ଦିନକରେ ୪୨୫ ପଜିଟିଭ୍, ୩ମୃତ

୭ ଜିଲ୍ଲାରେ ରୋଗୀ ସଂଖ୍ୟା ଶୂନ

ଭୁବନେଶ୍ୱର : ରାଜ୍ୟରେ କ‌ରୋନା ସଂକ୍ରମଣ ଲଗାତାର ଭାବେ ୫ଶହ ତ‌ଳେ ରହୁଛି। ହେଲେ ଖୋର୍ଧା ଜିଲ୍ଲାରେ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଛି। ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ୨ଶହ ଉପରେ ରହୁଛି। ତହିଁରୁ ସିଂହ ଭାଗ ଆକ୍ରାନ୍ତ ଭୁବନେଶଶ୍ବରରୁ ଚିହ୍ନଟ ହେଉଛନ୍ତି। ସର୍ବାଧିକ ଟିକାକରଣ ଓ ସଚେତନତା ସତ୍ତ୍ବେ ଭୁବନେଶ୍ବରରେ ସଂକ୍ରମଣ କମୁନାହିଁ। ଯାହାକି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୨୫ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୨୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକରୁ ୪୦, ମୟୂରଭଞ୍ଜ ୨୦, ବାଲେଶ୍ବର ୧୫, ସମ୍ବଲପୁର ୧୪, ଭଦ୍ରକ, ଯାଜପୁରରେ ୧୧ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୪୫ଜଣଙ୍କୁ ଚିହ୍ନଟ କରାଯାଇଛି। ମାତ୍ର ଆଶ୍ବସ୍ତିର ଖବର ହେଉଛି ଯେ ରାଜ୍ୟର ୭ଟି ଜିଲ୍ଲାରୁ ଜଣେ ହେଲେ ବି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ଗତ ୨୪ଘଣ୍ଟାର ସଂକ୍ରମଣକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୩୮ହଜାର ୮୩୬କୁ ବୃଦ୍ଧି ପାଇଛି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି ଯେ ଭୁବନେଶ୍ବରରେ ସଂକ୍ରମଣ ଉପର-ତଳ ହେବା ସହିତ ପ୍ଲାଟୋ ସ୍ଥିତିରେ ରହିଛି। ମାତ୍ର ଟ୍ରାନ୍ସମିସନ୍ ଭଳି ପରିବେଶ ସୃଷ୍ଟି କରିବା ସ୍ଥିତିରେ ନାହିଁ। ଏବେ ଆମେ କରୋନାର ଏଣ୍ଡେମିକ୍ ସ୍ଥିତି ଆଡ଼କୁ ଗତି କରିବାକୁ ଆରମ୍ଭ କରିବେ। ଏଣ୍ଡେମିକ ଷ୍ଟେଜରେ କୋଭିଡ ରହିବ। ସେହିପରି ବୁଷ୍ଟର ଡୋଜ୍‌କୁ ନେଇ ଡା.ମହାପାତ୍ର କହିଛନ୍ତି ଯେ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ରହିଛି ହେଲେ ବୈଷୟିକ କମିଟିର ଏହା ଉପରେ ଷ୍ଟଡି ରିପୋର୍ଟ ଆସିନାହିଁ। ସେହିପରି ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି, ବୁଷ୍ଟର ଡୋଜ୍ ବିଶ୍ବସ୍ତରରେ ଗ୍ରହଣୀୟ ହୋଇନାହିଁ। ଭାରତରେ ମଧ୍ୟ ବୁଷ୍ଟର ଡୋଜ୍‌କୁ ଏ ପର୍ଯ୍ୟନ୍ତ ଅନୁମତି ମିଳିନାହିଁ। ଡେଲ୍‌ଟା ଭାରିଏଣ୍ଟର ଉପ-ପ୍ରଜାତି ଏୱାଇ ୪.୨ କେବଳ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି। ତାହାକୁ ନେଇ ଭାରିଏଣ୍ଟ ଅଫ ଇନଭେଷ୍ଟିଜେସନ୍‌ରେ ରଖାଯାଇଛି। ତେଣୁ ଏହାକୁ ନେଇ ଲୋକମାନେ ଏତେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଡେଲ୍‌ଟା ଭୂତାଣରୁ ୫୫ଟି ଉପ ପ୍ରଜାତି ରହିଛି। ତା’ ଭିତରେ ଅଳ୍ପ କେତୋଟି ଲୋକଲୋଚନକୁ ଆସିଛି। ନୂଆ ଚିହ୍ନଟ ହେବା ପରେ ତାହା କେତେଦୂର ସଂକ୍ରମଣ ଉପରେ ପ୍ରଭାବ ପକାଉଛି ତାହା ଜିନ୍ ଅନୁଶୀଳନ ପରେ ସ୍ପଷ୍ଟ ହୋଇପାରି ବୋଲି ସେ କହିଛନ୍ତି।

ରାଜ୍ୟରେ ଆଉ ୩ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୟୂରଭଞ୍ଜ, କେନ୍ଦୁଝର ଓ ଭଦ୍ରକରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୮୩୧୨କୁ ବୃଦ୍ଧି ପାଇଛି। ଆଉ ୩୬୦ କୋଭିଡ ରୋଗୀ କରୋନାରୁ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୧୯୪କୁ ଖସି ଆସିଛି। ଏହାସହ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୨୬ହଜାର ୨୭୭କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର