ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ଟପିଲା
ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ମୁହାଁ, ଦୈନିକ ସଂକ୍ରମଣ ୩୦ହଜାର ଛୁଇଁବ
ଭୁବନେଶ୍ବର : ୧୫ ମାର୍ଚ୍ଚ ୨୦୨୦ରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସୁଦ୍ଧା (ପ୍ରାୟ ୨୨ମାସ) ମଧ୍ୟରେ ୧୧ଲକ୍ଷ ୧ହଜାର ୬୦୬ଜଣ ଆକ୍ରାନ୍ତ ହେଲେଣି। କରୋନାର ତିନିଟି ଲହରର ପ୍ରଭାବ ଓଡ଼ିଶାରେ ପଡ଼ିଥିଲେ ବି ଦ୍ବିତୀୟ ଲହରରେ ସବୁଠୁ ବିପଜ୍ଜନକ ସାଜିଥିଲା। ସବୁଠୁ ଅଧିକ ସଂକ୍ରମଣ ଓ ମୃତ୍ୟୁ ଏହି ଲହରରେ ହୋଇଛି। ହେଲେ ତୃତୀୟ ଲହରରେ ସଂକ୍ରମଣ ହାର ଅଧିକ ରହିଛି। ଏବେବି ତୃତୀୟ ଲହର ସଂକ୍ରମଣ ଶୀର୍ଷରେ ପହଞ୍ଚିନଥିବାରୁ କେତେ ଲୋକ ସଂକ୍ରମିତ ହେବେ ତାହା ଆକଳନ କରାଯାଇପାରୁନି।
ବର୍ତ୍ତମାନ ସୁଦ୍ଧା ୧୧ଲକ୍ଷ ୧ହଜାର ୬୦୬ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ଏଥିରୁ ୧୦ଲକ୍ଷ ୫୦ହଜାର ୧୭୯ଜଣ ସୁସ୍ଥ ହୋଇଛନ୍ତି। ୮୪୭୨ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି।
ଅପରପକ୍ଷେ ଆଜି ଦୀର୍ଘ ମାସ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଟପିଛି। ରାଜ୍ୟରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟ ସରକାର କୋଭିଡ ପରୀକ୍ଷା ବଢ଼ାଇ ଦେଇଛନ୍ତି। ମଙ୍ଗଳବାର ୭୪୬୦୧ଜଣଙ୍କର କୋଭିଡ ପରୀକ୍ଷା ହୋଇଥିଲା। ବୁଧବାର ଏଥିରେ ବୃଦ୍ଧି ଘଟି ୮୧୦୬୫ଜଣଙ୍କର କୋଭିଡ ଟେଷ୍ଟ
କରାଯାଇଥିଲା। ଟେଷ୍ଟ ବଢ଼ିବା ସହ ଆକ୍ରାନ୍ତଙ୍କ ସହ ବି ବଢ଼ିଛି। ଆଜି ମୋଟ୍ ୧୦୦୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାତ୍ର ୯୪୯ଜଣ ସୁସ୍ଥ ହୋଇଛନ୍ତି। ଯାହାଦ୍ବାରା ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୩୪୯ରେ ପହଞ୍ଚିଥିବାବେଳେ ଆସନ୍ତାକାଲି ଏହା ୫୦ହଜାର ଅତିକ୍ରମ କରିବା ଆଶଙ୍କା ସୃଷ୍ଟି ହୋଇଛି। ଏଥିସହିତ ରାଜ୍ୟର ଟିପିଆର୍ ବଢ଼ି ୧୨.୪୧%ରେ ପହଞ୍ଚିଛି।
ଗୁରୁବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୮୭୨ଜଣ ୧୮ବର୍ଷରୁ କମ୍ ବୟସର ଅଛନ୍ତି। ସେହିପରି ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୧୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୧୩୪୮, କଟକରୁ ୮୭୦, ଷ୍ଟେଟ୍ପୁଲ୍ରୁ ୭୨୪, ବାଲେଶ୍ବରରୁ ୨୭୮, ଅନୁଗୁଳରୁ ୪୬, ବରଗଡ଼ରୁ ୭୬, ଭଦ୍ରକରୁ ୧୩୮, ବଲାଙ୍ଗୀରରୁ ୨୧୬, ବୌଦ୍ଧରୁ ୧୫, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୫୦, ଗଜପତିରୁ ୮୨, ଗଞ୍ଜାମରୁ ୧୫୪, ଜଗତସିଂହପୁରରୁ ୧୪୨, ଯାଜପୁରରୁ ୨୧୨, ଝାରସୁଗୁଡ଼ାରୁ ୨୧୯, କଳାହାଣ୍ଡିରୁ ୧୨୩, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୧୦୯, କୋରାପୁଟରୁ ୧୫୫, ମାଲକାନଗିରିରୁ ୧୭, ମୟୂରଭଞ୍ଜରୁ ୪୨୩, ନବରଙ୍ଗପୁରରୁ ୧୨୨, ନୟାଗଡ଼ରୁ ୧୦୨, ନୂଆପଡ଼ାରୁ ୬୬, ପୁରୀରୁ ୨୭୨, ରାୟଗଡ଼ାରୁ ୧୩୧. ସମ୍ବଲପୁରରୁ ୫୭୦, ସୋନପୁରରୁ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ରେଡ୍ ଜୋନ୍ରେ ଥିବା ସୁନ୍ଦରଗଡ଼ରେ ଟିପିଆର୍ ସାମାନ୍ୟ କମିଥିଲେ ହେଁ ୨୭.୬୩% ରହିଛି। ସମ୍ବଲପୁରରେ (୧୮.୫୩%) ମଧ୍ୟ କମିଛି। କଟକରେ ୯.୮୬%, ଖୋର୍ଦ୍ଧାରେ ଏହା ବଢ଼ିକି ୨୫.୫୨% ରହିଛି। ୟେଲୋ ଜୋନ୍ରେ ଥିବା ପୁରୀରେ ଟିପିଆର୍ ବଢ଼ି ୧୩.୮୮%, ମୟୂରଭଞ୍ଜରେ ବଢ଼ି ୧୫.୨୭%, ବାଲେଶ୍ବରରେ ବଢ଼ି ୭.୮୪%, ଝାରସୁଗୁଡ଼ାରେ ୯.୩% ରହିଛି। ଏହାବାଦ୍ ବଲାଙ୍ଗୀରରେ ୧୦.୫୯%, କଳାହାଣ୍ଡିରେ ୮.୨୯%, ନବରଙ୍ଗପୁରରେ ୮.୭୧%, ରାୟଗଡ଼ାରେ ୯.୧୯% ରହିଛି।
ରାଜ୍ୟରେ ଦୈନିକ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ଟପିବା ପରେ ବି ସଂକ୍ରମଣ ଶୀର୍ଷରେ ପହଞ୍ଚିନି। ଆଗକୁ ସଂକ୍ରମଣ ଆହୁରି ବଢ଼ିବ। ଖୁବ୍ ଶୀଘ୍ର ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ଆହୁରି ଅଧିକ ଆକ୍ରାନ୍ତ ପ୍ରତିଦିନ ଚିହ୍ନଟ ହେବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଇତିମଧ୍ୟରେ ଆକଳନ କରିଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ଅଶୋକ ମହାପାତ୍ର ଆକଳନ କରିଛନ୍ତି ଯେ ସଂକ୍ରମଣ ଶୀର୍ଷରେ ପହଞ୍ଚିଲା ବେଳକୁ ରାଜ୍ୟରେ ଦିନକୁ ୩୦ହଜାର ଆକ୍ରାନ୍ତ ଚିହ୍ନଟ ହେବେ। କେବଳ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବନି। ମୃତକଙ୍କ ସଂଖ୍ୟା ବି ବଢ଼ିବ। ଏବେ କରୋନା ଜନିତ ମୃତ୍ୟୁ ଦୈନିକ ୧ରୁ ୩ ମଧ୍ୟରେ ରହୁଥିବା ବେଳେ ଏହା ଆହୁରି ବଢ଼ିବ। ଡେଲ୍ଟା ଠାରୁ ଓମିକ୍ରନ୍ ୪ଗୁଣା ଅଧିକ ସଂକ୍ରମିତ କରୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି। ସେହିପରି ୬ ମାସ ତଳେ ଟିକା ନେଇଥିଲେ ବି ଏହା କାମ କରିବ ନାହିଁ। ତେଣୁ ସମସ୍ତଙ୍କ ପାଇଁ ଏବେ ବୁଷ୍ଟର ଡୋଜର ଆବଶ୍ୟକତା ରହିଛି।
ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ଟ୍ରେଣ୍ଡରେ ରହିଛି। ଅଳ୍ପ ଦିନ ଭିତରେ ଆମେ ପିକ୍କୁ ଅତିକ୍ରମ କରି ଯାଇପାରୁ। ପୂର୍ବରୁ ଆସିଥିବା ଦୁଇଟି ଲହରରେ ଦେଖିବାକୁ ମିଳିଛି ଯେ ପ୍ରଥମେ ସଂକ୍ରମଣ ବଢ଼ିବ, ତା’ପରେ କିଛି ଦିନ ସମାନ୍ତରାଳରେ ରହିବ, ଏହାପରେ କମିବ। ବର୍ତ୍ତମାନ ଦେଶରେ ସଂକ୍ରମଣ ବଢୁଛି, ସେହି ହିସାବରେ ରାଜ୍ୟରେ ମଧ୍ୟ ବଢ଼ୁଛି। ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଦେଖିଲେ ଆକଳନ କରାଯାଉଛି ଯେ, ଜାନୁଆରି ଶେଷ ସୁଦ୍ଧା ସଂକ୍ରମଣ ପିକ୍ରେ ପହଞ୍ଚିବ। ଫେବ୍ରୁଆରିରେ ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା କମିବ ବୋଲି ଆକଳନ କରାଯାଉଛି। ଡା. ମହାପାତ୍ର ଆହୁରି କହିଛନ୍ତି, ସଂକ୍ରମଣ ବଢ଼ିଲେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ରହିଛି। ଆଜିକା ଦିନରେ ସାଧାରଣ ଶଯ୍ୟାରେ ୬.୫୧%, ଆଇସିୟୁରେ ୧୨.୫୧% ଓ କ୍ରିଟିକାଲ କେୟାରରେ ୩.୬୨% ଆକ୍ରାନ୍ତ ଅଛନ୍ତି। ଏବେ ୫ଟି ଦିଗ ଉପରେ ନଜର ରଖାଯାଇଛି। ଟେଷ୍ଟ, ପଜିଟିଭିଟି ରେଟ୍, ହସ୍ପିଟାଲାଇଜେସନ, ମୃତ୍ୟୁ ହାର ଓ ଲୋକଙ୍କ ବ୍ୟବହାରକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବ। ସବୁ ପ୍ରକାରର ପରିସ୍ଥିତି ମୁକାବିଲା ପାଇଁ ଅକ୍ସିଜେନ୍, ଔଷଧ ଓ ଶଯ୍ୟା ପ୍ରସ୍ତୁତ ରଖାଯାଇଛି।