ସୁନ୍ଦରଗଡ଼ରେ ପ୍ରତି ଶହେରେ ୪୦ ସଂକ୍ରମିତ
ଦିନକରେ ୧୦,୪୮୯ ପଜିଟିଭ୍, ୩ ମୃତ
ରେଡ୍ ଜୋନ୍ରେ ୫ ଜିଲ୍ଲା
ଭୁବନେଶ୍ବର : ରାଜ୍ୟର ୧୩ଟି ଜିଲ୍ଲାରେ ସଂକ୍ରମଣ ହାର ବା ପଜିଟିଭ୍ ରେଟ୍ ୧୦ ପ୍ରତିଶତରୁ ଅଧିକ ରହିଛି। ଅର୍ଥାତ୍ ପ୍ରତି ଶହେଟି ନମୁନାରେ ୧୦ଜଣ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଚଳିତ ମାସ ୧୦ରୁ ୧୬ ତାରିଖ ଭିତରେ ଏସବୁ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ଗତ ଦୁଇଦିନ ହେବ ସୁନ୍ଦରଗଡ଼ ଜିଲ୍ଲା ସଂକ୍ରମଣ ହାରରେ ସବୁ ଜିଲ୍ଲାମାନଙ୍କଠାରୁ ଉପରେ ରହୁଛି। ଏପରିକି ଗତ ୨୪ ଘଣ୍ଟାରେ ଜିଲ୍ଲାରେ ସଂକ୍ରମଣ ହାର ପ୍ରାୟ ୪୦ ପ୍ରତିଶତ ଛୁଇଁଛି। ସୁନ୍ଦରଗଡ଼ରେ ଏଭଳି କରୋନା ବିସ୍ଫୋରଣ ପଛରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
ଖୋର୍ଧା, ସୁନ୍ଦରଗଡ଼, ବାଲେଶ୍ବର, ସମ୍ବଲପୁର, ମୟୂରଭଞ୍ଜ, କଟକ, ଝାରସୁଗୁଡ଼ା, ବଲାଙ୍ଗୀର, ଅନୁଗୁଳ, ରାୟଗଡ଼ା, କଳାହାଣ୍ଡି, ଭଦ୍ରକ ଓ ପୁରୀରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ଅନ୍ୟ ୨୦ ଜିଲ୍ଲାରେ ଏହା ୧୦ ତଳେ ରେକର୍ଡ କରାଯାଇଛି। ଅପରପକ୍ଷରେ ରାଜ୍ୟରେ କରୋନାର ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ତେବେ ଏହା ପଛରେ କମ୍ ନମୁନା ପରୀକ୍ଷା ରହିଥିବା ସ୍ପଷ୍ଟ ହୋଇଛି। ଗତକାଲି ରବିବାର ଥିବାରୁ ନମୁନା ପରୀକ୍ଷା ୭୦ ହଜାରକୁ ଖସି ଆସିଛି। କେବଳ କମ୍ ନମୁନା ପରୀକ୍ଷା ନୁହେଁ, ଅଧିକାଂଶ ଲୋକ ଏବେ ଥଣ୍ଡା, ଜ୍ବର ଓ କାଶରେ ଆକ୍ରାନ୍ତ ଥିବା ସତ୍ତ୍ବେ ନମୁନା ପରୀକ୍ଷା କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ତେଣୁ ଆଗକୁ ରାଜ୍ୟରେ ଦୈନିକ ସଂକ୍ରମଣର ପ୍ରକୃତ ସଂଖ୍ୟା ଜାଣିବା ନେଇ ସମସ୍ୟା ସୃଷ୍ଟି ହୋଇପାରେ।
ଆଇସିଏମ୍ଆରର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ର କହିଛନ୍ତି ଯେ ଘରେ ପରୀକ୍ଷା ହେବା ପାଇଁ ଥିବା ଟେଷ୍ଟ କିଟ୍ର ରିପୋର୍ଟ ଆସୁନାହିଁ। ଅଧିକାଂଶ ଲକ୍ଷଣବିହୀନ ଓ କମ୍ ଲକ୍ଷଣ ଥିବା ଲୋକମାନେ ନମୁନା ପରୀକ୍ଷା କରୁନାହାନ୍ତି। ଯେହେତୁ ହସ୍ପିଟାଲ ଆଡମିସନ୍ କମ୍ ରହିଛି, ତେଣୁ ଲୋକମାନେ ନମୁନା ପରୀକ୍ଷା କରିବା ବଦଳରେ ଥଣ୍ଡା, ଜ୍ବର ଔଷଧ ଖାଇବାକୁ ପସନ୍ଦ କରୁଛନ୍ତି। ମାତ୍ର ଏଥିରେ ସଂକ୍ରମଣର ପ୍ରକୃତ ଚିତ୍ର ମିଳିବା କଷ୍ଟକର। ଫଳରେ ସଂକ୍ରମିତଙ୍କୁ ଟ୍ରାକିଂ କରି କଣ୍ଟେନମେଣ୍ଟ ଜୋନ୍ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଡା. ମହାପାତ୍ର କହିଛନ୍ତି।
ଗତ ୨୪ ଘଣ୍ଟାରେ ଖୋର୍ଧାରୁ ୨୯୩୪, ସୁନ୍ଦରଗଡ଼ ୧୪୪୭, କଟକ ୭୮୬, ବାଲେଶ୍ବର ୪୩୩, ମୟୂରଭଞ୍ଜ ୩୮୩, ସମ୍ବଲପୁର ୩୮୭, ରାୟଗଡ଼ା ୨୫୩, ଝାରସୁଗୁଡ଼ା ୨୨୫, ଜଗତ୍ସିଂହପୁର ୨୦୭, ବଲାଙ୍ଗୀର ୨୩୮, ଯାଜପୁର ୧୯୫ ଓ ଷ୍ଟେଟ୍ ପୁଲ୍ରୁ ୭୦୭ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ଲକ୍ଷ ୪୪ହଜାର ୪୦୧କୁ ବୃଦ୍ଧି ପାଇଛି। କରୋନାରେ ଆଉ ୩ଜଣ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହୋଇଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୯୫୬୫ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୬୯,୮୩୨ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୬୬ହଜାର ୩୨କୁ ବୃଦ୍ଧି ପାଇଛି। ରାଜ୍ୟର ୫ଟି ଜିଲ୍ଲା ଏବେ ରେଡ୍ ଜୋନ୍କୁ ଆସିଛନ୍ତି।