ରାଜ୍ୟରେ ଆଉ ୫୬୫ ପଜିଟିଭ୍ ଚିହ୍ନଟ, ୫ ମୃତ; ହସ୍ପିଟାଲରେ ଶିଶୁଙ୍କ ଆଡମିସନ୍‌ ସ୍ଥିର

ଭୁବନେଶ୍ବର : ରାଜ୍ୟରେ ୧୮ବର୍ଷରୁ କମ୍ ଶିଶୁଙ୍କ ହସ୍ପିଟାଲରେ ଆଡମିସନ୍‌ ସ୍ଥିତି ସ୍ଥିର ରହିଛି। ଗତ ସପ୍ତାହ ଭିତରେ ଶିଶୁଙ୍କ ହସ୍ପିଟାଲରେ ଆଡିମସନ୍‌ରେ ପରିବର୍ତନ ହୋଇନାହିଁ। ରାଜ୍ୟରେ ୧୩ଜଣ ସାଧାରଣ ଶଯ୍ୟାରେ ଥିବା ବେଳେ ୩ଜଣ ଆଇସିୟୁ/ଏଚ୍‌ଡିୟୁରେ ଅଛନ୍ତି। ହେଲେ ଜଣେ ହେଲେ ବି ଶିଶୁ ସଂକ୍ରମିତ ଭେଣ୍ଟିଲେଟରରେ ନାହାନ୍ତି। ହସ୍ପିଟାଲରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଶଯ୍ୟା ତୁଳନାରେ ମାତ୍ର ୧.୧୩ ପ୍ରତିଶତ ଶିଶୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଅପରପକ୍ଷରେ ୫୦୪ଜଣ ବୟସ୍କ ହସ୍ପିଟାଲରେ ଏବେ ଚିକିତ୍ସିତ ହେଉଛନ୍ତି। ସାଧାରଣ ଶଯ୍ୟାରେ ୧୭୭, ଆଇସିୟୁ/ଏଚ୍‌ଡିୟୁରେ ୩୨୭ ଓ ଆଇସିୟୁ ଭେଣ୍ଟିଲେଟରରେ ୭୧ଜଣ ରୋଗୀ ରହିଛନ୍ତି। ଗତ ୨୧ତାରିଖ ତୁଳନାରେ ଏଥିରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ମାତ୍ର ୪୪୪୯ ବା ୯୦ ପ୍ରତିଶତ ରୋଗୀ ଗୃହ ପୃଥକବାସରେ ରହିଛନ୍ତି। ତେଣୁ ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୫୦୦-୬୦୦ ଭିତରେ ରହୁଥିଲେ ହେଁ ଏହା ତୁଳନାରେ କମ୍ ସଂଖ୍ୟକ ରୋଗୀ ହସ୍ପିଟାଲରେ ଆଡମିଟ୍‌ ହେଉଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୫୬୫ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧାରୁ ସର୍ବାଧିକ ୨୫୬, କଟକ ୬୧, ବାଲେଶ୍ବର-ଯାଜପୁର ୨୮ଲେଖାଏ, ଜଗତସିଂହପୁର ୨୦, ସମ୍ବଲପୁର ୧୧ ଓ ଷ୍ଟେଟ୍‌ ପୁଲରୁ ୫୬ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨୫ହଜାର ୮୭୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୫ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଧାରୁ ୨, ପୁରୀ, ଜଗତସିଂହପୁର ଓ ଭଦ୍ରକରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତକଙ୍କ ସଂଖ୍ୟା ୮୧୯୨ରେ ପହଞ୍ଚିଛି। ଆଉ ୪୬୭ କରୋନା ରୋଗୀ ଆଜି ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫ହଜାର ତଳକୁ ଖସି ଆସିଥିବା ବେଳେ ପୁଣିଥରେ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୫୦୪୬ ଚିକିତ୍ସାଧୀନ ରୋଗୀ ଅଛନ୍ତି। ଅପରପକ୍ଷରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୧୦ଲକ୍ଷ ୧୨ହଜାର ୫୮୩କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର