ଭୁବନେଶ୍ବର : ରାଜ୍ୟରେ ଏ ପର୍ଯ୍ୟନ୍ତ ୪ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଦୁଇ ଜଣ ଲେଖାଏ ରାଜଧାନୀ ଓ ଜଗତସିଂହପୁର ଅଞ୍ଚଳର। ଆଉ ୪ଟି ନମୁନା ଜିନ୍ ଅନୁଶୀଳନ ପାଇଁ ପଠାଯାଇଛି। ହେଲେ ଆକ୍ରାନ୍ତମାନେ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ରାଜ୍ୟରେ ଆଗକୁ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ଦେଖାଗଲାଣି।

Advertisment

କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’କୁ ନେଇ ଏବେ ଚାରିଆଡ଼େ ଆଶଙ୍କାର ବାତାବରଣ ଦେଖା ଦେଇଛି। ରାଜ୍ୟକୁ ବହୁ ସଂଖ୍ୟାରେ ବିଦେଶ ଫେରନ୍ତା ଆସିଥିବାରୁ ଓଡ଼ିଶା ପାଇଁ ଏହା ବିପଦ ସୃଷ୍ଟି କରିଛି। ଯଦି ବିଦେଶ ଫେରନ୍ତାମାନଙ୍କୁ ଚିହ୍ନଟ କରି ନମୁନା ପରୀକ୍ଷା କରା ନ ଯାଏ ତାହାଲେ ସଂକ୍ରମଣ ବଢ଼ିବାର ଆଶଙ୍କା ପ୍ରକାଶ ପାଇଲାଣି। ତେଣୁ ଲୋକମାନେ ଗୋଟିଏ ଲେୟାର ମାସ୍କ ନ ପିନ୍ଧି ୩ ଲେୟାର ମାସ୍କ କିମ୍ବା ଏନ୍‌-୯୫ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଡିଏମ୍‌ଇଟି ଡା.ରମାରମଣ ମହାନ୍ତି କହିଛନ୍ତି, ଓମିକ୍ରନ୍ ୫ଗୁଣ ଦ୍ରୁତ ଗତିରେ ବ୍ୟାପୁଛି। ତେଣୁ ଲୋକଙ୍କୁ ୩ ଲେୟାର ମାସ୍କ ପିନ୍ଧିବା ଜରୁରୀ। ଆଉ ୪ଟି ନମୁନା ଜିନ୍ ଅନୁଶୀଳନ ପାଇଁ ପଠାଯାଇଛି। ଏହାସହ ସଂକ୍ରମଣକୁ ଦେଖି ଆଇସିୟୁ, ଶଯ୍ୟା ଓ ଭେଣ୍ଟିଲେଟର ସବୁକୁ କାର୍ଯ୍ୟକ୍ଷମ ମୋ‌ଡରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ନାଇଟ୍‌ କର୍ଫୁ ପାଇଁ ନିର୍ଦେଶ ଦେଇଥିବା ଡା.ମହାନ୍ତି ସୂଚନା ଦେଇଛନ୍ତି। ଏହାସହ ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ଦୁଇଟି ଷ୍ଟଡି କହୁଛି ଓମିକ୍ରନ୍‌ର ବିଶେଷ ପ୍ରଭାବ ନ ହୋଇପାରେ। ମାତ୍ର ଆମକୁ ସଜାଗ ରହିବାକୁ ପଡ଼ିବ। ଭିଡ଼ ନିୟନ୍ତ୍ରଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଯେତେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କର ଜିନ୍ ଅନୁଶୀଳନ ପାଇଁ ପଠାଯିବ ବୋଲି ଡା.ମହାପାତ୍ର କହିଛନ୍ତି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୫୮, କଟକ ୧୨ ଓ ଷ୍ଟେଟ୍‌ ପୁଲରୁ ୧୧ଜଣଙ୍କୁ ଚିହ୍ନଟ କରାଯାଇଛି। ୧୧ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୫୩ହଜାର ୬୪୫କୁ ବୃଦ୍ଧି ପାଇଛି। ଆଉ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୮୪୫୦ରେ ପହଞ୍ଚିଛି। ରାଜ୍ୟରେ ଆଜି ୨୧୦ କୋଭିଡ ଆକ୍ରାନ୍ତ ସୁସ୍ଥ ହେବା କାରଣରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୫୪୧କୁ ଖସି ଆସିଛି।