ଭୁବନେଶ୍ବର : ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲା ଶହେରୁ ଅଧିକ ସଂକ୍ରମିତ ତାଲିକାରେ ଯୋଡ଼ି ହେଉଛନ୍ତି। ଏ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଆଉ କିଛି ଜିଲ୍ଲା ଶହେର ନିକଟତର ହୋଇଛନ୍ତି। ରାଜ୍ୟରେ ଦ୍ରୁତ ଗତିରେ ପଜିଟିଭ୍‌ଙ୍କ ସଂଖ୍ୟାରେ ବୃଦ୍ଧି ହେବାକୁ ନେଇ ଏଭଳି ଆଶଙ୍କା ଦେଖା ଦେଇଛି।

Advertisment

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧୦ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ୧୭ଟି ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରୁ ୯୭ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ପ୍ରତ୍ୟେକ ଦିନ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଅଧିକ ଖୋରାକ ଯୋଗାଇଛି।

ଚିହ୍ନଟ ହୋଇଥିବା ୧୧୦ଜଣଙ୍କ ମଧ୍ୟରୁ ଜଗତସିଂହପୁରରୁ ସର୍ବାଧିକ ୩୩ଜଣ ଅଛନ୍ତି। ଏହାବାଦ୍ କଟକ ୨୦, ଖୋର୍ଧା ୧୪, ଗଜପତି ୧୧, ପୁରୀ ୭, କଳାହାଣ୍ଡି, ନୟାଗଡ଼, ରାୟଗଡ଼ା ଓ ମୟୂରଭଞ୍ଜରୁ ୪ଜଣ ଲେଖାଏଁ, ବରଗଡ଼ ୨, କେନ୍ଦୁଝର, ବଲାଙ୍ଗୀର, ବୌଦ୍ଧ, କୋରାପୁଟ ଓ ଝାରସୁଗୁଡ଼ାର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୪ଜଣଙ୍କ ମଧ୍ୟରୁ ୬ଜଣ ଭୁବନେଶ୍ବରର ଅଛନ୍ତି।

ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ଭିତରେ ଗଞ୍ଜାମ ସର୍ବାଗ୍ରେ ରହିଛି। ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୬୪୯ଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଯାଜପୁର ୩୨୬, ଖୋର୍ଧା ୨୯୦, କଟକ ୨୦୯, ବାଲେଶ୍ବର ୧୯୭, କେନ୍ଦ୍ରାପଡ଼ା ୧୭୦, ଭଦ୍ରକ ୧୫୨, ଜଗତସିଂହପୁର ୧୩୦, ବଲାଙ୍ଗୀର ୧୨୪, ସୁନ୍ଦରଗଡ଼ ୧୧୮ ଓ ପୁରୀର ୧୧୫ଜଣ ଆକ୍ରାନ୍ତ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି।

ଅପରପକ୍ଷରେ ଆଜି ବିଭିନ୍ନ ଜିଲ୍ଲାରୁ ୧୪୯ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଗଞ୍ଜାମର ୫୭, ଖୋର୍ଧା ୨୬, ବଲାଙ୍ଗୀର ୧୧, ଜଗତସିଂହପୁର ୬, ବାଲେଶ୍ବର, ଯାଜପୁର ଓ ନୟାଗଡ଼ରୁ ୭ଜଣ ଲେଖାଏଁ, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀର ୫ଜଣ ଲେଖାଏଁ, ସୁନ୍ଦରଗଡ଼ ୪, କେନ୍ଦୁଝର ୩, କଟକ ୨, ବୌଦ୍ଧ ଓ କୋରାପୁଟରେ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨୮୨ରେ ପହଞ୍ଚିଛି। ରାଜ୍ୟରେ ଏବେ ୯୫୭ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।