ଗାଁରେ ବି ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ରୋଗୀ
ଏମ୍‌କେସିଜି ଓ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜ୍‌ମା ବ୍ୟାଙ୍କ୍‌
୧୯ସ୍ଥାନରେ ପରୀକ୍ଷା, ଆଗକୁ ୬ ସ୍ଥାନରେ ବଢ଼ିବ

Advertisment

ଭୁବନେଶ୍ୱର : ରାଜ୍ୟରେ ଆଗକୁ ଏମ୍‌କେସିଜି ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଚିକିତ୍ସା ଆରମ୍ଭ ହେବ। ଗତକାଲି ଆରଜିଏଚ୍‌ରେ ପ୍ଲାଜମା ଚିକିତ୍ସା ନେଇ ଘୋଷଣା ହୋଇଥିଲା। ପ୍ଲାଜମା ଦାନ କରିବାକୁ ଆସୁଥିବା ବ୍ୟକ୍ତିମାନଙ୍କ ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିବେ ଓ ସେମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପୂର୍ବରୁ ସହରାଞ୍ଚଳରେ ସ୍ବତନ୍ତ୍ର ଘର, ପାଇଖାନା ରହିଥିବା ଲୋକମାନେ କରୋନା ସଂକ୍ରମିତ ଥିଲେ ସେମାନଙ୍କୁ ଘରେ ରହିବା ଲାଗି ଅନୁମତି ଦିଆଯାଉଥିଲା। ରାଜଧାନୀରେ ଏବେ ୧୦୩ଜଣ ଘରେ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ଆଜି କିନ୍ତୁ ରାଜ୍ୟ ସରକାର ଏ ଦିଗରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗ୍ରାମାଞ୍ଚଳରେ ଯେଉଁମାନଙ୍କର ସ୍ପଳ୍ପରୁ ମଧ୍ୟମଧରଣର ଲକ୍ଷଣ ରହିଛି ଓ କୌଣସି କୋ-ମର୍ବିଡିଟି ନାହିଁ, ସେମାନଙ୍କୁ ମଧ୍ୟ ଘରେ ଚିକିତ୍ସା ପାଇଁ ଅନୁମତି ମିଳିବ। କୌଣସି ପ୍ରକାର ସମସ୍ୟା‌ ସୃଷ୍ଟି ହେଲେ, ତୁରନ୍ତ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ଆଜି ବିଜ୍ଞପ୍ତି ଜାରି କରିଛନ୍ତି।

publive-image Pragativadi

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ ଯେ ଲକ୍ଷଣ ଥିବା ବ୍ୟକ୍ତିମାନେ ନିଜର ଲକ୍ଷଣକୁ ନ ଲୁଚାଇ ପରୀକ୍ଷା ପାଇଁ ଆଗେଇ ଆସନ୍ତୁ। ଯେଉଁମାନେ ସୁସ୍ଥ ହେଉଛନ୍ତି, ସେମାନେ ୨୮ଦିନ ପରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିବା ଦରକାର। ଫଳରେ ଅନେକ ମୂଲ୍ୟବାନ ଜୀବନରକ୍ଷା ହୋଇପାରିବ। ଏହାସହ ଠିକ୍ ଢଙ୍ଗରେ ମାସ୍କ ଓ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ଲୋକମାନେ ଗୁରୁତ୍ବ ଦିଅନ୍ତୁ। କମ୍ୟୁନିଟିମାନେ କୋଭିଡ କେୟାର ହୋମ୍ କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତୁ।

ରାଜ୍ୟରେ ଆଜି ଗୋଟିଏ ଦିନରେ ୧୨୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ରାଜ୍ୟବାସୀ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀମାନେ ସର୍ଭେ କରୁଛନ୍ତି ଓ ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ କରୁଛନ୍ତି ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟର ସମସ୍ତ ଲକ୍ଷଣ ଥିବା ରୋଗୀଙ୍କୁ ଯଦି ଚିହ୍ନଟ କରିବାରେ ଆମେ ସକ୍ଷମ ହୋଇପାରିବା, ତେବେ ଖୁବ୍‌ଶୀଘ୍ର ରୋଗ ଉପରେ ନିୟନ୍ତ୍ରଣ ପାଇପାରିବା। ରାଜ୍ୟ ସରକାର ଏବେ ଭୂତାଣୁ ପଛରେ ଗୋଡ଼ାଉଛନ୍ତି।

publive-image Personnel Today

ଆଜି ରାଜ୍ୟରେ ୩,୦୦୦ରୁ ଆଣ୍ଟିଜେନ୍‌ ଟେଷ୍ଟ ହେବା ସହ ସମୁଦାୟ ୧୧,୦୦୦ରୁ ଅଧିକ ସ୍ୱାବ ପରୀକ୍ଷା ହୋଇଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବା ସ୍ୱାଭାବିକ। ବର୍ତ୍ତମାନ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଅବସ୍ଥା ଭଲ ଅଛି। ଆମ ରାଜ୍ୟରେ ମୃତ୍ୟୁ ହାର ବହୁତ କମ୍‌ ରହିଛି। ଏଥିସହ ସୁସ୍ଥତା ହାର ବି ୬୫ ପ୍ରତିଶତ ରହିଛି। ତେଣୁ ରାଜ୍ୟବାସୀ ଚିନ୍ତା କରିବାର କୌଣସି କାରଣ ନାହିଁ। ଏଥିସହ କୋଭିଡ୍‌ ଲକ୍ଷଣ ଥିବା ସମସ୍ତ ବ୍ୟକ୍ତି ନିଜ ଆଡୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଯୋଗାଯୋଗ କରି ପରୀକ୍ଷା କରାଇନେବା ଦରକାର। ରାଜ୍ୟରେ ଏବେ ୧୯ଟି ସ୍ଥାନରେ କୋଭିଡ ପରୀକ୍ଷା ହେଉଛି ଓ ଆଗକୁ ଆହୁରି ୬ଟି ସ୍ଥାନରେ ଏହାର ପରୀକ୍ଷା ହେବ। ନିର୍ଦ୍ଦିଷ୍ଟ ଭାବେ କେତେ ପରୀକ୍ଷା କରାଯିବ, ତାହାକୁ ଗୁରୁତ୍ବ ନ ଦେଇ ପରୀକ୍ଷା ବଢ଼ାଯିବାକୁ ନିଷ୍ପତ୍ତି ନିଆଯାଇଛି। ବହୁ ସଂଖ୍ୟାରେ ଆଣ୍ଟିଜେନ୍ କିଟ୍ ଓ ଜୀବନ ରକ୍ଷାକାରୀ ଔଷଧ ରାଜ୍ୟରେ ଏବେ ମହଜୁଦ ରହିଛି। ତେଣୁ ରାଜ୍ୟବାସୀ ଏଥିପାଇଁ ଚିନ୍ତାର କରିବା ଦରକାର ନାହିଁ।