ଥ ହୋଇ ସାରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର