ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ବିତୀୟ ଲହର ନିମ୍ନଗାମୀ ହେବାରେ ଲାଗିଛି। ଗତ ମେ, ଜୁନ୍ ମାସରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ପାଖାପାଖି ରହୁଥିବା ବେଳେ ଗତ ସେପ୍ଟେମ୍ବର ମାସବ୍ୟାପୀ ୧୦,୮୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୧୭୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
ଦୈନିକ ସଂକ୍ରମଣ ୫ଶହ ତଳକୁ ଖସି ଆସିଥିବା ବେଳେ ତଥାପି ବିପଦ ଟଳିନାହିଁ। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ସତର୍କ ରହିବାକୁ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିବେଦନ କରି ଆସୁଛନ୍ତି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ପାର୍ବଣ ଭିଡ଼ ଉପରେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନଜର ରଖାଯିବ। ବିଶେଷକରି ସପିଂ ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସ୍ବତନ୍ତ୍ର ସ୍କାର୍ଡ ନଜର ରଖିବ। ଯେଉଁଠାରେ ସଂକ୍ରମଣ ବଢ଼ି ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋକଣ୍ଟେନମେଣ୍ଟ କରାଯିବ। ଏବେ ଦୈନିକ ଟେଷ୍ଟିଂ ୬୦-୭୦ହଜାର କରାଯାଉଥିବା ବେଳେ ତାହା ଜାରି ରହିବ ବୋଲି ଡା.ମହାପାତ୍ର କହିଛନ୍ତି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭୮ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୨୧୧, କଟକ ୫୭, ଜଗତସିଂହପୁର ୨୯, ଯାଜପୁର ୧୬, ମୟୂରଭଞ୍ଜ ୧୩ ଓ ଷ୍ଟେଟ୍ ପୁଲରୁ ୪୭ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨୭ହଜାର ୪୩୧କୁ ବୃଦ୍ଧି ପାଇଛି। ଏହାସହ ଆଉ ୭ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ମୃତକଙ୍କ ସଂଖ୍ୟା ୮୨୦୯ରେ ପହଞ୍ଚିଛି। ରାଜ୍ୟରେ ଆଜି ୫୭୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୭୫୭କୁ ଖସି ଆସିଛି। ଅନ୍ୟପଟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୧୪ହଜାର ୪୧୨କୁ ବୃଦ୍ଧି ପାଇଛି।