ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର୍
ରେଡ୍ରେ ୪, ୟେଲୋ ଜୋନ୍ରେ ୬ ଜିଲ୍ଲା
ପିକ୍ ସମୟରେ ୨୫ ହଜାର ଛୁଇଁବ ଦୈନିକ ସଂକ୍ରମଣ
ଭୁବନେଶ୍ବର : ଓଡ଼ିଶାରେ ବେକାବୁ କରୋନା। ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ ପରେ ବି ଦୈନିକ ସଂକ୍ରମଣ ଲଗାତାର ଭାବେ ବୃଦ୍ଧି ପାଉଛି। ୨୦ ଦିନ ହେଲା ଉପରମୁହାଁ ରହିଥିବା କରୋନା ଗ୍ରାଫ୍ ଏବେ ଶିଶୁଙ୍କ ଉପରେ ଅଧିକ ପ୍ରଭାବ ପକାଇଛି। ୦-୧୮ ବର୍ଷ ବୟସର ଶିଶୁଙ୍କ ଦୈନିକ ସଂକ୍ରମଣ ଏବେ ହଜାରେ ଟପିଛି। ଗୁରୁବାର ଶିଶୁଙ୍କ ଦୈନିକ ସଂକ୍ରମଣ ୮୭୨ ରହିଥିବା ବେଳେ ଆଜି ୧୦୬୫ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ପିଲା ସଂକ୍ରମିତ ହେବା ଚିନ୍ତା ବଢ଼ାଇଛି। ଯଦି ଦେଖାଯାଏ, ଜାନୁଆରି ପହିଲାରେ ଦୈନିକ ସଂକ୍ରମଣ ୨୯୮ ଥିବା ବେଳେ ଶିଶୁଙ୍କ ସଂକ୍ରମଣ ୩୩ ରହିଥିଲା। ଅର୍ଥାତ୍ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧.୦୭% ଥିଲେ ଶିଶୁ। ଏବେ ବି ପିଲାଙ୍କ ସଂକ୍ରମଣ ୧୦% ଉପରେ ରହିଛି। ଶୁକ୍ରବାର ଚିହ୍ନଟ ହୋଇଥିବା ୧୦ହଜାର ୨୭୩ ଜଣଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ବୟସର ୧୦୬୫ ଜଣ ଶିଶୁ ରହିଛନ୍ତି। ଅର୍ଥାତ୍ ଶିଶୁଙ୍କ ସଂକ୍ରମଣ ହାର ୧୦.୩୬% ରହିଛି।
ଓଡ଼ିଶାର ଟେଷ୍ଟ ପଜିଟିଭ୍ ରେଟ୍(ଟିପିଆର) ଆଜିର ଦିନରେ ୧୩.୫୭% ରହିଛି। ୭୫ହଜାର ୭୩୧ଜଣଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ସେଥିରୁ ୧୦ ହଜାର ୨୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲଗାତାର ୧୮ ଦିନ ଲାଗି ଟିପିଆର୍ ଉପରମୁହାଁ ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଓଡ଼ିଶାର ଟିପିଆର୍ ତୁଳନାରେ ଖୋର୍ଧା ସମେତ କିଛି ଜିଲ୍ଲାରେ ପଜିଟିଭ୍ ରେଟ୍ ବହୁ ଅଧିକ ରହିଛି। ଏ କ୍ଷେତ୍ରରେ ଖୋର୍ଧା ସବୁଠାରୁ ଆଗରେ ରହିଛି। ଆଜିର ଦିନରେ ଖୋର୍ଧାର ଟିପିଆର୍ ୨୭.୧୨% ରହିଛି, ଯାହାକି ରାଜ୍ୟ ଟିପିଆର୍ର ପାଖାପାଖି ଦୁଇଗୁଣ। ଖୋର୍ଧା ଜିଲ୍ଲାରେ ୧୨ ହଜାର ୮୯୨ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩୪୯୬ଟି ପଜିଟିଭ୍ ଆସିଛି। ସୁନ୍ଦରଗଡ଼ରେ ବି ଟିପିଆର ୧୮.୬୭% ରହିଛି। ଏଠାରେ ପରୀକ୍ଷା ହୋଇଥିବା ୫୬୧୮ ନମୁନା ମଧ୍ୟରୁ ୧୦୪୯ଟି ପଜିଟିଭ୍ ବାହାରିଛି। ସେହିପରି ସମ୍ବଲପୁରରେ ୧୬.୮୨%, କଳାହାଣ୍ଡିରେ ୧୫.୦୬%, କଟକରେ ୧୩.୬୯% ରହିଛି। ୨୧ ଜିଲ୍ଲାରେ ଟିପିଆର ଉପରମୁହାଁ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
/sambad/media/post_attachments/wp-content/uploads/2022/01/covid19test.jpg)
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲଗାତର ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରାଣ୍ଟିନ୍ରୁ ୫ ହଜାର ୯୬୨ଜଣ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୩୧୧ ଲୋକାଲ କେସ୍ ଚିହ୍ନଟ ହୋଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୩ ହଜାର ୪୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୦୪୯, କଟକରୁ ୮୪୪, ସମ୍ବଲପୁରରୁ ୫୨୯, ମୟୂରଭଞ୍ଜରୁ ୩୪୦, ବାଲେଶ୍ବରରୁ ୪୫୭, ପୁରୀରୁ ୨୬୯, ଝାରସୁଗୁଡ଼ାରୁ ୨୦୨, ବଲାଙ୍ଗୀରରୁ ୧୯୧, ଯାଜପୁରରୁ ୧୪୩, କୋରାପୁଟରୁ ୧୮୬, ଗଞ୍ଜାମରୁ ୫୫, ଜଗତସିଂହପୁର ୧୩୨, ଭଦ୍ରକରୁ ୧୦୨, ରାୟଗଡ଼ାରୁ ୧୮୩, କଳାହାଣ୍ଡିରୁ ୨୦୩, ନବରଙ୍ଗପୁରରୁ ୧୨୫, କେନ୍ଦୁଝରରୁ ୧୧୪, ସୋନପୁରରୁ ୧୩୨, ନୟାଗଡ଼ରୁ ୧୨୧, ଗଜପତିରୁ ୧୨୬, ବରଗଡ଼ରୁ ୧୦୨, ନୂଆପଡ଼ାରୁ ୪୫, କେନ୍ଦ୍ରାପଡ଼ାରୁ ୭୪, ଢେଙ୍କାନାଳରୁ ୬୯, ଅନୁଗୁଳରୁ ୮୫, କନ୍ଧମାଳରୁ ୨୬, ଦେବଗଡ଼ରୁ ୨୩, ମାଲକାନଗିରିରୁ ୩୦, ବୌଦ୍ଧରୁ ୨୪ ଓ ଷ୍ଟେଟ୍ ପୁଲରୁ ୭୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଧା ସମେତ କଟକ, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲା ଆଜି ବି ରେଡ୍ ଜୋନ୍ରେ ରହିଛି। ଅର୍ଥାତ୍ ଉକ୍ତ ୪ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫୦୧ରୁ ଅଧିକ ରହିଛି। ଖୋର୍ଧାରେ ସବୁଠାରୁ ଅଧିକ ୧୬ ହଜାର ୯୨୮ ଆକ୍ଟିଭ୍ କେସ୍ ରହିଛି। ସେହିପରି ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ପୁରୀ, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ୟେଲୋଜୋନ୍ରେ ରହିଛି। ଉକ୍ତ ୬ଟି ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୧ରୁ ୨୫୦୦ ମଧ୍ୟରେ ରହିଛି। ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଛି। ସେହିପରି ଗତ ୨୪ ଘଣ୍ଟାରେ ୧୪୪୭ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଥିବା ଜଣାପଡ଼ିଛି।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଓ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ୍ ବେଙ୍ଗାଲୁରୁର ଆକଳନ, ଜାନୁଆରି ଶେଷ କିମ୍ବା ଫେବ୍ରୁଆରି ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ଓଡ଼ିଶାରେ ଶୀର୍ଷରେ ପହଞ୍ଚିବ। ଏହି ସମୟରେ ଦୈନିକ ସଂକ୍ରମଣ ୨୨ରୁ ୨୫ହଜାର ପର୍ଯ୍ୟନ୍ତ ଯାଇପାରେ। ପରବର୍ତ୍ତୀ ସମୟରେ ଏହା ୧୫ରୁ ୨୦ ହଜାର ମଧ୍ୟରେ ରହିପାରେ। ଦେଶରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ସମୟରେ ଦୈନିକ ୯ରୁ ୧୦ଲକ୍ଷ ମମଲା ଆସିପାରେ ବୋଲି ଆକଳନ କରାଯାଇଛି।