ଏବେ ବି ଓଡ଼ିଶାରୁ ଯାଇନି ଡେଲ୍ଟା
ଫେବ୍ରୁଆରିରେ କୋହଳ ହୋଇପାରେ କଟକଣା
ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଶେଷରେ ୫ ହଜାର ତଳକୁ ଖସି ଆସିଛି। ୧୯ ଦିନ ପରେ ଏହି ଧାରା ଦେଖିବାକୁ ମିଳିଛି। ଗତ ୯ ତାରିଖରେ ଦୈନିକ ସଂକ୍ରମଣ ୪୮୨୯ ରେକର୍ଡ କରାଯାଇଥିଲା। ଏହାପରେ କରୋନା ହୁ ହୁ ହୋଇ ବଢ଼ି ଚାଲିଥିଲା। ୧୮ ତାରିଖରେ ଏହା ସର୍ବୋଚ୍ଚ ସ୍ତରରେ ପହଂଚିଥିଲା। ସେଦିନ ଆକ୍ରାନ୍ତ ସଂଖ୍ୟା ସର୍ବାଧିକ ୧୧, ୬୦୭ ରେକର୍ଡ କରାଯାଇଥିଲା। ଏହାପରେ ସଂକ୍ରମଣ ଖସିବା ଆରମ୍ଭ କରିଥିଲା। ଆଜି ଏହି ସଂଖ୍ୟା ୫ ହଜାର ତଳକୁ ଖସିଥିବାରୁ ଲୋକେ କିଛି ପରିମାଣରେ ଆଶ୍ବସ୍ତ ହୋଇଛନ୍ତି।
କିନ୍ତୁ ବିପଦ ଏବେ ବି ରହିଛି ଏବଂ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ଗତ ୨୪ ଘଣ୍ଟାରେ ୪୮୪୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାତ୍ର ଦୈନିକ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି, ଯାହାକି ଚଳିତ ବର୍ଷର ସର୍ବାଧିକ। ଗଞ୍ଜାମ ଓ ଖୋର୍ଧାରୁ ୩ ଲେଖାଏଁ, ଅନୁଗୁଳ, ବରଗଡ଼, କଟକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ମୋଟ୍ ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ୪୪୩, ସୁନ୍ଦରଗଡ଼ ୧୫୯, ନୟାଗଡ଼ ୨୧୦, ସମ୍ବଲପୁର ୧୪୯, ବାଲେଶ୍ବର ୧୬୯, ଯାଜପୁର ୧୩୪, ମୟୂରଭଞ୍ଜ ୧୭୯ ଓ ଷ୍ଟେଟ୍ପୁଲ୍ରୁ ୨୬୫ ଜଣଙ୍କୁ ଚିହ୍ନଟ କରାଯାଇଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୪୧ହଜାର ୬୮କୁ ବୃଦ୍ଧି ପାଇଛି।
ଅପରପକ୍ଷରେ ରାଜ୍ୟରେ ଏବେ ବି ଘାତକ ଡେଲ୍ଟା ପ୍ରଜାତି ନିଜର ପ୍ରଭାବ ବିସ୍ତାର କରିଛି। ରାଜ୍ୟରେ ଯେତିକି ପଜିଟିଭ୍ ନମୁନାର ଜିନୋମ ସିକ୍ବେନ୍ସିଂ କରାଯାଇଛି, ତହିଁରୁ ୨୫-୩୦ ପ୍ରତିଶତ ପର୍ଯ୍ୟନ୍ତ ଡେଲ୍ଟା ପ୍ରଜାତି ଚିହ୍ନଟ ହୋଇଛି। ଏପରିକି ଜିନୋମ ସିକ୍ବେନ୍ସିଂରେ ଦେଶବ୍ୟାପୀ ସର୍ବାଧିକ ଡେଲ୍ଟା ପ୍ରଜାତି ଚିହ୍ନଟ ହୋଇଥିବା ରାଜ୍ୟ ଭିତରେ ଓଡ଼ିଶା ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ମଧ୍ୟ ଡେଲ୍ଟାର ପ୍ରଭାବ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ବି ୨୦ ଲକ୍ଷ ଲୋକ ନିଜର ପ୍ରଥମ ଡୋଜ୍ ନେଇ ନାହାନ୍ତି ଓ ତୃତୀୟ ଲହରରେ ଲୋକମାନେ ଅଧିକ ଖାମଖିଆଲ ହୋଇଯାଇଛନ୍ତି। ତେଣୁ କୋଭିଡ୍ ସତର୍କତା ଅବଲମ୍ବନ ନ କଲେ, କରୋନାର ଦ୍ବିତୀୟ ଲହର ଭଳି ଏଥର ମଧ୍ୟ ଗୁରୁତର ରୋଗୀଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଏବେ ବି ବିପଦ ଟଳିନି। ନିଜକୁ ବିପଦମୁକ୍ତ କରିବା ପାଇଁ ହେଲେ କୋଭିଡ୍ ନିୟମ ମାନିବା ସହିତ ଟିକା ନେବାକୁ ହେବ। ରାଜ୍ୟରେ ଏବେ ବି ଡେଲ୍ଟା ପ୍ରଜାତିର ପ୍ରଭାବ ରହିଛି। ବର୍ତ୍ତମାନ ରାଜ୍ୟରେ କୋଭିଡ୍ ସ୍ଥିତି ସୁଧୁରୁଛି। ଲଗାତାର ସଂକ୍ରମଣ ହାର କମୁଛି। ରାଜ୍ୟର କେଉଁ ଅଞ୍ଚଳର ପଜିଟିଭ୍ ବଢ଼ୁଛି, କେଉଁଠି କମୁଛି, ତାହାକୁ ନେଇ ରାଜ୍ୟ ସରକାରଙ୍କୁ ବୈଷୟିକ ଇନ୍ପୁଟ୍ ଦିଆଯିବ। ଅନ୍ୟ ବିଭାଗ ବି ଇନ୍ପୁଟ୍ ଦେଉଛନ୍ତି। ସବୁ ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବ୍ରୁଆରି କଟକଣା କୋହଳ ନେଇ ଶେଷ ନିଷ୍ପତ୍ତି ସରକାର ନେବେ ବୋଲି ଡା. ମହାପାତ୍ର କହିଛନ୍ତି।
ରାଜ୍ୟରେ ସଂକ୍ରମଣ କମିଥିଲେ ମଧ୍ୟ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେତେ ଜଣ କରୋନା ଟିକା ନେଇ ନାହାନ୍ତି, ସେ ସଂପର୍କିତ ତଥ୍ୟ ସରକାରଙ୍କ ପାଖରେ ନାହିଁ। ଆଇସିୟୁରେ ୫ଶହରୁ ଅଧିକ ଆକ୍ରାନ୍ତ ଥିବା ବେଳେ ଏ ସଂପର୍କରେ ଜାଣିବା ଲାଗି ମଧ୍ୟ ସରକାରଙ୍କ ପାଖରେ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। କିଛି ଦିନ ତଳେ ମୁମ୍ବାଇ କମିସନର ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଶଯ୍ୟାରେ ଥିବା ୯୬ପ୍ରତିଶତ ଆକ୍ରାନ୍ତ ନିଜର ପ୍ରଥମ ଡୋଜ୍ ନେଇ ନ ଥିବା କହିଥିଲେ। ସେହିପରି ଦିଲ୍ଲୀରେ ତୃତୀୟ ଲହରରେ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୪ପ୍ରତିଶତ ନିଜର ପ୍ରଥମ ଡୋଜ୍ ନେଇ ନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏ ଦୃଷ୍ଟିରୁ ହସ୍ପିଟାଲରେ ଭର୍ତି ହେବା ସମୟରେ ରୋଗୀମାନେ ଟିକା ନେଇଛନ୍ତି କି ନାହିଁ, ସେ ସଂପର୍କରେ ସୂଚନା ରଖିବା ଜରୁରୀ ବୋଲି ବିଶେଷଜ୍ଞ ମହଲରେ ଦାବି ହୋଇଛି।