ସଂକ୍ରମଣ, ସୁସ୍ଥରେ ରେକର୍ଡ : ଦିନକରେ ୩୩୭୧ ପଜିଟିଭ୍‌, ୩୩୪୩ ସୁସ୍ଥ

୪ ଦିନରେ ସୁସ୍ଥ ହେଲେ ସାଢ଼େ ୧୦ ହଜାର ରୋଗୀ, ଆଉ ୧୩ ମୃତ, ମୃତ୍ୟୁ ସଂଖ୍ୟା ୪୪୧

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ଲାଗି ଗୋଟିଏ ଦିନରେ କରୋନା ସଂକ୍ରମଣ ଓ ସୁସ୍ଥରେ ରେକର୍ଡ ହୋଇଛି। ଗୋଟିଏ ଦିନରେ ଉଭୟ ସଂକ୍ରମିତ ଓ ସୁସ୍ଥଙ୍କ ସଂଖ୍ୟା ୩ ହଜାର ଡେଇଁଛି। ଦିନକରେ ୩୩୭୧ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୩୪୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ କରୋନା ରୋଗୀ ତାଲିକାରେ ନୂତନ ଭାବେ ମାତ୍ର ୨୮ଜଣ ସାମିଲ୍‌ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬୦୨ରେ ପହଞ୍ଚିଛି। ଗତ ୨୬ ଦିନରେ ରାଜ୍ୟରେ ୫୨୬୮୯ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟର ସମୁଦାୟ ସଂଖ୍ୟାର ୬୦ ପ୍ରତିଶତ।

ରାଜ୍ୟରେ ଗତ ୨୪ଘଣ୍ଟାରେ ୬୩ହଜାର ୨୦୯ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ରାପିଡ୍‌ ଆଣ୍ଟିଜେନ୍‌ରେ ୫୫,୭୮୦ ଓ ଆରଟି-ପିସିଆରରେ ୭୨୯୫ ନମୁନା ପରୀକ୍ଷା କରାଯାଇଛି। ସମୁଦାୟ ଭାବେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୪ ଲକ୍ଷ ୮୫ହଜାର ୧୬୭ ନମୁନା ପରୀକ୍ଷା ହୋଇ ସାରିଲାଣି। ରାଜ୍ୟରେ ଏବେ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୫.୯ ପ୍ରତିଶତ ରହିଛି। ୨୩ଟି ଜିଲ୍ଲାରେ ଏବେ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି। ଏପରିକି ଆହୁରି କିଛି ଜିଲ୍ଲା ହଜାରେ ନିକଟତର ହୋଇଛି। କେବଳ ଦେବଗଡ଼ ଓ ନୂଆପଡ଼ାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ୧୭ହଜାର ନିକଟତର ହୋଇଥିବା ବେଳେ ଖୋର୍ଧାରେ ଏହା ୧୩ହଜାର ଡେଇଁଛି। ସେହିପରି କଟକରେ ସାଢ଼େ ୬ହଜାର ପାର୍ କରିଥିବା ବେଳେ ସୁନ୍ଦରଗଡ଼ରେ ୪ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟାମୋଟି ଭାବେ ଦେଖିବାକୁ ଗଲେ କେବଳ ଗଞ୍ଜାମକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ ଆଗକୁ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି।

ଆଜି ରାଜ୍ୟରେ ୧୩ଜଣ କରୋନା ରୋଗୀଙ୍କ ମୃତ୍ୟୁ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ସୁନ୍ଦରଗଡ଼ ଓ ସମ୍ବଲପୁରରୁ ୩ଜଣ ଲେଖାଏଁ ମୃତକ ରହିଛନ୍ତି। ସୁନ୍ଦରଗଡ଼ର ୬୦, ୬୦ ଓ ୭୦ବର୍ଷର ପୁରୁଷ, ସମ୍ବଲପୁରର ୪୨, ୫୦ବର୍ଷର ପୁରୁଷ, ୫୮ବର୍ଷର ମହିଳା, ଗଞ୍ଜାମର ୪୨ ଓ ୭୫ବର୍ଷର ପୁରୁଷ, ପୁରୀର ୭୨ବର୍ଷର ପୁରୁଷ, କେନ୍ଦୁଝରର ୬୦ବର୍ଷର ମହିଳା, କଟକର ୩୨ ଓ ୪୩ବର୍ଷର ପୁରୁଷ ଓ ଭୁବନେଶ୍ବର ୬୦ବର୍ଷର ପୁରୁଷ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୪୧ରେ ପହଞ୍ଚିଛି। ସେହିପରି ଅଣ କରୋନା ମୃତ୍ୟୁ ୫୩ରେ ସ୍ଥିର ରହିଛି। ଗଞ୍ଜାମରେ ସର୍ବାଧିକ ୧୮୩ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହାବାଦ୍ ଖୋର୍ଧାରେ ୫୬, ସୁନ୍ଦରଗଡ଼ ୩୩, କଟକ ୨୮, ରାୟଗଡ଼ା ୨୧, ଗଜପତି ୧୮, ନୟାଗଡ଼ ୧୨, ସମ୍ବଲପୁର ଓ ପୁରୀରେ ୧୧ ଲେଖାଏଁ ସର୍ବାଧିକ ମୃତକ ରହିଛନ୍ତି।
ଗତ ୨୪ଘଣ୍ଟାରେ ଚିହ୍ନଟ ୩୩୭୧ ରୋଗୀଙ୍କ ମଧ୍ୟରୁ ୨୦୫୩ ସଙ୍ଗ‌ରୋଧରୁ ଓ ୧୩୧୮ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଖୋର୍ଧା ଜିଲ୍ଲା ଲଗାତାର ଭାବେ ସଂକ୍ରମଣ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଜିଲ୍ଲାରୁ ସର୍ବାଧିକ ୫୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୩୫୭, ଗଞ୍ଜାମ ୧୯୬, ଯାଜପୁର ୧୭୩, ସୁନ୍ଦରଗଡ଼ ୧୫୪, ରାୟଗଡ଼ା ୧୪୬, ପୁରୀ ୧୪୪, ମାଲକାନଗିରି ୧୩୪, ଭଦ୍ରକ ୧୧୪, ସମ୍ବଲପୁର ୧୦୭, ବାଲେଶ୍ବର ଓ ବରଗଡ଼ରୁ ୯୮ ଲେଖାଏଁ, ଜଗତସିଂହପୁର ୯୫, ଝାରସୁଗୁଡ଼ା ୯୩, ମୟୂରଭଞ୍ଜ ୯୨, କୋରାପୁଟ ୯୧, କେନ୍ଦ୍ରାପଡ଼ା ଓ ବଲାଙ୍ଗୀରରୁ ୭୬ ଲେଖାଏଁ, କେନ୍ଦୁଝର ୭୪, ଢେଙ୍କାନାଳ ୬୭, ନବରଙ୍ଗପୁର ୬୫, ଅନୁଗୁଳ ୬୩, କନ୍ଧମାଳ ୪୧, କଳାହାଣ୍ଡି ୨୮, ନୂଆପଡ଼ା ୧୫, ଦେବଗଡ଼ ୮, ବୌଦ୍ଧ ୪ ଓ ସୋନପୁରରେ ୩ଜଣ ଚିହ୍ନଟ ହୋଇଛନ୍ତି।

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ୩୩୪୩ ସୁସ୍ଥ ରୋଗୀଙ୍କ ମଧ୍ୟରେ ଖୋର୍ଧାର ସର୍ବାଧିକ ୭୩୨ଜଣ ରହିଛନ୍ତି। ଗତ ୪ ଦିନ ଭିତରେ ରାଜ୍ୟରେ ୧୦ହଜାର ୫୩୭ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି। ଖୋର୍ଧା ବାଦ୍ ସୁନ୍ଦରଗଡ଼ରେ ୨୬୧, ଭଦ୍ରକ ୨୪୫, ଗଞ୍ଜାମ ୨୩୮, ରାୟଗଡ଼ା ୨୧୭, କଟକ ୧୮୧, ବାଲେଶ୍ବର ୧୫୫, ସମ୍ବଲପୁର ୧୨୭, ପୁରୀ ୧୨୧, କୋରାପୁଟ ୧୧୯, ମୟୂରଭଞ୍ଜ ୧୧୨, ସୋନପୁର ୧୦୩, ବୌଦ୍ଧ ୮୪, ବରଗଡ଼ ୭୮, କନ୍ଧମାଳ ୬୮, ବଲାଙ୍ଗୀର ୬୫, ନୟାଗଡ଼ ୬୦, କଳାହାଣ୍ଡି ୫୬, ମାଲାକାନିଗରି ୫୪, ଢେଙ୍କାନାଳ ୪୯, ନବରଙ୍ଗପୁର ୩୬, କେନ୍ଦୁଝର ୩୪, ଯାଜପୁର ୩୨, ଗଜପତି ୨୭, ଅନୁଗୁଳ ୨୨, ଝାରସୁଗୁଡ଼ା ୨୦, କେନ୍ଦ୍ରାପଡ଼ା ୧୯, ଜଗତସିଂହପୁର ୧୬, ନୂଆପଡ଼ା ୧୧ ଓ ଦେବଗଡ଼ରୁ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୬୨ହଜାର ୮୧୩ ରୋଗୀ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୭୧ ପ୍ରତିଶତକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର